ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗରେ ଗୁରୁ ପୂଜନ ଉତ୍ସବ
ଖଲ୍ଲିକୋଟ(ଓ୍ବାଇଏନଏସ): ଗୁରୁ ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ହେଉଛି ଗୁରୁ ଦିବସ l ଗୁରୁଙ୍କୁ ସମ୍ମାନ ଓ କୃତଜ୍ଞତା ଜଣାଇବାର ଦିନ l ଏହି ସମ୍ପର୍କ ଓ ପରମ୍ପରା କେତେ ଯେ ପରିବ୍ୟାପ୍ତ ତାହା ଆକଳନ କରିବା କଷ୍ଟକର l ଏହି ପରମ୍ପରାର ଧାରାରେ ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଗୁରୁ ଦିବସ ଉତ୍ସାହର ସହିତ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଭାରତ ରତ୍ନ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ ଘଟିଥିଲା l ପରେ ପରେ ବିଭାଗ ଛାତ୍ର ସୁମନର ନେତୃତ୍ୱରେ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କ ଦ୍ୱାରା ସମୂହ ଗୁରୁ ବନ୍ଦନା ଗାନ କରାଯାଇଥିଲା l ଏହା ସହ ଓଡ଼ିଆ ବିଭାଗର ମଂଚାସୀନ ଗୁରୁ ବିଭାଗ ମୁଖ୍ୟ ତଥା ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ଡ. ଉଷାରାଣୀ ରଥ, ଡ. ବନମାଳୀ ପାଣିଗ୍ରାହୀ, ଡ. ମନୋରଞ୍ଜନ ବିଷୋୟୀ, ଅଧ୍ୟାପିକା ସ୍ଵର୍ଣ୍ଣଲତା ବିଷୋୟୀ ପ୍ରମୁଖଙ୍କ ପଦ ପୂଜନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ଛାତ୍ର ପ୍ରିନ୍ସ ଜେନା ଓ ନନ୍ଦନ ସାହୁଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଏହି ଗୁରୁ ପୂଜନ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ କାଜଲ, ତପସ୍ୱିନୀ, ମଳୟ,ବିଜୟଲକ୍ଷ୍ମୀ, ସୁଜ୍ଞାନୀ,ଓଁକାର,ଜସ୍ମିନ, ଉମାକାନ୍ତ, ଗୌରୀ, ନହସନ, ନମିତା, ପୁଷ୍ପାଞ୍ଜଳି ପ୍ରମୁଖ ଛାତ୍ରଛାତ୍ରୀ ଶିଷ୍ୟର ଚରିତ୍ର ଗଠନ ହେଉ କିମ୍ବା ଉତ୍ତମ ଶିକ୍ଷା ନିମନ୍ତେ ଗୁରୁଙ୍କ ଭୂମିକା କିଭଳି ଗୁରୁତ୍ୱପୂର୍ଣ୍ଣ ତାହା ଉଲ୍ଲେଖ କରିବା ସହ ଗୁରୁଙ୍କୁ ସମ୍ମାନ ଦେଇ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆଗକୁ ବଢ଼ିବା ପାଇଁ କହିଥିଲେ l ଏହା ସହ ମଂଚାସୀନ ବିଭାଗ ମୁଖ୍ୟ ତଥା ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷା ଡ. ରଥ ଗୁରୁ ଦିବସ ପାଳନର ଏହି ପବିତ୍ର ପରମ୍ପରା ୫ ସେପ୍ଟେମ୍ବର ୧୯୬୨ ମସିହାରୁ ଆରମ୍ଭ ହୋଇଥିବା କଥା ଉଲ୍ଲେଖ କରିବା ସହ ମଂଚାସୀନ ଡ. ପାଣିଗ୍ରାହୀ, ଡ. ମନୋରଞ୍ଜନ, ଅଧ୍ୟାପିକା ସ୍ବର୍ଣ୍ଣଲତା ପ୍ରମୁଖ ଗୁରୁମାନେ ନିଜ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ମହାଭାରତୀୟ ପରମ୍ପରାରେ ଗୁରୁ ଶିଷ୍ୟ ସମ୍ପର୍କର ମହନୀୟ ଦିଗ ସମ୍ପର୍କରେ ଉଲ୍ଲେଖ କରି ଛାତ୍ରଛାତ୍ରୀଙ୍କ ମଙ୍ଗଳ କାମନା କରିଥିଲେ l ଏଭଳି ଏକ ସୁନ୍ଦର କାର୍ଯ୍ୟକ୍ରମ ପରିଚାଳନାରେ ବିଭାଗର ବହୁ ଛାତ୍ରଛାତ୍ରୀ ସହଯୋଗ କରିବା ସହ ଶେଷରେ ଛାତ୍ର ସୁମନ ଧନ୍ୟବାଦ ଅର୍ପଣ କରିଥିଲେ l


