ସମ୍ଭାବ୍ୟ ବାତ୍ୟା ଆକାବାନର ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି
ଛତ୍ରପୁର,(ପ୍ରଶାନ୍ତ କୁମାର ମହାରଣା): ସମ୍ଭାବ୍ୟ ବାତ୍ୟା ‘ଆକାବାନ’ର ଦୃଢ଼ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଘନଘନ ବୈଠକ କରି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ରବିବାର ରାତିରେ ଜିଲ୍ଲାପାଳଙ୍କ ଓସ୍ୱାନ ସମ୍ମିଳନୀ କକ୍ଷରେ ଆଭାସୀ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ନିକଟରେ ଅର୍ଣ୍ଣବ ବାତ୍ୟାର ମୁକାବିଲା ପରେ ପୁଣି ଆସନ୍ତା ୧୮ ତାରିଖରେ ସମ୍ଭାବ୍ୟ ବାତ୍ୟା ‘ଆକାବାନ’ର ଆଶଙ୍କା ଗଞ୍ଜାମ ଜିଲ୍ଲା ପ୍ରଶାସନ ପାଇଁ ଆଉ ଏକ ଆହ୍ୱାନ ସୃଷ୍ଟି କରିଛି। ତେଣୁ ସମସ୍ତ ବିଭାଗୀୟ ଅଧିକାରୀ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ବିଶେଷକରି ନଦୀକୂଳିଆ ଓ ବନ୍ୟାପ୍ରବଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ପାଇଁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ୧୭ ତାରିଖରୁ ସେମାନଙ୍କୁ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ କହିଛନ୍ତି। ଆଶ୍ରୟସ୍ଥଳୀଗୁଡ଼ିକରେ ଚାଉଳ, ଡାଲି ସମେତ ଆବଶ୍ୟକୀୟ ରାସନ ସାମଗ୍ରୀ, ଶୁଖିଲା ଖାଦ୍ୟ ଓ ରନ୍ଧାଖାଦ୍ୟ ପ୍ରସ୍ତୁତି ପାଇଁ ଆବଶ୍ୟକ ସାମଗ୍ରୀ ମହଜୁଦ ରଖିବାକୁ ଅଧିକାରୀଙ୍କୁ କୁହାଯାଇଛି। ବାତ୍ୟାର ଗତିପଥ ସମ୍ପର୍କରେ ଅଧିକ ସ୍ପଷ୍ଟ ସୂଚନା ମିଳିବା ପରେ ପୂର୍ବ ବାତ୍ୟା ସମୟରେ ବନ୍ୟା ପରିସ୍ଥିତି ଉପୁଜିଥିବା ଅଞ୍ଚଳର ଲୋକଙ୍କୁ ଆଗୁଆ ସ୍ଥାନାନ୍ତର କରିବାକୁ ସମସ୍ତ ବିଡିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ସ୍ୱାସ୍ଥ୍ୟ ବିଭାଗକୁ କୁହାଯାଇଛି। ଗତ ଅର୍ଣ୍ଣବ ବାତ୍ୟା ସମୟରେ ଭୂସ୍ଖଳନ ହୋଇଥିବା ସ୍ଥାନଗୁଡ଼ିକୁ ଉପଜିଲ୍ଲାପାଳ ଓ ବିଡିଓମାନେ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ବିପଦପୂର୍ଣ୍ଣ ଅଞ୍ଚଳର ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ଆସନ୍ତା ୧୭ ତାରିଖରେ ସେମାନଙ୍କୁ ମଧ୍ୟ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଚାଷୀଙ୍କ ଫସଲ ସୁରକ୍ଷା ପାଇଁ କୃଷି ବିଭାଗ ପକ୍ଷରୁ ଆଗୁଆ ସତର୍କତା ଜାରି କରାଯାଇଛି। ଯେଉଁ ଅଞ୍ଚଳରେ ଧାନ ପାଚିଯାଇଛି, ସେଠାରେ ଫସଲର ସୁରକ୍ଷା ଓ ଅମଳ ପ୍ରତି ଗୁରୁତ୍ୱ ଦିଆଯାଉଛି। କୃଷିମିତ୍ରଙ୍କ ସମେତ କୃଷି ବିଭାଗର ଅଧିକାରୀମାନେ ଚାଷୀଙ୍କୁ ଆବଶ୍ୟକ ସହଯୋଗ ଯୋଗାଇବା ପାଇଁ ପ୍ରସ୍ତୁତ ରହିଛନ୍ତି। ଏହାବ୍ୟତୀତ ଜିଲ୍ଲାପାଳ ରବିବାର ବିଭିନ୍ନ ନଦୀକୂଳିଆ ଅଞ୍ଚଳ ପରିଦର୍ଶନ କରି ଋଷିକୁଲ୍ୟା ନଦୀର ଭାଙ୍ଗିଯାଇଥିବା ନଦୀବନ୍ଧଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଭାଙ୍ଗିଥିବା ସ୍ଥାନଗୁଡ଼ିକରେ ମାଟି ପକାଇ ଅସ୍ଥାୟୀ ମରାମତି କରାଯାଇଛି। ଏହାର ସ୍ଥାୟୀ ମରାମତି ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର୍) ପ୍ରସ୍ତୁତ ହୋଇଛି ଏବଂ ଖୁବ୍ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ଜିଲ୍ଲାପାଳ କହିଛନ୍ତି।


