ଟାଙ୍ଗଣାପଲ୍ଲୀ ଅଞ୍ଚଳରେ ଗୁରୁପୂଜନ ଉତ୍ସବ
ଛତ୍ରପୁର, (ଓ୍ବାଇଏନଏସ): ପବିତ୍ର ଗୁରୁଦିବସ ଅବସରରେ ଟାଙ୍ଗଣାପଲ୍ଲୀ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଶିକ୍ଷକମାନଙ୍କୁ ନିମନ୍ତ୍ରଣ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଟାଙ୍ଗଣାପଲ୍ଲୀ ଶ୍ରୀ ନୀଳକଣ୍ଠେଶ୍ୱର ନୋଡାଲ ବିଦ୍ୟାପୀଠରେ ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ପ୍ରାକ୍ତନ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା, ଅବସରପ୍ରାପ୍ତ ଶିକ୍ଷକ ଜେ. ସେନାପତି ରେଡ୍ଡୀ ଓ ପୂର୍ବତନ ଛାତ୍ର ଇଂ. କୈଳାସ ବେହେରା ଅତିଥି ଭାବେ ଯୋଗଦେଇ ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଭଲ ମଣିଷ ହେବା ପାଇଁ ମାତା, ପିତା ଓ ଶିକ୍ଷକଙ୍କ ପ୍ରତି ଭକ୍ତି ଓ ସମ୍ମାନ ରଖିବାକୁ ସେମାନେ ପରାମର୍ଶ ଦେଇଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଗୁରୁଦିବସ ଉପଲକ୍ଷେ ନିଜ ନିଜର ବକ୍ତବ୍ୟ ରଖିଥିଲେ। ଏନ୍ସିସି ଫାଷ୍ଟ ଅଫିସର ସୁଧାକର ବଳୀ ଓ ବିଜ୍ଞାନ ଶିକ୍ଷୟିତ୍ରୀ ସସ୍ମିତା ବେହେରା ଉଦ୍ବୋଧନ ଦେଇଥିବା ବେଳେ ବରିଷ୍ଠ ଶିକ୍ଷକ ଅଭିରାମ ସାହୁ ସଭା ସଂଯୋଜନା ଏବଂ ବରିଷ୍ଠ ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ସେହିପରି କେରାଣ୍ଡିତୋଳା-ନାରାୟଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସୁନୀଲ କୁମାର ଶତପଥୀଙ୍କ ସଭାପତିତ୍ୱରେ ଗୁରୁପୂଜନ ଉତ୍ସବ ଆୟୋଜିତ ହୋଇଥିଲା। ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖି ଗୁରୁଙ୍କ ଆଶୀର୍ବାଦ ନେଇ ଶିକ୍ଷା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ବରିଷ୍ଠ ଶିକ୍ଷୟିତ୍ରୀ ରମା ସାହୁ ଓ ସନ୍ତୋଷ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହାବ୍ୟତୀତ ଟାଙ୍ଗଣାପଲ୍ଲୀ ହରଗୌରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସରପଞ୍ଚ ବି. ସୁଦାମଙ୍କ ନେତୃତ୍ୱରେ ଗୁରୁପୂଜନ ଉତ୍ସବ ପାଳିତ ହୋଇଥିଲା।


