ହାଟଡିହି ଉଦ୍ୟାନ କୃଷି ବିଭାଗକୁ ଅଣଦେଖା: ଏଯାଏ ନିର୍ମାଣ ହୋଇପାରୁନି ସ୍ଥାୟୀ ଘର

ହାଟଡିହି (ଓ୍ବାଇଏନଏସ): ଉଦ୍ୟାନ କୃଷି ବିଭାଗ ଜରିଆରେ ଚାଷୀଙ୍କ ଆର୍ଥିକ ସ୍ଥିତି ସଜାଡ଼ିବାକୁ ରାଜ୍ୟ ସରକାର ବିଭିନ୍ନ ଯୋଜନା କରିଛନ୍ତି । ନଡ଼ିଆ, କଦଳୀ, କାଜୁ, ଭଳି ଚାଷ ସମେତ ବିଭିନ୍ନ ଯୋଜନାକୁ ଚାଷୀଙ୍କ ପାଖରେ ପହଞ୍ଚାଇବା, କୃଷି ପ୍ରକଳ୍ପକୁ ସଫଳ କରାଇବା ତଥା ଚାଷୀଙ୍କୁ ରିହାତି ଦରରେ ବିହନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇବା ଦାୟିତ୍ବ ଉଦ୍ୟାନ କୃଷି ବିଭାଗ ଉପରେ ନ୍ୟସ୍ତ । ଏଥିପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ରେ ୩୦ବର୍ଷରୁ ଉର୍ଦ୍ଧ ସମୟ ହେଲା ଏହି ବିଭାଗର ସରକାରୀ କାର୍ଯ୍ୟାଳୟ କେଉଁଠି ଅଛି ବୋଲି ସାଧାରଣ ଚାଷୀ ଜାଣିନାହାନ୍ତି | ହାଟଡିହି ପାଇଁ ଅଧିକାରୀ ନିଯୁକ୍ତି ପାଇଥିଲେ ବି କାର୍ଯ୍ୟାଳୟ ଆନନ୍ଦପୁରରେ ଚାଲୁଥିବାରୁ  ଚାଷୀମାନେ ଆନନ୍ଦପୁର ଯାଇ ଅଫିସ ଖୋଜି ଅଧିକାରୀଙ୍କୁ ପାଇବା କଷ୍ଟକର ହୋଇପଡୁଛି ହାଟଡିହି ବ୍ଲକ୍‌ରେ ଉଦ୍ୟାନ କୃଷି ବିଭାଗ ୧୯୯୦ ମସିହାରୁ କାର୍ଯ୍ୟ କରୁଛି। ହେଲେ ୩୬ ବର୍ଷ ମଧ୍ୟରେ କେତେବେଳେ କେଉଁ ଅଧିକାରୀ କେଉଁଠି ରହୁଛନ୍ତି କେଉଁଠି ଅଫିସ୍ ଚଳାଉଛନ୍ତି ତାହା ସାଧାରଣ ଲୋକେ ଜାଣି ପାରୁନାହାନ୍ତି। ୨୦୧୧ମସିହାରେ ହାଟଡିହିରେ ଉଦ୍ୟାନ କୃଷି ଅଫିସ ଗୃହ ନିର୍ମାଣ ପାଇଁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କା ମଞ୍ଜୁର କରିବା ପରେ ହାଟଡିହି ଅଞ୍ଚଳରେ ଜମି ଯୋଗାଇଦେବା ପାଇଁ ତହସିଲଦାରଙ୍କୁ ଚିଠି କରାଯାଇଥିଲା। କିନ୍ତୁ ୧୫ ବର୍ଷ ପରେବି ଏଥିପାଇଁ ତହସିଲ ପକ୍ଷରୁ ଜମି ଯୋଗାଇ ଦିଆଗଲା ନାହିଁ। ଏନେଇ ପଞ୍ଚାୟତ ସମିତି ବୈଠକରେ ଉଦ୍ୟାନ କୃଷି କାର୍ଯ୍ୟାଳୟ ପାଇଁ ବ୍ଲକ୍ ତରଫରୁ ଗୃହ ଯୋଗାଇ ଦେବାକୁ ବାରମ୍ବାର ପ୍ରସ୍ତାବ ଦିଆ ଯାଉଛି। ହେଲେ ତାହା କାର୍ଯ୍ୟକାରୀ ହେଉ ନାହିଁ । ଏପରିକି ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ବିମ୍ବାଧର ବିଶ୍ୱାଳ ବାରମ୍ବାର ପ୍ରଶ୍ନ ଉଠାଇ କାର୍ଯ୍ୟାଳୟ ନିର୍ମାଣ ଲାଗି ଦାବି କରୁଥିଲେ ବି କିଛି ସୁଫଳ ମିଳି ପାରିନି। ଏବେ ଏଠାରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ  ଭାବେ ଅଙ୍କିତା ମିଶ୍ର କାର୍ଯ୍ୟ କରୁଛନ୍ତି। ହେଲେ ସେ ଆନନ୍ଦପୁର ଅଫିସରେ  ବସି କାମ କରୁଛନ୍ତି। ବ୍ଲକ କାର୍ଯ୍ୟାଳୟ ପରିସରରେ ବ୍ଲକ ତରଫରୁ ଏକ ରୁମ ଯୋଗାଇ ଦିଆଯାଇ କାର୍ଯ୍ୟାଳୟ ଖୋଲିବାକୁ ପଞ୍ଚାୟତ ସମିତି ବୈଠକରେ ପ୍ରସ୍ତାବ ଦିଆଯାଇଥିଲେ ବି ତାହା କାର୍ଯ୍ୟକାରୀ ହେଉନି। ଯାହାଦ୍ୱାରା ଚାଷୀ ମାନେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଜାଣି ପାରୁନାହାନ୍ତି। କିଛି ଦଲାଲ ଏହାର ଫାଇଦା ଉଠାଉଛନ୍ତି। ସେମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରାଇ ଦେବା ନାଁ ରେ ଚାଷୀ ଙ୍କ ଠାରୁ ବଟି ଆଦାୟ କରି ମାଲେ ମାଲ ହେଉଛନ୍ତି। ଆଜି ପର୍ଯ୍ୟନ୍ତ ହାଟଡିହି ଠାରେ କାର୍ଯ୍ୟାଳୟ ପାଇଁ ଜମି ଚି଼ହ୍ନଟ ନହେବା ଓ ଗୃହ ନିର୍ମାଣ  ନ ହେବା ପ୍ରଶାସନର ଦାୟିତ୍ବହୀନତାକୁ ଦର୍ଶାଉଛି ।  ଏ ବିଷୟରେ ଏଏଚ୍ଓ ଅଙ୍କିତା ମିଶ୍ରଙ୍କୁ ପଚାରିବାରୁ ସେ ହାଟଡିହି ରେ ଅଫିସ ଚଳାଇବା ସମ୍ଭବ ନୁହେଁ। ମୁଁ ଜଣେ ମାତ୍ର ଅଧିକାରୀ ଅଛି, କେହି କର୍ମଚାରୀ ନାହାନ୍ତି, ତେଣୁ ଆନନ୍ଦପୁର ଅଫିସରେ ବସି କାମ ଚଳାଉଛି। ଅଫିସ କାମ, ଚାରା ବଣ୍ଟନ ଆଦି କରିବା ଜଣେ ଲୋକପାଇଁ ସମ୍ଭବ ପର ହେବନି ବୋଲି କହିଛନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଦିଗରେ ପଦକ୍ଷେପ ନେବାକୁ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ