୧୪.୨୨ ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ପୂର୍ବତନ PACS ସମ୍ପାଦକ ଚିନ୍ତାମଣି ମଲ୍ଲିକ ଗିରଫ
କଟକ, (ଓ୍ବାଇଏନଏସ): ସମବାୟ ସମିତିର ଅର୍ଥ ହେରଫେର ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ । ବଲାଙ୍ଗୀର ଜିଲ୍ଲା ବେଲପଡ଼ା ବ୍ଲକ୍ ଅନ୍ତର୍ଗତ ଜୁବା ପ୍ରାଥମିକ କୃଷି ସମବାୟ ସମିତି (PACS) ଲିମିଟେଡ୍ର ପୂର୍ବତନ ସମ୍ପାଦକ ଚିନ୍ତାମଣି ମଲ୍ଲିକଙ୍କୁ ଭିଜିଲାନ୍ସ ଗିରଫ କରିଛି । ଭିଜିଲାନ୍ସର ତଦନ୍ତ ଅନୁଯାୟୀ, ସରକାରୀ ଓ ସମବାୟ ସମିତିର ମୋଟ ୧୪ ଲକ୍ଷ ୨୨ ହଜାର ୪୬ ଟଙ୍କା ହେରଫେର ହୋଇଛି । ୨୦୧୬-୧୭, ୨୦୨୦-୨୧, ୨୦୨୧-୨୨ ଓ ୨୦୨୨-୨୩ ଆର୍ଥିକ ବର୍ଷରେ ଏହି ଆର୍ଥିକ ଅନିୟମିତତା ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ବିହନ ବିକ୍ରିର ଅର୍ଥ ହିସାବରେ ଦର୍ଶାଯାଇନଥିବା, ବିହନ ବିକ୍ରିର ଅର୍ଥକୁ ସମିତିର ଅଧିକାରିକ ହିସାବ ବହିରେ ଉଲ୍ଲେଖ ନକରିବା, ଡେ ବୁକ୍ରେ ଜାଣିଶୁଣି କମ୍ କ୍ଲୋଜିଂ ବାଲାନ୍ସ ଦର୍ଶାଇବା ଭଳି ଅନିୟମିତତା ସାମ୍ନାକୁ ଆସିଛି । ଏହାଛଡ଼ା ଅର୍ଥ ଅଭାବକୁ ଲୁଚାଇବା ପାଇଁ ଜାଲ୍ ବ୍ୟାଙ୍କ ଜମା ଦର୍ଶାଇବା ଏବଂ ସଞ୍ଚୟ ବ୍ୟାଙ୍କ ଜମାରୁ ଅତିରିକ୍ତ ଅର୍ଥ ଉଠାଣ କରିବା ଭଳି ଅଭିଯୋଗ ମଧ୍ୟ ତଦନ୍ତରେ ଜଣାପଡ଼ିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ଏହି ଅଭିଯୋଗରେ ଚିନ୍ତାମଣି ମଲ୍ଲିକଙ୍କ ବିରୋଧରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ମାମଲା ରୁଜୁ କରି ଭିଜିଲାନ୍ସ ପକ୍ଷରୁ ପରବର୍ତ୍ତୀ ଆଇନଗତ ପଦକ୍ଷେପ ଜାରି ରହିଛି ।


