ଜିଲ୍ଲାସ୍ତରୀୟ ଗାନ୍ଧୀଜୀ ଓ ଶାସ୍ତ୍ରୀଜୀ ଜୟନ୍ତୀ
ନବରଙ୍ଗପୁର,(ୱାଇଏନଏସ): ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ନବରଙ୍ଗପୁର ସଦର ମହକୁମାଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରାତଃକାଳୀନ ରାମଧୁନ ପରିବେଷଣ ପରେ ସହରରେ ଅବସ୍ଥିତ ଉଭୟ ମହାନ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତିରେ ଅତିଥିମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।ଏହାପରେ ସ୍ଥାନୀୟ ଆର୍.ସି.ଡି. ଉଚ୍ଚ ବିଦ୍ୟାଳୟଠାରେ ଆୟୋଜିତ ସାଧାରଣ ସଭାରେ ଅତିଥିମାନେ ମହାତ୍ମା ଗାନ୍ଧୀ ଓ ଲାଲ ବହାଦୁର ଶାସ୍ତ୍ରୀଙ୍କ ଜୀବନ, ଆଦର୍ଶ ଓ ଦେଶପ୍ରତି ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ। ସତ୍ୟ, ଅହିଂସା, ସରଳତା, ଶୃଙ୍ଖଳା, ଦେଶସେବା ଓ କର୍ତ୍ତବ୍ୟନିଷ୍ଠା ଭଳି ମୂଲ୍ୟବୋଧ ଆଜିର ସମାଜ ଓ ଯୁବପିଢ଼ି ପାଇଁ ମଧ୍ୟ ସମାନ ଭାବେ ପ୍ରାସଙ୍ଗିକ ବୋଲି ବକ୍ତାମାନେ ମତ ପ୍ରକାଶ କରି ଆଜିର ଯୁବପିଢ଼ି ମହାତ୍ମା ଗାନ୍ଧୀ ଓ ଶାସ୍ତ୍ରୀଜୀଙ୍କ ଜୀବନାଦର୍ଶରୁ ପ୍ରେରଣା ନେଇ ସତ୍ୟନିଷ୍ଠା, ଶୃଙ୍ଖଳା ଓ ଦାୟିତ୍ୱବୋଧକୁ ନିଜ ଜୀବନର ଅଂଶ କରିବା ସହ ଦେଶ ଓ ସମାଜର ଉନ୍ନତିରେ ସକ୍ରିୟ ଭାଗୀଦାର ହେବାକୁ ଅତିଥିମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା, କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନ, ନବରଙ୍ଗପୁର ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ ଛାତ୍ରପତି ସାହୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହ୍ଲାଦ ଖୋସଲା, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସତ୍ୟନାରାୟଣ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ଉତ୍କଳ ପରିଷଦର ସଭାପତି ବିଜୟ ଚୌଧୁରୀ, ସମାଜସେବୀ କିଶୋରୀ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଗଣମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।


