ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଘେରିଲେ ମାଧପୁର ଉଚ୍ଚ ବିଦ୍ୟାଳୟର ଅଭିଭାବକ
ବଡସାହି, (ନିରଞ୍ଜନ ମହାନ୍ତ):ଡେପୁଟେସନ ଉପରେ ଡେପୁଟେସନ୍। ହାତଗୁଞ୍ଜା ଦିଅ ରାସ୍ତାକଡ ବିଦ୍ୟାଳୟରେ ଶିକ୍ଷକ ହୁଅ। ଏହି ନ୍ୟାୟରେ ପରିଚାଳିତ ବଡସାହି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ବିବାଦୀୟ ବିଇଓ ମଧୁସ୍ମିତା ଗିରିଙ୍କ ମନମାନି ଏବଂ ଆକ୍ରୋଶର ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଶୀକାର ହେବା ସହ ଶିକ୍ଷକ ଅଭାବରୁ ବ୍ଲକର ଅଧିକାଂଶ ବିଦ୍ୟାଳୟରେ ପାଠପଢ଼ା ବିପର୍ଯ୍ୟସ୍ତ ହୋଇପଡିଛି। ଗାଁ ଗହଳି ଭିତରେ ଥିବା ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ସୁବିଧା ଅନୁଯାୟୀ ମୋଟା ଅଙ୍କର ହାତଗୁଞ୍ଜା ଦେଇ ନିଜର ଡେପୁଟେସନ ଚତୁରତାସହ କରାଇ କର୍ତ୍ତବ୍ୟ ପାଳନପ୍ରତି ଆଖି ବୁଜି ଦେଉଛନ୍ତି।ସଦ୍ୟ ଉଦାହରଣ ରୂପରେ ଏହି ବ୍ଲକ ଅଧୀନସ୍ଥ ମାଧପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଏକ ମାତ୍ର ଉଚ୍ଚ ବିଦ୍ୟାଳୟ ମାଧପୁରର ଶିକ୍ଷକ ମରୁଡି ଏବଂ ତତ୍ଜନିତ ପାଠପଢାରେ ବ୍ୟାଘାତ ଏବଂ ଏନେଇ ଗ୍ରାମବାସୀମାନେ ଅଧିକାରୀଙ୍କୁ ଅନେକ ହାରିଗୁହାରି କରିବା ଆଲୋଚନାର ବିଷୟବସ୍ତୁ ହୋଇଛି।ଶିଶୁବାଟିକାରୁ ଅଷ୍ଟମ ଶ୍ରେଣୀ ମୋଟ ନଅଟି ଶ୍ରେଣୀରେ ଶହେ କୋଡ଼ିଏରୁ ଅଧିକ ଶିକ୍ଷାର୍ଥୀ ପାଠ ପଢୁଥିବା ବେଳେ ପାଞ୍ଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରାଥମିକ ସ୍ତରରେ ଶିକ୍ଷାଦାନ ପାଇଁ ନିଯୁକ୍ତ ହୋଇଥିଲେ। ସେଥିମଧ୍ୟରୁ ଜଣେ ଚତୁର୍ଥ ବର୍ଗ ଶିକ୍ଷକ ସିଆରସିସି ପଦରେ ଅବସ୍ଥାପିତ ହୋଇ ବିଦ୍ୟାଳୟକୁ ଶିକ୍ଷାଦାନ ପାଇଁ ଆସୁ ନଥିଲାବେଳେ ଅନ୍ୟ ଦୁଇଜଣ ଶିକ୍ଷୟିତ୍ରୀ ବ୍ଲକରେ ଅନ୍ୟଦୁଇ ବିଦ୍ୟାଳୟରେ ଡେପୁଟେସନରେ ଅବସ୍ଥାପିତ ହୋଇଅଛନ୍ତି।ତେବେ ବିଦ୍ୟାଳୟରେ ପାଠପଢ଼ା ବିପର୍ଯ୍ୟସ୍ତ ହୋଇପଡିଥିବା ଦର୍ଶାଇ ମାଧପୁର ଗ୍ରାମବାସୀ ଅଭିଭାବକଗଣ ବାରମ୍ବାର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଦୌଡ଼ି ଦୈାଡି ନିରାଶ ହୋଇଥିବା ବେଳେ ଆଜି ତିରିଶି ରୁ ଅଧିକ ଗ୍ରାମବାସୀ,ଅଭିଭାବକ ଏବଂ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ କାଞ୍ଚନ ପ୍ରଧାନ ମିଳିତ ଭାବରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଘେରାଉ କରି ମାଧପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଭାବ ସମସ୍ୟା ସମାଧାନ ବି ଈ ଓ ନିକଟରେ ଅ ଡି ବସିଥିଲେ। ଶେଷରେ ବିଇଓ ମଧୁସ୍ମିତା ଗିରି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରି ଆଗାମୀ ତିନିଦିନ ମଧ୍ୟରେ ଉକ୍ତ ବିଦ୍ୟାଳୟର ଶିକ୍ଷକ ସମସ୍ୟା ଅର୍ଥାତ ସେଠାରୁ ଡେପୁ ଟେଶନ ହୋଇ ଥିବା ଶିକ୍ଷୟିତ୍ରୀ ମାନଙ୍କୁ ଫେରାଇ ଆଣିସମାଧାନ ପାଇଁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ଆଗାମୀ ସାତଦିନମଧ୍ୟରେ ଏ ସମସ୍ୟା ସମାଧାନ ନହେଲେ ଗ୍ରାମବାସୀ ବିଦ୍ୟାଳୟ ବନ୍ଦ କରିବା ସହ ବ୍ଲକ କାର୍ଯ୍ୟଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରି ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ବିଦ୍ୟାଳୟର ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ଗୈାରୀଶଙ୍କର ସିଂହ ସୂଚନା ଦେଇଛନ୍ତି। ବିଦ୍ୟାଳୟର ପରିଚାଳନା କମିଟି ସଦସ୍ୟ ଶ୍ରୀମତୀ ଜୟନ୍ତୀ ବାରିକ୍,ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ଦେହୁରୀ, ଶ୍ରୀମତୀ କବିତା ନାୟକ, ଶ୍ରୀ ରାଜକିଶୋର ନାୟକ, ଶ୍ରୀଯୁକ୍ତ ମାନା ଦେହୁରୀ, ଶ୍ରୀ ସୁଜିତ ବିଶୋଇ ପ୍ରମୁଖ ଆନ୍ଦୋଳନରେ ଯୋଗଦେଇଥିଲେ।