ରାମନଦୀରେ ବନ୍ୟା : ଭାସିଗଲା ଆନିକଟର ସ୍ପିଲ୍ ୱେ, ଅଳ୍ପକେ ବର୍ତ୍ତିଗଲା ଶୈବପୀଠ

 ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଗଞ୍ଜାମ – ଗଜପତି ସୀମାନ୍ତ ରାମନଦୀ ରେ ବନ୍ୟା ଯୋଗୁଁ ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ବଡ଼ପଦା ଠାରେ କାମ ଚାଲିଥିବା ବ୍ୟାରେଜ ଓ ଆନିକଟ ସ୍ପିଲ୍ ୱେ ର ଅର୍ଦ୍ଧାଧିକ ଅଂଶ ଭାସି ଯାଇଛି। ବଡ଼ପଦା ଗ୍ରାମ ଶ୍ରୀ ଉଦୟନାଥେଶ୍ୱର ଶିବ ମନ୍ଦିର ଅଳ୍ପକେ ବର୍ତ୍ତି ଯାଇଛି।  କେନାଲ ଭାଙ୍ଗି ବନ୍ୟାଜଳ ସିନ୍ଧବା, ଚଷାନିମଖଣ୍ଡି,ନିମଖଣ୍ଡିପେଣ୍ଠ,ଶ୍ୟାମସୁନ୍ଦର ପୁର ପଲ୍ଲୀ ପ୍ରଭୃତି ଗ୍ରାମ ର ରାସ୍ତା ଉପରେ ପାଣି ସୁଅ ଛୁଟିଥିଲା। ରାମନଦୀ ଜଳସେଚନ ପ୍ରକଳ୍ପ ପାର୍ଶ୍ଵ ରେ ପ୍ରାୟ ୩୦ ଲକ୍ଷ ଟଙ୍କା ବ୍ୟୟରେ କୋଠା ନିର୍ମିତ ହୋଇଥିଲେ ମଧ୍ୟ ସେଠାରେ କୌଣସି ବିଭାଗୀୟ ଅଧିକାରୀ  ଉପସ୍ଥିତ ନଥିବାରୁ ନଦୀ ଉପରେ ଥିବା ଗେଟ୍ ଖୋଲା ଯାଇ ନଥିଲା।ଫଳରେ ସ୍ପିଲ୍ ୱେ ର ଅର୍ଦ୍ଧାଧିକ ଅଂଶ ବନ୍ୟା ଜଳରେ ଭାସି ଯାଇଥିବା ଜଣାପଡିଛି।ଶୁକ୍ରବାର ସକାଳ ସୁଦ୍ଧା ରାମନଦୀ ଜଳସେଚନ କାର୍ଯ୍ୟାଳୟ ର କୌଣସି ଯନ୍ତ୍ରୀ କିମ୍ବା ଅଧିକାରୀ ବୃନ୍ଦ ବ୍ୟାରେଜ ନିକଟରେ ପହଞ୍ଚିନଥିଲେ ବୋଲି ଚଷାନିମଖଣ୍ଡି ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୌଡ଼ ଜଣାଇଛନ୍ତି।ଚଳିତବର୍ଷ ଖରିଫ ଧାନ ଚାଷ ରେ ଚାଷୀଙ୍କୁ କେନାଲ ଯୋଗେ ପାଣି ଯୋଗାଣ ରେ ଗୁରୁତର ସମସ୍ୟା ସୃଷ୍ଟି କରିବାର ଆଶଙ୍କା ଉପୁଜିଛି। ରାମ ନଦୀରୁ କେନାଲ ଯୋଗେ ଚାଷୀଙ୍କ ଜମିକୁ ପାଣି ଯୋଗାଇ ଦିଆନଗଲେ ବିଶାଳ ଚାଷୀ ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏନେଇ ରାମନଦୀ ପ୍ରକଳ୍ପ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଛେଳିଗଡ କେନାଲ ଡିଭିଜନ କାର୍ଯ୍ୟାଳୟ ର ନିର୍ବାହୀ ଯନ୍ତ୍ରୀ ଇଂ.ସରୋଜ ନାୟକ ଙ୍କୁ ପଚାରିବାରୁ ରାମନଦୀ ସେଚ ପ୍ରକଳ୍ପ ର ସମସ୍ତ କ୍ଷୟକ୍ଷତି ଅତିଶୀଘ୍ର ଅନୁଧ୍ୟାନ କରାଯାଇ ମରାମତି ଓ ପୁନଃ ନିର୍ମାଣ କରାଯିବ ।ଚାଷୀ ଙ୍କୁ ଆବଶ୍ୟକ ଜଳ ଯୋଗାଣରେ କୌଣସି ଅବହେଳା କରାଯିବ ନାହିଁ ବୋଲି ଜଣାଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ ସମସ୍ତ ଚାଷ ଜମିରେ ବ୍ୟାପକ ଧାନ ଫସଲ ଓ ପନିପରିବା ଫସଲ ନଷ୍ଟ ହୋଇଛି।  ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଧିନ ଅଧିକାଂଶ ଗ୍ରାମର ଧାନ ଚାଷ ପ୍ରଭାବିତ ହୋଇଛି।ବହୁ ସଂଖ୍ୟକ ଜମିର ଧାନ ଫସଲ ପାଣିରେ ବୁଡି ରହିଥିବା ଦେଖିବାକୁ ମିଳିଛି। ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ନିକଟ ବାତରଡ଼ା ନାଳ ବ୍ରିଜ ସଂଯୋଗ ରାସ୍ତା ଧୋଇ ଯିବାରୁ ଖାରିଆଗୁଡ଼ା ଏବଂ ତୁରୁବୁଡ଼ି ଗ୍ରାମକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଥିଲା।ଭୀଷ୍ମଗିରି ଗ୍ରାମ ନିକଟ ରେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା ନିର୍ମାଣ କରୁଥିବା ଠିକାଦାର କ୍ୟାମ୍ପ ରେ ବର୍ଷାଜଳ ପଶିଯିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ୟାମ୍ପ ସମ୍ମୁଖରେ ଥିବା ଗାଡ଼ି ,ଯନ୍ତ୍ରାଂଶ ଓ ସିମେଣ୍ଟ ମିକ୍ସର ମେସିନ ଭାସି ଯାଇଥିବା ଜଣାପଡିଛି।                            ସେହିପରି ଫାସିଗୁଡ଼ା ଗ୍ରାମ ନିକଟ କୃଷ୍ଣସାଗର ରେ ପାଣି ଭର୍ତ୍ତି ହୋଇଯିବାରୁ ଉଦବୃତ ପାଣି ଗାଁ ମଧ୍ୟକୁ ପଶିଥିଲା। ରାସ୍ତା ଉପରେ ପ୍ରାୟ ୫ ଫୁଟ ପାଣି ପ୍ରବାହିତ ହେବାରୁ ଫାସିଗୁଡ଼ା – ଭୀଷ୍ମଗିରି ଗ୍ରାମକୁ ଚଳପ୍ରଚଳ ବନ୍ଦ ହୋଇଯାଇଥିଲା। ଫାସିଗୁଡ଼ା ପଞ୍ଚାୟତ ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ ଏନେଇ ପ୍ରଶାସନକୁ ଜଣାଇବା ପରେ ରାତି ପ୍ରାୟ ସାଢ଼େ ୧୦ ଟାରେ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି . ,ବ୍ରହ୍ମପୁର ଉପ ଜିଲ୍ଲାପାଳ ଅବିନାଶ କୁମାର,ଦିଗପହଣ୍ଡି ତହସିଲଦାର ସନ୍ତୋଷ କୁମାର ସାହୁ,ବିଡ଼ିଓ ଅନାମିକା ପାଣ୍ଡେ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ।ପରେ ଜିଲ୍ଲାପାଳ ଙ୍କ ସମେତ ଅନ୍ୟ ପଦାଧିକାରୀ ବୃନ୍ଦ ଜକମେରୀପଲ୍ଲୀ ଗ୍ରାମ ନିକଟ ନଦୀ ଉପରେ ନିର୍ମିତ ବ୍ୟାରେଜ୍ ଅଞ୍ଚଳ ପରିଦର୍ଶନ କରି ଫେରିଥିଲେ।ଧାନ ଫସଲ କ୍ଷତି ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ପଚାରିବାରୁ ଏନେଇ ଜିଲ୍ଲା କୃଷି ଅଧିକାରୀ ଙ୍କୁ ସେ ଅବଗତ କରାଇଛନ୍ତି। କୃଷି ବିଭାଗ କ୍ଷୟକ୍ଷତି ଆକଳନ କରି  ରିପୋର୍ଟ ପ୍ରଦାନ କରିବାପରେ ଚାଷୀଙ୍କୁ କ୍ଷତିପୂରଣ ପାଇଁ ସରକାରଙ୍କୁ ସୁପାରିଶ କରାଯିବ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ