ପବିତ୍ର ଗୁରୁ ଦିବସରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଗଞ୍ଜାମ ଜିଲ୍ଲାପାଳ
ଛତ୍ରପୁର,(ଓ୍ବାଇଏନଏସ): ପବିତ୍ର ଗୁରୁ ଦିବସ ଅବସରରେ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇ ଏକ ନିଆରା ଅନୁଭୂତି ପ୍ରଦାନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାଷନ। ଜିଲ୍ଲାପାଳ ବିଦ୍ୟାଳୟର ସ୍ମାର୍ଟ କ୍ଲାସ୍ରୁମ୍ରେ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ସ୍ମାର୍ଟ ବୋର୍ଡ ଓ ଭିଡିଓ ମାଧ୍ୟମରେ ପାଠ ପଢ଼ାଇଥିଲେ। ଏଥିସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ବିଭିନ୍ନ ସୁବିଧା-ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପରେ ଜିଲ୍ଲାପାଳ ବିଦ୍ୟାଳୟର ସ୍ମାର୍ଟ କ୍ଲାସ୍ରୁମ୍, ଖେଳ ପଡ଼ିଆ, ଲାଇବ୍ରେରୀ ଓ ଲାବୋରେଟୋରୀ ପରିଦର୍ଶନ କରିଥିଲେ। ବିଦ୍ୟାଳୟର ଖେଳ ପଡ଼ିଆର ଉନ୍ନତିକରଣ ସହ ବାଉଣ୍ଡେରୀ ନିର୍ମାଣ ଏବଂ ବିଦ୍ୟାଳୟ ର ସମସ୍ତ ଉନ୍ନତି କାର୍ଯ୍ୟ କରାଯିବ ବୋଲି ସେ ଛାତ୍ରଛାତ୍ରୀଙ୍କୁ କହିଥିଲେ। ଗୁରୁ ଦିବସର ମହତ୍ତ୍ୱ ସମ୍ପର୍କରେ ଜିଲ୍ଲାପାଳ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ସଫଳତା ହିଁ ଗୁରୁମାନଙ୍କ ପାଇଁ ସର୍ବଶ୍ରେଷ୍ଠ ସମ୍ମାନ ରହିବ । ଏଥିସହ ସେ ନିଜ ଛାତ୍ରଜୀବନର ଅନୁଭୂତି ବାଣ୍ଟିବା ସହ ତାଙ୍କ ସଫଳତା ପଛରେ ଗୁରୁମାନଙ୍କ ପ୍ରେରଣା ଓ ଆଶୀର୍ବାଦ ରହିଥିବା କହିଥିଲେ। ଜିଲ୍ଲାପାଳ ନିଜେ ବିଦ୍ୟାଳୟରେ ପାଠ ପଢ଼ାଇବା ଦେଖି ଛାତ୍ରଛାତ୍ରୀମାନେ ବେଶ୍ ଖୁସି ପ୍ରକାଶ କରିଥିଲେ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ପରିଷଦର ସିଡିଓ ସମୀର କୁମାର ଜେନା, ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀ ଅଜୟ କୁମାର ପାତ୍ର, ଛତ୍ରପୁର ବିଡିଓ ସମ୍ବିତ ସଂଗ୍ରାମଜୀତ ସାହୁ ଓ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ରାଜଲକ୍ଷ୍ମୀ ସାମନ୍ତରା ପ୍ରମୁଖ ଉପସ୍ଥିତ ଥିଲେ।


