ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମା ଦୁର୍ଗା: ସ୍ବାଗତ ଜଣାଉଛି କାଶତଣ୍ଡି ଫୁଲ
ହାଟଡିହି,(ଓ୍ବାଇଏନଏସ) ଶରତର ଆଗମନରେ ଅପରୂପା ସୌନ୍ଦର୍ଯ୍ୟ ଧାରଣ କରିଛି ଧରଣୀ ରାଣୀ । ଏହି ସୌନ୍ଦର୍ଯ୍ୟକୁ ଦ୍ବିଗୁଣିତ କରୁଛି କାଶ କାଶତଣ୍ଡି ଫୁଲ । ଧୋବ ଫରଫର କାଶତଣ୍ଡି ଫୁଲର ସମ୍ଭାର ସତେ ଯେମିତି ଧରଣୀରାଣୀକୁ ଧଳା ଚାଦରରେ ଢାଙ୍କି ରଖିବାର ଭ୍ରମ ସୃଷ୍ଟି କରୁଛି । ଶାରଦୀୟ ମହା ପାର୍ବଣର ଆଗମନର ପ୍ରଥମ ପାହଚରେ କାଶତଣ୍ଡି ଫୁଲ ସତେ ଯେମିତି ସ୍ଵାଗତ କରୁଛି ଆମ ସଂସ୍କୃତି ପରମ୍ପରାର ପର୍ବ ଦଶହରାକୁ । ଶରତ ଋତୁର ଆଗମନରେ କାଶତଣ୍ଡି ଫୁଲର ମନୋରମ ସମ୍ଭାରରେ ପ୍ରକୃତିରାଣୀ ସଜେଇ ହେବାରେ ଲାଗିଛି । ନଦୀ, ନାଳ ପଠା, ପୋଖରୀ, ହୁଡା ଓ ଧାନକ୍ଷେତ୍ରରେ ଏବେ ବ୍ୟାପକ ଭାବେ କାଶତଣ୍ଡିର ମନୋରମ ଦୃଶ୍ୟ ପ୍ରକୃତିପ୍ରେମୀଙ୍କ ମନରେ ଆହ୍ଲାଦ ଭରିଦେଇଛି। ଶରତ ଋତୁରେ ଏହି ଫୁଲ ବ୍ୟାପକ ଭାବେ ଫୁଟୁଥିବା ବେଳେ ମାସାଧିକ କାଳ ରହିବା ପରେ ଏହା କ୍ରମଶଃ ମଉଳି ଯାଇଥାଏ । ଏହି କାଶତଣ୍ଡି ଫୁଲର ସୁଗନ୍ଧ ନଥିଲା ବେଳେ ଏହାର ସୌନ୍ଦର୍ଯ୍ୟ ସମସ୍ତଙ୍କ ମନକୁ ଆକର୍ଷିତ କରିଥାଏ। ଚାଷ ଜମି ମାନଙ୍କରେ ଏବେ ଧାନଗଛର ସବୁଜିମା ସହିତ ତୋଫା ଧଳାଫୁଲର ସମ୍ଭାର ସତେ ଯେଭଳି ମନୋରମ ଯୁଗଳ ବନ୍ଦୀ ସୃଷ୍ଟି କରୁଛି । ଧୀର ପବନରେ କାଶତଣ୍ଡି ଫୁଲ ଲଉଡି ଭାଙ୍ଗୁଥିବା ଦୃଶ୍ୟ ବହୁ ପ୍ରକୃତିପ୍ରେମୀଙ୍କୁ ଆନମନା କରିଦେଉଚି। ଭାଦ୍ରବ ମାସ ଶେଷ ହୋଇ ଆଶ୍ୱିନ ମାସ ଆରମ୍ଭ ହୋଇଯାଇଛି । ଏହି ଅବସରରେ ହାଟଡିହି ବ୍ଲକ୍ ଅଞ୍ଚଳରେ ଆଦ୍ୟଦେବ ଗଣନାଥଙ୍କ ପୂଜା ଶେଷ ହୋଇସାରିଛି । ଏବେଠାରୁ ଆଶ୍ୱିନ ମାସର ଝଲକ ଦେଖିବାକୁ ମିଳିଲାଣି । ବିଶେଷ କରି ଆନନ୍ଦପୁର ଭଦ୍ରକ ରାସ୍ତାର ଚାରିନାଳିଆ ଓ ବୈତରଣୀ କେନାଲ୍ ଦୁଇ ପାର୍ଶ୍ଵ, , ନଦୀପଠା ଓ ବିଲବାଡିରେ କାଶତଣ୍ଡିର ଦୃଶ୍ୟ ମନି ଲୋଭା ହୋଇଛି। ସବୁଜ ବନାନୀ ଭିତରେ ଧବଳ ରଙ୍ଗର କାଶତଣ୍ଡି ପାର୍ବଣର ମହକ ନେଇ ହସି ଉଠୁଥିବା ଦେଖିବାକୁ ମିଳୁଛି । କିଛି ଦିନ ପରେ ଧରାପୃଷ୍ଠକୁ ଓହ୍ଲାଇବେ ଜଗତଜନନୀ ମା ଦୁର୍ଗା । ମା ଦୁର୍ଗାଙ୍କୁ ସ୍ଵାଗତ କରିବା ପାଇଁ ବାହୁ ମେଲାଇ ବସିଲାଣି କାଶତଣ୍ଡି ଫୁଲ । ପ୍ରକୃତିରାଣୀ ସଜେଇ ହେଲାଣି । ସୁଲୁସୁଲିଆ ପବନରେରେ ଦୋଳି ଖେଳୁଥିବା କାଶତଣ୍ଡିକୁ ନେଇ ଯୁବପିଢୀ କିଛି ସମୟ ଅଟକି ମନୋରମ ଦୃଶ୍ୟକୁ ଉପଭୋଗ କରୁଥିବା ବେଳେ ଅନେକ ନିଜ ନିଜ ମୋବାଇଲ୍ ମାଧ୍ୟମରେ ସେଲ୍ଫି ଉଠାଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଏହି କାଶତଣ୍ଡି ଫୁଲ ଓଡିଆ ସଂସ୍କୃତି ସହ ଅଙ୍ଗାଙ୍ଗିଭାବେ ଜଡିତ । ଶରତ ଋତୁର ଆଗମନ ଠାରୁ ଆରମ୍ଭ କରି ଶାରଦୀୟ ଦୁର୍ଗାପୂଜାର ପ୍ରତୀକ କାଶତ ତଣ୍ଡି ଫୁଲ ଧରାପୃଷ୍ଠରେ ନିଜର ସୌନ୍ଦର୍ଯ ସଦାସର୍ବଦା ବିକିରଣ କରିଥାଏ। କବି ମାନେ କାଶତଣ୍ଡିର ମନରୋମ ଦୃଶ୍ୟକୁ ନିଜର କବିତା ମାଧ୍ୟମରେ ପ୍ରତିଫଳିତ କରୁଥିବା ଦେଖିବାକୁ ମିଳୁଛି।