ଶିକ୍ଷକ ପଦୋନ୍ନତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ଅନ୍ତରୀଣ ରୋକ
କଟକ, (ଓ୍ବାଇଏନଏସ): କଟକ ଜିଲ୍ଲାରେ ଏଲିମେଣ୍ଟାରି କ୍ୟାଡର ଶିକ୍ଷକଙ୍କ ଲେଭେଲ୍-୪ରୁ ଲେଭେଲ୍-୩କୁ ପଦୋନ୍ନତି ପ୍ରକ୍ରିୟା ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରୋକ ଲଗାଇଛନ୍ତି। ଆସନ୍ତା ନଭେମ୍ବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବା ପର୍ଯ୍ୟନ୍ତ କୌଣସି ପଦୋନ୍ନତି ଆଦେଶ ଜାରି ନ କରିବାକୁ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ୍ ଆର୍.କେ. ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ କଣ୍ଟାପଡ଼ା ବ୍ଲକର ଶିକ୍ଷକ ଅଶୋକ ମହାପାତ୍ରଙ୍କ ପକ୍ଷରୁ ଦାୟର ଅନ୍ତରୀଣ ଆବେଦନର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମାମଲାରେ ରାଜ୍ୟ ସରକାରଙ୍କୁ ପକ୍ଷ ରଖିବାକୁ ମଧ୍ୟ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରୁ ପ୍ରକାଶ, ଆବେଦନକାରୀ ଅଶୋକ ମହାପାତ୍ର ୨୦୦୧ ମସିହା ସେପ୍ଟେମ୍ବର ୩ ପୂର୍ବରୁ ନିଯୁକ୍ତି ପାଇଥିଲେ।ବର୍ତ୍ତମାନ ସେ କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ଏକ ବିଦ୍ୟାଳୟରେ ଲେଭେଲ୍-୪ ପ୍ରଧାନଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି।ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ, ୨୦୦୧ ମସିହା ସେପ୍ଟେମ୍ବର ୩ ପୂର୍ବରୁ ନିଯୁକ୍ତ ହୋଇଥିବା ଶିକ୍ଷକଙ୍କ କ୍ଷେତ୍ରରେ ଲେଭେଲ୍-୪ରୁ ଲେଭେଲ୍-୩କୁ ପଦୋନ୍ନତି ପାଇଁ ଓଟିଇଟି ପାସ୍କୁ ବାଧ୍ୟତାମୂଳକ ସର୍ତ୍ତ ଭାବେ ଲାଗୁ କରାଯାଇପାରିବ ନାହିଁ ବୋଲି ଦର୍ଶାଇ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଗତ ସେପ୍ଟେମ୍ବର ୧ ତାରିଖରେ ମାମଲାର ଶୁଣାଣି କରି ହାଇକୋର୍ଟ କଟକ ଜିଲ୍ଲାର ଚୂଡ଼ାନ୍ତ ଗ୍ରେଡେସନ୍ ତାଲିକା ପ୍ରକାଶ ନ ହେବା ପର୍ଯ୍ୟନ୍ତ କୌଣସି ପଦୋନ୍ନତି ନ ଦେବାକୁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ।ତେବେ ଏହି ନିର୍ଦ୍ଦେଶ ଉଲ୍ଲଂଘନ କରି ଏବଂ ଚୂଡ଼ାନ୍ତ ଗ୍ରେଡେସନ୍ ତାଲିକା ପ୍ରକାଶ ନ କରି ପଦୋନ୍ନତି ପାଇଁ ଡିଏଲ୍ପିସି ବୈଠକ ଡାକିବା ନିମନ୍ତେ କଟକ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ସେପ୍ଟେମ୍ବର ୨୧ରେ ଚିଠି ଜାରି କରାଯାଇଥିବା ଆବେଦନକାରୀ ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ଆବେଦନକାରୀ ହାଇକୋର୍ଟରେ ଅନ୍ତରୀଣ ଆବେଦନ ଦାୟର କରିଥିଲେ। ମାମଲାର ଶୁଣାଣି କରି ଅଦାଲତ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କଟକ ଜିଲ୍ଲାରେ ଲେଭେଲ୍-୪ରୁ ଲେଭେଲ୍-୩କୁ ଶିକ୍ଷକଙ୍କ ପଦୋନ୍ନତି ପ୍ରକ୍ରିୟା ଉପରେ ଅନ୍ତରୀଣ ଅଙ୍କୁଶ ଜାରି କରିଛନ୍ତି।


