ରାଜେନ୍ଦ୍ର ନଗର ମଙ୍ଗଳାମନ୍ଦିର ଛକରେ ଅଳିଆ ଗଦା, ଦୁର୍ଗନ୍ଧରେ ଅତିଷ୍ଠ ଅଞ୍ଚଳବାସୀ

କଟକ, (ଓ୍ବାଇଏନଏସ) : କଟକ ମହାନଗର ନିଗମର ୫୨ ନମ୍ବର ୱାର୍ଡ ଅନ୍ତର୍ଗତ ରାଜେନ୍ଦ୍ର ନଗର ମଙ୍ଗଳାମନ୍ଦିର ଛକରେ ଅଳିଆ ଆବର୍ଜନା ପରିଚାଳନାକୁ ନେଇ ଅସନ୍ତୋଷ ତୀବ୍ର ହୋଇଛି। ଅଞ୍ଚଳବାସୀଙ୍କ ସୁବିଧା ପାଇଁ କେଏମସି ପକ୍ଷରୁ ଏଠାରେ ଦିନତମାମ ଅଳିଆ ସଂଗ୍ରହ ପାଇଁ ଗାଡ଼ି ରଖାଯାଇଛି। ମାତ୍ର ଏହି ବ୍ୟବସ୍ଥା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ସୁବିଧା ବଦଳରେ ସମସ୍ୟା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗାଡ଼ିଟି ଦିନସାରା ଛକରେ ରହୁଥିବାରୁ ଏଥିରେ ବହୁ ପରିମାଣର ଅଳିଆ ଆବର୍ଜନା ଜମା ହେଉଛି। ଫଳରେ ଚାରିଆଡ଼େ ଦୁର୍ଗନ୍ଧ ବ୍ୟାପୁଥିବା ବେଳେ ମଶା, ମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ସହ ସଂକ୍ରାମକ ରୋଗ ବ୍ୟାପିବାର ଆଶଙ୍କା ଦେଖାଦେଇଛି। ଏକ ଜନଗହଳିପୂର୍ଣ୍ଣ ଛକରେ ଏଭଳି ଅବ୍ୟବସ୍ଥିତ ଅଳିଆ ସଂଗ୍ରହ ବ୍ୟବସ୍ଥାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ସବୁଠାରୁ ଗୁରୁତର ଅଭିଯୋଗ ହେଉଛି, ଏହି ଗାଡ଼ିରେ କେବଳ ଘରୋଇ ଅଳିଆ ନୁହେଁ, ବରଂ ଆଖପାଖ ଅଞ୍ଚଳର ହୋଟେଲ, ରେଷ୍ଟୁରାଣ୍ଟ ଓ ଗୋଷ୍ଠୀ କେନ୍ଦ୍ରରେ ଆୟୋଜିତ ଭୋଜିଭାତରୁ ବାହାରୁଥିବା ବର୍ଜ୍ୟବସ୍ତୁ ମଧ୍ୟ ପକାଯାଉଛି। ଏହାଦ୍ୱାରା ସାଧାରଣ ଅଳିଆ ସଂଗ୍ରହ ବ୍ୟବସ୍ଥାକୁ ବ୍ୟବହାର କରି ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକର ବର୍ଜ୍ୟବସ୍ତୁ ନିଷ୍କାସନ କରାଯାଉଥିବା ଅଭିଯୋଗ ହୋଇଛି। ଏହି ଗାଡ଼ିକୁ ଏଠାରେ ରଖିବା ପଛରେ ୱାର୍ଡରେ କାର୍ଯ୍ୟରତ ଜଣେ MPHS କର୍ମଚାରୀଙ୍କ ଭୂମିକାକୁ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଛି। କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କଠାରୁ ହାତଗୁଞ୍ଜା ନେଇ ଏହି ବ୍ୟବସ୍ଥା କରାଯାଇଥିବା ନେଇ ସ୍ଥାନୀୟ ମହଲରେ ଅଭିଯୋଗ ହେଉଛି। ତେବେ ଏହି ଅଭିଯୋଗର ସତ୍ୟତା ତଦନ୍ତସାପେକ୍ଷ। ଅନ୍ୟପକ୍ଷରେ, ୱାର୍ଡରେ ସଫେଇ କାର୍ଯ୍ୟ ଦାୟିତ୍ୱରେ ଥିବା ଠିକା ସଂସ୍ଥା ଏବଂ କେଏମସିର ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କ ନୀରବତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଅଳିଆ ନିୟମିତ ଉଠାଇବା, ସଫେଇ ବ୍ୟବସ୍ଥାର ତଦାରଖ କରିବା ଏବଂ ସାର୍ବଜନୀନ ସ୍ଥାନରେ ଅଳିଆ ଜମା ନହେବା ସୁନିଶ୍ଚିତ କରିବା କାହାର ଦାୟିତ୍ୱ, ତାହା ସ୍ପଷ୍ଟ ହେବା ଆବଶ୍ୟକ। ସହରକୁ ସ୍ୱଚ୍ଛ ରଖିବା ପାଇଁ କେଏମସି ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ସହ ସ୍ୱଚ୍ଛତା ଅଭିଯାନ ଚାଲିଛି। ଏଥିପାଇଁ ସ୍ୱତନ୍ତ୍ର କର୍ମଚାରୀ ମଧ୍ୟ ନିୟୋଜିତ ଅଛନ୍ତି। କିନ୍ତୁ ମଙ୍ଗଳାମନ୍ଦିର ଛକର ଏହି ଚିତ୍ର କେଏମସିର ସ୍ୱଚ୍ଛତା ଅଭିଯାନର ବାସ୍ତବ କାର୍ଯ୍ୟକାରିତା ଉପରେ ପ୍ରଶ୍ନଚିହ୍ନ ଲଗାଇଛି। ତେଣୁ ମଙ୍ଗଳାମନ୍ଦିର ଛକରୁ ଅଳିଆ ଗାଡ଼ିକୁ ଉପଯୁକ୍ତ ସ୍ଥାନକୁ ସ୍ଥାନାନ୍ତର କରିବା, ନିୟମିତ ଅଳିଆ ଉଠାଇବା, ହୋଟେଲ ଓ ରେଷ୍ଟୁରାଣ୍ଟର ବର୍ଜ୍ୟବସ୍ତୁ ପରିଚାଳନା ଯାଞ୍ଚ କରିବା ସହ ଏହି ବ୍ୟବସ୍ଥା ପଛରେ ଯଦି କୌଣସି ଆର୍ଥିକ ଅନିୟମିତତା ରହିଛି, ତାହାର ନିରପେକ୍ଷ ତଦନ୍ତ କରିବାକୁ ଦାବି ହେଉଛି। କେଏମସି କର୍ତ୍ତୃପକ୍ଷ ଏହି ଅଭିଯୋଗକୁ କେତେ ଗୁରୁତ୍ୱ ଦେଉଛନ୍ତି ଏବଂ କେବେ ପଦକ୍ଷେପ ନେଉଛନ୍ତି, ତାହା ଏବେ ଦେଖିବାର କଥା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ