କଟକ ଜିଲ୍ଲାରେ ୪୪ଟି ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର
କଟକ, (ଓ୍ବାଇଏନଏସ): ରାଜ୍ୟରେ ପ୍ରାଥମିକ ଶିକ୍ଷାର ମାନ ବୃଦ୍ଧି ସହ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ କଟକ ଜିଲ୍ଲାରେ ୪୪ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଉପଲକ୍ଷେ ବେଣ୍ଟକାର ନୋଡାଲ ହାଇସ୍କୁଲ ପରିସରରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଯୋଜନା ଶିକ୍ଷା କ୍ଷେତ୍ରରେ ଏକ ନୂତନ ଦିଗ ଉନ୍ମୋଚନ କରିବ ବୋଲି ଆଶାବ୍ୟକ୍ତ କରିଥିଲେ। ଉନ୍ନତ ଶିକ୍ଷା ପରିବେଶ ସୃଷ୍ଟି ସହ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଏବଂ ସେମାନଙ୍କ ସାମଗ୍ରିକ ବିକାଶରେ ଏହା ସହାୟକ ହେବ ବୋଲି ସେ ମତ ଦେଇଥିଲେ। କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ରାଜ୍ୟ ସରକାରଙ୍କ ଏହି ଶିକ୍ଷାଭିତ୍ତିକ ପଦକ୍ଷେପକୁ ସ୍ୱାଗତ କରିଥିଲେ। ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଚ୍ଚ ଆକାଂକ୍ଷା ଓ ଆତ୍ମବିଶ୍ୱାସ ସୃଷ୍ଟି କରିବା ସହ ବିକଶିତ ଓଡ଼ିଶା ଗଠନରେ ସେମାନଙ୍କୁ ଯୋଗଦାନ ପାଇଁ ପ୍ରେରିତ କରିବ ବୋଲି ସେ କହିଥିଲେ। ଏହି ଅବସରରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ସହ ଆଲୋଚନା କରିଥିଲେ। ଏଥିସହ ବେଣ୍ଟକାର ନୋଡାଲ ହାଇସ୍କୁଲର ସପ୍ତମ ଶ୍ରେଣୀର ଛାତ୍ର ସ୍ମୃତି ରଞ୍ଜନ ସାହୁଙ୍କ ସହ କଥା ହୋଇ ତାଙ୍କ ଭବିଷ୍ୟତର ଲକ୍ଷ୍ୟ, ବିଦ୍ୟାଳୟରେ ଉପଲବ୍ଧ ସୁବିଧାସୁଯୋଗ ଏବଂ ରହିଥିବା ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦର ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷାବିତ୍ ଓ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।ଗ୍ରାମାଞ୍ଚଳର ଛାତ୍ରଛାତ୍ରୀଙ୍କୁ ସହରାଞ୍ଚଳ ସମକକ୍ଷ ଶିକ୍ଷା ସୁବିଧା ଯୋଗାଇଦେବା ସହ ବିଦ୍ୟାଳୟଗୁଡ଼ିକରେ ଉନ୍ନତ ଶିକ୍ଷା ପରିବେଶ ଗଠନ ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଜିଲ୍ଲାରେ ୪୪ଟି ବିଦ୍ୟାଳୟର ଏହି ନୂତନ ଯାତ୍ରା ଶିକ୍ଷା କ୍ଷେତ୍ରରେ ଆଗାମୀ ଦିନରେ ଗୁରୁତ୍ୱପୂର୍ଣ୍ଣ ସୁଫଳ ଆଣିବ ବୋଲି ଆଶା କରାଯାଉଛି।


