ବାଘୁଆ ମହୁମାଛି ଆକ୍ରମଣରେ ୪ ଆହତ, ଜଣେ ଗୁରୁତର
ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା ): ବାଘୁଆ ମହୁମାଛି ଆକ୍ରମଣରେ ଗଜପତି ଜିଲ୍ଲାରେ 4 ଜଣ ଆହତ ହୋଇଥିବା ବେଳେ ଜଣେ ବୃଦ୍ଧ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସତ ହେଉଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ ଯେ, ଏହି ଜିଲ୍ଲାର ମୋହନା ବ୍ଲକ ଅନ୍ତର୍ଗତ ପାଣିଗଣ୍ଡା ଗ୍ରାମର ବୃଦ୍ଧ ଗୋବିନ୍ଦ ପାତ୍ର ( ୮୫ ) ନିଜ ଘର ପାଖରେ ଥିବା ଆମ୍ବ, ପଣସ ତୋଟା ଦେଇ ଘରକୁ ଫେରୁ ଥିବା ବେଳେ ଚର୍ଚ୍ଚ ନିକଟରେ ଥିବା ନଡ଼ିଆ ଗଛରୁ ବାଘୁଆ ମହୁମାଛିମାନେ ବାହାରି ଅତର୍କିତ ଭାବରେ ଆକ୍ରମଣ କରିଥିଲେ | ଏଥିରେ ବୃଦ୍ଧ ଜଣକ ଅତ୍ୟନ୍ତ ଗୁରୁତର ହୋଇ ଅଡବା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପାଇବା ପରେ ମୋହନା ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି. ସେହିପରି ସେହି ଅଞ୍ଚଳର ୪ ଜଣ ଯୁବକ କ୍ରିଷ୍ଣା ମାଝୀ ( ୨୦ ) ପପୁ ପାତ୍ର ( ୧୮) ଚନ୍ଦ୍ର ପାଇକ ( ୨୦ ) ମୁକେଶ ପାତ୍ର ( ୧୮ ) ହେଲମିଟ ପିନ୍ଧି ବୃଦ୍ଧଙ୍କୁ ଉଦ୍ଧାର କରିବା ସମୟରେ ବାଘୁଆ ମହୁମାଛିଙ୍କ ଦ୍ଵାରା ଆହତ ହୋଇଛନ୍ତି.


