ଗାନ୍ଧୀ ଜୟନ୍ତୀ ପାଳିତ
ବୈପାରୀଗୁଡା,(ବିକ୍ରାନ୍ତ କୁମାର ବେବର୍ତ୍ତା): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ କୋଲାର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଫ୍ରେଣ୍ଡସ ୟୁନିଟ କ୍ଲବ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ସମ୍ମାନର ସହ ପାଳିତ ହୋଇଯାଇଛି। ଗାନ୍ଧୀଜୀଙ୍କ ସତ୍ୟ, ଅହିଂସା, ଶାନ୍ତି ଓ ସ୍ୱଚ୍ଛତାର ଆଦର୍ଶକୁ ସ୍ମରଣ କରି କ୍ଲବର ସଦସ୍ୟ ଓ ସ୍ଥାନୀୟ ଗ୍ରାମବାସୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏହି ଅବସରରେ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କ୍ଲବର ସଦସ୍ୟମାନଙ୍କ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା। ଉପସ୍ଥିତ ସଦସ୍ୟ ଓ ଗ୍ରାମବାସୀମାନେ ଗାନ୍ଧୀଜୀଙ୍କ ଦେଶପ୍ରେମ, ସତ୍ୟନିଷ୍ଠା, ଅହିଂସା ଓ ସାମାଜିକ ସମାନତାର ଆଦର୍ଶକୁ ସ୍ମରଣ କରିଥିଲେ। ତାଙ୍କ ଆଦର୍ଶକୁ ଅନୁସରଣ କରି ସମାଜରେ ଭାଇଚାରା, ଶାନ୍ତି ଓ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଉପସ୍ଥିତ ସମସ୍ତେ ଆହ୍ୱାନ ଦେଇଥିଲେ।ବିଶେଷକରି ଯୁବପିଢ଼ି ଗାନ୍ଧୀଜୀଙ୍କ ଜୀବନ ଓ ଆଦର୍ଶରୁ ପ୍ରେରଣା ନେଇ ସମାଜର ଉନ୍ନତିରେ ନିଜର ଭୂମିକା ନିର୍ବାହ କରିବା ଆବଶ୍ୟକ ବୋଲି କ୍ଲବ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ। ଗାନ୍ଧୀଜୀଙ୍କ ସ୍ୱଚ୍ଛତାର ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବା ସହ ନିଜ ଅଞ୍ଚଳକୁ ପରିଷ୍କାର ଓ ସ୍ୱଚ୍ଛ ରଖିବା ଦିଗରେ ସମସ୍ତେ ସଚେତନ ହେବାକୁ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଫ୍ରେଣ୍ଡସ ୟୁନିଟ କ୍ଲବର ସଦସ୍ୟ ଏମ. ତେଜେଶ୍ୱର ରାଓ, ମଧୁସୂଦନ ରାଉତ, ଭୀମସେନ ହରିଜନ, ଧନପତି ନାୟକ, ଜଗନ୍ନାଥ ନାୟକ, ବାବୁଲା ଖାନ, ଦେବେନ୍ଦ୍ର ଖରା, ଏନ. ସନ୍ତୋଷ ପ୍ରମୁଖଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଉପସ୍ଥିତ ରହିଥିଲେ। ଶେଷରେ ଗାନ୍ଧୀଜୀଙ୍କ ଆଦର୍ଶକୁ ଜୀବନରେ ପାଳନ କରିବା ସହ ସମାଜରେ ଶାନ୍ତି, ଏକତା ଓ ସ୍ୱଚ୍ଛତାର ବାତାବରଣ ସୃଷ୍ଟି କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ।


