କଟକ ନାଟ୍ୟୋତ୍ସବ-୨୦୨୬ ନିମନ୍ତେ ପ୍ରକ୍ରିୟା ଆରମ୍ଭ

କଟକ, (ଓ୍ବାଇଏନଏସ): କଟକ ନାଟ୍ୟୋତ୍ସବ-୨୦୨୬ ଆୟୋଜନ ନେଇ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ସୂଚନା ଦେଇଛନ୍ତି ଯେ , ଯୁବ ପ୍ରତିଭାମାନଙ୍କୁ ପ୍ରତିଷ୍ଠିତ ମଞ୍ଚରେ ନିଜର କଳା ପରିବେଷଣ କରିବାର ସୁଯୋଗ ପ୍ରଦାନ କରିବା ଏହି ନାଟ୍ୟୋତ୍ସବର ମୂଳ ଲକ୍ଷ୍ୟ । ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଗୁଡିକ ନାଟ୍ୟୋତ୍ସବରେ ଭାଗ ନେଇପାରିବେ । ଚୟନ ପ୍ରକ୍ରିୟାର ଅଂଶ ଭାବେ କଟକ ଜିଲ୍ଲାର ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ନାଟ୍ୟ ଦଳଗୁଡିକ ନିଜ କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ୧୦ -୧୫ ମିନିଟ ଅବଧିର କ୍ଷୁଦ୍ର ଭିଡ଼ିଓ ଏବଂ ମୂଳ ଲେଖା ଦାଖଲ କରିବେ । ଭିଡ଼ିଓ ଦାଖଲ କରିବାର ଶେଷ ତାରିଖ ୨୧ସେପ୍ଟେମ୍ବର ୨୦୨୬ ରଖାଯାଇଛି । ପ୍ରାପ୍ତ ଭିଡିଓ ଡିକୁ ବିଚାରକମଣ୍ଡଳୀ ଦ୍ଵାରା ସମୀକ୍ଷା ଓ ମୂଲ୍ୟାୟନ କରାଯାଇ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଗ୍ୟ ଦଳଗୁଡିକୁ ଚୟନ କରାଯିବ । ନାଟକ ଓଡିଆ ଓ ମୌଳିକ ହେବ ଆବଶ୍ୟକ । ନାଟକର ଚିନ୍ତନ, ପରିକଳ୍ପନାଠାରୁ ଆରମ୍ଭ କରି ମଞ୍ଚସ୍ଥ କରିବା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ନିଜେ କରିବେ । ନେତାଜୀ ସଂସ୍କୃତି ଭବନଠାରେ ଚୟନ କରାଯାଇଥିବା ଦଳଗୁଡିକ ମଧ୍ୟରେ ସେମିଫାଇନାଲ ଅନୁଷ୍ଠିତ ହେବ । ସେପ୍ଟେମ୍ବର ୨୪ ରୁ ୩୦ ତାରିଖ ମଧ୍ୟରେ ସେମି ଫାଇନାଲ ପର୍ଯ୍ୟାୟ କରିବାକୁ ଆପାତତଃ ଧାର୍ଯ୍ୟ କରାଯାଇଛି । ସେମିଫାଇନାଲ ପର୍ଯ୍ୟାୟର ପ୍ରଦର୍ଶନ ଆଧାରରେ ୯ଟି ଶ୍ରେଷ୍ଠ ଦଳକୁ ଫାଇନାଲିଷ୍ଟ ଭାବେ ଚୟନ କରାଯିବ । ଏହି ୯ଟି ଦଳ ୨୮ ରୁ ୩୦ ଅକ୍ଟୋବର ୨୦୨୬ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଗ୍ରାଣ୍ଡ ଫାଇନାଲରେ ନିଜର ନାଟ୍ୟ ପ୍ରତିଭା ପ୍ରଦର୍ଶନ କରିବେ । ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନାଟ୍ୟୋତ୍ସବର ବିଜେତା ଦଳକୁ ବାଲିଯାତ୍ରାର ବୈଷ୍ଣବ ପାଣି ମଞ୍ଚରେ ପ୍ରଦର୍ଶନ କରିବାର ସୁଯୋଗ ପ୍ରଦାନ କରାଯିବ । ସେହିପରି ପ୍ରଥମ ଓ ଦ୍ଵିତୀୟ ରନର୍ସ ଅପ୍ ଦଳକୁ ଅକ୍ଷୟ ମହାନ୍ତି ମଞ୍ଚରେ ନାଟକ ପରିବେଷଣ କରିବାର ସୁଯୋଗ ମିଳିବ । ଦଳଗତ ପୁରସ୍କାର ବ୍ୟତୀତ ବିଭିନ୍ନ ବ୍ୟକ୍ତିଗତ ଓ କଳାତ୍ମକ ବିଭାଗରେ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲାପାଳ ଡଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର , ବରିଷ୍ଠ ସିନେ ଅଭିନେତା ଶ୍ରୀ ଶ୍ରୀତମ ଦାସ, ଡେପୁଟି କଲେକ୍ଟର ସତରୂପା ଶତପଥୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ଵାଗତିକା ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ଜେନାଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଅଧିକ ସୂଚନା ନିମନ୍ତେ ଜିଲ୍ଲା ସଂସ୍କୃତି ବିଭାଗ ସହ ଯୋଗାଯୋଗ କରିବାକୁ ଅନୁରୋଧ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ