ସମ୍ବଲପୁର ମହାନଗର ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ,(ଓ୍ବାଇଏନଏସ): ସମ୍ବଲପୁର ପୌର ନିଗମ ନିର୍ବାଚନ ପାଇଁ ବାଟ ଫିଟିଛି। ୨୦୧୫ରୁ ହାଇକୋର୍ଟରେ ବିଚାରାଧୀନ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସଂରକ୍ଷଣ ନିୟମ ଉଲ୍ଲଂଘନ କରି ନବ ଗଠିତ ସମ୍ବଲପୁର ପୌର ନିଗମ ୱାର୍ଡ ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ କରାଯାଇଥିବା ଅଭିଯୋଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ୱାର୍ଡ ସଂରକ୍ଷଣ ସଂପର୍କିତ ବିଜ୍ଞପ୍ତିକୁ ହାଇକୋର୍ଟ ରଦ୍ଦ କରିଛନ୍ତି। ସଂରକ୍ଷଣ ୫୦ ପ୍ରତିଶତ ଭିତରେ ସୀମିତ ରଖି ତଥା ସଂରକ୍ଷଣ ନିୟମାବଳୀ ପାଳନ କରି ସମ୍ବଲପୁର ପୌର ନିଗମର ୱାର୍ଡ ସଂରକ୍ଷଣ ନେଇ ସାନି ବିଜ୍ଞପ୍ତି ୬ ସପ୍ତାହ ଭିତରେ ପ୍ରକାଶ କରିବା ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ଅଜୟ କୁମାର ମହାନ୍ତିଙ୍କ ତରଫରୁ ଦାୟର ଆବେଦନର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି। ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲର ଶଣାଣି କରି ଏପରି ରାୟ ପ୍ରଦାନ କରିଛନ୍ତି। ନବଗଠିତ ସମ୍ବଲପୁର ପୌର ନିଗମ ପାଇଁ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାର ୱାର୍ଡ ସଂରକ୍ଷଣ ନେଇ ବିଜ୍ଞପ୍ତି ଜାରି କରିଥିଲେ। ୫୦ ପ୍ରତିଶତରୁ ଅଧିକ ୱାର୍ଡ ସଂରକ୍ଷିତ ବର୍ଗଙ୍କ ପାଇଁ ରଖାଯାଇ ପ୍ରକାଶିତ ବିଜ୍ଞପ୍ତି କରାଯାଇଥିଲା ଅଭିଯୋଗ ହୋଇଥିଲା। ସଂରକ୍ଷଣ ନିୟମ ଅନୁସାରେ ୫୦ ପ୍ରତିଶତରୁ ଅଧିକ ସଂରକ୍ଷଣ ପ୍ରଦାନ କରାଯାଇ ପାରିବ ନାହିଁ। ଏପରି କରାଯିବା ସୁପ୍ରିମକୋର୍ଟଙ୍କ ରାୟର ଉଲ୍ଲଂଘନ ବୋଲି ଦର୍ଶାଇ ହାଇକୋର୍ଟରେ ଅଜୟ କୁମାର ମହାନ୍ତି ମାମଲା ଦାୟର କରିଥିଲେ। ୨୦୧୫, ଏପ୍ରିଲ ୨ରେ ହାଇକୋର୍ଟ ମାମଲାର ପ୍ରାରମ୍ଭିକ ଶୁଣାଣି କରି ଏପରି ଏହି ପ୍ରସଂଗରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ଏହି ମାମଲା ବିଚାରାଧୀନ ଥିବା ବେଳେ ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ପାଇଁ ସମ୍ବଲପୁର ପୌର ନିଗମ ନିର୍ବାଚନ ହୋଇ ପାରୁ ନଥିଲା। ମାମଲାରେ ସମ୍ବଲପୁର ପୌରାଞ୍ଚଳର ପ୍ରକାଶ କୁମାର ଶତପଥୀ ଇଣ୍ଟରଭେନର ଭାବେ ପକ୍ଷଭୁକ୍ତ ହୋଇଥିଲେ। ଆଜି ମାମଲାର ଚୂଡାନ୍ତ ପର୍ଯ୍ୟାୟ ଶୁଣାଣି ହୋଇଥିଲା। ସୂଚନାଯୋଗ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ୨୦୧୩, ସେପ୍ଟେମ୍ବର ୧୫ରେ ସମ୍ବଲପୁର ପୌର ନିଗମ ଗଠନ ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲା। ହୀରାକୁଦ ଏନଏସି, ବୁର୍ଲା ଏନଏସି ଓ ୧୨ଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ ହୋଇଥିଲା ସମ୍ବଲପୁର ମହାନଗର ନିଗମ। ଆଶା ଥିଲା ଜନପ୍ରତିନିଧି ଆସିବେ ଆଉ ଲୋକଙ୍କ ସମସ୍ୟାର ସମାଧାନ ହେବ। ସମ୍ବଲପୁର ପୌରାଞ୍ଚଳର ବାସିନ୍ଦା ମୌଳିକ ସୁବିଧା ପାଇବେ। କିନ୍ତୁ ପୌର ନିଗମର ନବ ଗଠିତ ୱାର୍ଡ ଗୁଡ଼ିକକୁ ନେଇ ପ୍ରକାଶିତ ସଂରକ୍ଷଣ ବିଜ୍ଞପ୍ତିକୁ ନେଇ ବିବାଦ ଦେଖା ଦେଇଥିଲା। ଆଇନଗତ ବିବାଦ ଭିତରେ ସମ୍ବଲପୁର ପୌର ନିଗମ ନିର୍ବାଚନ ହୋଇ ପାରୁ ନଥିଲା। ୧୧ ବର୍ଷ ଧରି ଅଟକି ରହିଥିବା ସମ୍ବଲପୁର ମହାନଗର ନିଗମର ନିର୍ବାଚନ ନେଇ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ ରାୟ l ସମ୍ବଲପୁର ମହାନଗର ନିଗମର ୱାର୍ଡ ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତିକୁ ରଦ୍ଧ କରିଛନ୍ତି ହାଇକୋର୍ଟ। ୨୦୧୫ରେ ଜାରି ହୋଇଥିବା ବିଜ୍ଞପ୍ତିକୁ ରଦ୍ଧ କରିଛନ୍ତି ହାଇକୋର୍ଟ। ଏଥିସହ ଆସନ୍ତା ୬ ସପ୍ତାହ ମଧ୍ୟରେ ସଂରକ୍ଷଣ ଆଇନ ଆଧାରରେ ସାନି ବିଜ୍ଞପ୍ତି ଜାରି କରିବାକୁ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି, ହାଇକୋର୍ଟ l ସଂରକ୍ଷଣ ଆଇନର ଉଲ୍ଲଙ୍ଘନ ନେଇ ଦାୟର ହୋଇଥିଲା ମାମଲା। ୧୧ ବର୍ଷ ହେଲା କୋର୍ଟରେ ଅଟକି ରହିଥିବା ସମ୍ବଲପୁର ମହାନଗର ନିଗମ ନିର୍ବାଚନ ପାଇଁ ଶେଷରେ ବାଟ ଫିଟିଛି l ୱାର୍ଡ ସଂରକ୍ଷଣ ସମ୍ପର୍କିତ ବିଜ୍ଞପ୍ତିକୁ ରଦ୍ଧ କରିବା ସହ ସମ୍ବଲପୁର ମହାନଗର ନିଗମର ନିର୍ବାଚନ ନେଇ ବାଟ ଫିଟିଛି। ସୂଚନାଯୋଗ୍ୟ ଯେ, 11 ବର୍ଷ ହେଲା କୋର୍ଟରେ ଅଟକି ରହିଥିଲା, ସମ୍ବଲପୁର ମହାନଗର ନିଗମର ନିର୍ବାଚନ। ସମ୍ବଲପୁର ସହର ମ୍ୟୁନିସିପାଲିଟି ଥିବାବେଳେ ୨୦୦୮ ମସିହାରେ ଶେଷ ନିର୍ବାଚନ ହୋଇଥିଲା। ଏହାପରେ ୧୫ ନଭେମ୍ବର, ୨୦୧୩ ମସିହାରେ ତତ୍କାଳୀନ ବିଜେଡି ସରକାର ନୋଟିଫିକେସନ ନମ୍ବର- ୩୨୯୪୯ /HUD,Dt. ୧୫,November, ୨୦୧୩ରେ ସମ୍ବଲପୁର ସହରକୁ ବିଧିବଦ୍ଧ ଭାବେ ମହାନଗର ନିଗମର ମାନ୍ୟତା ଦେଇଥିଲେ। ଏଥିପାଇଁ ସେତେବେଳେ ସମ୍ବଲପୁର ସହ ବୁର୍ଲା, ହୀରାକୁଦ ଓ ଧନକଉଡ଼ାର ୭ଟି ଓ ମାନେଶ୍ବରର 5ଟି ପଞ୍ଚାୟତକୁ ସମ୍ମିଳିତ କରାଯାଇ ମହାନଗର ନିଗମ ଗଠନ କରାଯାଇ ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣର ବ୍ୟବସ୍ଥା କରାଯାଇଥିଲା। ତେବେ ସେତେବେଳେ ବୁର୍ଲା ସହରର ୱାର୍ଡ ନମ୍ବର ୪ର ଜଣେ ନିବାସୀ ତଥା କେନ୍ଦ୍ର ସରକାରଙ୍କ CWCର ଜଣେ ଅବସରପ୍ରାପ୍ତ କର୍ମଚାରୀ ଅଜୟ କୁମାର ମହାନ୍ତି, ମହାନଗର ନିଗମର ୱାର୍ଡ ପୁନର୍ଗଠନ ଓ ସଂରକ୍ଷଣ ବ୍ୟବସ୍ଥା ନେଇ ଅସନ୍ତୋଷ ପ୍ରକାଶ କରି ଏହା ତ୍ରୁଟିପୂର୍ଣ୍ଣ କହି ହାଇକୋର୍ଟରେ ଏକ ଜନ ସ୍ୱାର୍ଥ ମାମଲା ରୁଜୁ କରିଥିଲେ l ଫଳରେ ନିର୍ବାଚନ ଉପରେ ହାଇକୋର୍ଟ ଏପ୍ରିଲ ପ୍ରଥମ ସପ୍ତାହ ୨୦୧୪ରେ ରୋକ ଲଗାଇ ଦେଇଥିଲେ ଓ ଏହା ଉପରେ ରାଜ୍ୟ ସରକାର ଉତ୍ତର ରଖିବାକୁ ନୋଟିସ କରିଥିଲେ। ଅଭିଯୋଗ କାରୀ ଉଲ୍ଲେଖ କରିଥିଲେ ଯେ, ସମ୍ବଲପୁର ମହାନଗର ନିଗମର ୱାର୍ଡ ନମ୍ବର ୪ରେ ଏସଟି, ଏସସି ବର୍ଗର ଲୋକଙ୍କ ଠାରୁ ସାଧାରଣ ବର୍ଗର ଲୋକଙ୍କ ସଂଖ୍ୟା ଅଧିକ ରହିଛି। କିନ୍ତୁ ସେହି ହିସାବରେ ସଂରକ୍ଷଣ ବ୍ୟବସ୍ଥା ହୋଇ ନାହିଁ l ତେଣୁ ନୋଟିଫିକେସନ ଜାରି ପୂର୍ବରୁ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣିବାର ଆବଶ୍ୟକ ଥିଲା ବୋଲି ପିଟିସନ ଦାୟର କରିଥିବା ଅଜୟ ମହାନ୍ତି ଉଲ୍ଲେଖ କରିଥିଲେ। ଏହା ପରଠାରୁ ତତ୍କାଳୀନ ରାଜ୍ୟ ସରକାର ଏନେଇ କୌଣସି ଠୋସ୍ ପଦକ୍ଷେପ ନେଇନଥିଲେ। ଫଳରେ ନିର୍ବାଚନ ଆଜି ପର୍ଯ୍ୟନ୍ତ ହୋଇ ପାରି ନାହିଁ। ଦୀର୍ଘ ବର୍ଷ ହେଲା ଏହାକୁ ବିଜେପି ଏକ ରାଜନୈତିକ ପ୍ରସଙ୍ଗ କରି ଆସୁଥିବା ବେଳେ ତତ୍କାଳୀନ ବିଜେଡି ସରକାର ମାମଲା ବିଚାରାଧୀନ ଅଛି କହି ନିଜର ଦୋଷ ଝାଡୁଥିଲେ। ମୁଖ୍ୟତଃ ୨୦୧୪ ମସିହାରେ ଯେତେବେଳେ ସମ୍ବଲପୁର ମହାନଗର ନିଗମ ଗଠନ ହେଲା ସେତେବେଳେ ରେଙ୍ଗାଲି ବିଧାନସଭା ସିଟ୍ ର ଧନକଉଡ଼ା ବ୍ଲକର ୭ଟି ପଞ୍ଚାୟତ ଓ ମାନେଶ୍ବର ବ୍ଲକର ୫ଟି ପଞ୍ଚାୟତକୁ ସମ୍ବଲପୁରରେ ମିଶ୍ରଣ କରାଯାଇଥିଲା। ସେତେବେଳେ ୧୧ଟି ପଞ୍ଚାୟତର ସରପଞ୍ଚ ନିଜର ପଦ ହରାଇଥିଲେ। ତେବେ ମହାନଗରରେ ମିଶିବା ପରେ ମଧ୍ୟ ୧୧ ବର୍ଷ ହେଲା ମହାନଗର ନିର୍ବାଚନ ନହେବାରୁ ଏହି ଅଞ୍ଚଳବାସୀ ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଆସୁଥିବା ଅଭିଯୋଗ ହୋଇ ଆସୁଛି।