ଐତିହାସିକ ବାଲିଯାତ୍ରା କଟକ -୨୦୨୫ ପ୍ରସ୍ତୁତି ବୈଠକ : ନଭେମ୍ବର ୫ରୁ ୧୨ ତାରିଖ ଏ ବର୍ଷର ବାଲିଯାତ୍ରା
କଟକ, (ଓ୍ବାଇଏନଏସ): କଟକ ଜିଲ୍ଲା ତଥା ରାଜ୍ୟର ପ୍ରାଚୀନ କଳା, ହସ୍ତଶିଳ୍ପ, ସଂସ୍କୃତି ଏବଂ ସାମୁଦ୍ରିକ ଐତିହ୍ୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଚଳିତ ବର୍ଷ ନଭେମ୍ବର ୫ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ବାଲିଯାତ୍ରା, କଟକ ଉତ୍ସବ-୨୦୨୫ ଅନୁଷ୍ଠିତ ହେବ । ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହଠାରେ ଆଜି ଅନୁଷ୍ଠିତ ଐତିହାସିକ ବାଲିଯାତ୍ରା କଟକ -୨୦୨୫ ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ଏବଂ ଜିଲ୍ଳା ମାଜିଷ୍ଟ୍ରେଟ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଚଳିତ ବର୍ଷ ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରାଯିବା ସହ ଜନସାଧାରଣଙ୍କ ଧନଜୀବନ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି । ତେବେ ଚଳିତ ବର୍ଷ ବାଲିଯାତ୍ରା କେବଳ ତଳ ପଡିଆରେ କରାଯିବାକୁ ସ୍ଥିର କରାଯାଇଛି । ପୂର୍ବରୁ ୩୪ ଏକର ପରିମିତ ସ୍ଥାନରେ ବାଲିଯାତ୍ରା ଆୟୋଜିତ ହେଉଥିବାବେଳେ ଚଳିତ ବର୍ଷ କେବଳ ତଳ ପଡିଆରେ ୬୦ ଏକର ସ୍ଥାନରେ ବାଲିଯାତ୍ରା ଅନୁଷ୍ଠିତ ହେବ । ଏଥିପାଇଁ ରାଜ୍ୟ ସରକାରଙ୍କଠାରୁ ଅନୁମତି ଅଣାଯାଇସାରିଛି । ଏନଜିଟିର ଆଦେଶ ସହ ଉଚ୍ଚ ନ୍ୟାୟାଳୟର ନିୟମାବଳୀ ଅନୁଯାୟୀ ବାଲିଯାତ୍ରା ପରିଚାଳନାର ସମସ୍ତ ଦିଗକୁ ଦୃଷ୍ଟିରେ ରଖି ବାଲିଯାତ୍ରାର ସୂଚାରୁ ପରିଚାଳନା ନିମନ୍ତେ ବିଭିନ୍ନ କମିଟିମାନ ଗଠନ କରାଯାଇଛି । ଏଥିସହ ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ପାଇଁ ଲାଗାତାର ତୃତୀୟ ବର୍ଷ ନିମନ୍ତେ ଚଳିତ ଥରର ବାଲିଯାତ୍ରା ସମ୍ପର୍କିତ ରିପୋର୍ଟ ୟୁନେସ୍କୋକୁ ପଠାଯିବ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବାଲିଯାତ୍ରା କୋର କମିଟି ଗଠନ କରାଯାଇଥିବାବେଳେ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କ ଅଧ୍ୟକ୍ଷତାରେ ଜମି ଆବଂଟନ କମିଟି, ଅତିରିକ୍ତ ଜିଲ୍ଲାପାଳ ଉନ୍ନୟନଙ୍କ ଅଧ୍ୟକ୍ଷତାରେ ସାଂସ୍କୃତିକ କମିଟି, ଅତିରିକ୍ତ ଜିଲ୍ଲାପାଳ ସାଧାରଣଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ପରିଚାଳନା ଓ ଟେଣ୍ଡର କମିଟି, ଉପଜିଲ୍ଳାପାଳ କଟକ ସଦରଙ୍କ ଅଧ୍ୟକ୍ଷତାରେ ଗଣମାଧ୍ୟମ ସମନ୍ୱୟ କମିଟି କାର୍ଯ୍ୟ କରିବ । ଏହାବ୍ୟତୀତ ଅତିଥି ଅଭ୍ୟର୍ଥନା କମିଟି, ଗମନାଗମନ କମିଟି, ଅତିଥି ଓ କଳାକାରମାନଙ୍କ ରହଣି ସମ୍ପର୍କିତ କମିଟି, ସ୍ପନଶରସିପ କମିଟି, ପାର୍କିଂ କମିଟି, ଷ୍ଟେଜ ମ୍ୟାନେଜମେଂଟ କମିଟି, ଏନଫୋର୍ସମେଂଟ କମିଟି, ଯାଂଚ ଓ ସୁରକ୍ଷା କମିଟି ଏବଂ ପରିଛନ୍ନତା, ବୈଦ୍ୟୁତିକ ନିରାପତା, କେମିକାଲ ଡଷ୍ଟିଂ କମିଟି ଆଦି ବିଭିନ୍ନ କମିଟିମାନ ଗଠନ କରାଯାଇଛି । ବୈଦ୍ୟୁତିକ ସୁରକ୍ଷା, ମଂଚ ଓ ଭିତିଭୂମୀ ସୁରକ୍ଷା, ଅଗ୍ନିଶମ ସୁରକ୍ଷାକୁ ସୁନିଶ୍ଚିତ କରାଇବା, ଦୋଳି ଓ ଅନ୍ୟାନ୍ୟ ମନୋରଞ୍ଜନ ଭିତିକ ସରଞ୍ଜାମର ସୁରକ୍ଷା ପ୍ରମାଣପତ୍ର ସହ ତୃତୀୟ ପକ୍ଷ ବୀମା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଳାପାଳ କହିଛନ୍ତି । ଇଂଟିଗ୍ରେଟେଡ େଓ୍ବବସାଇଟ ମାଧ୍ୟମରେ ବାଲିଯାତ୍ରା ସମ୍ପର୍କିତ ସମସ୍ତ ତଥ୍ୟ ଉପଲବ୍ଧ କରାଯିବାର ବ୍ୟବସ୍ଥା କରାଯାଇଛି । ଆଇନ ଶୃଙ୍ଖଳା, ଗମନାଗମନ, ଯାତାୟତ, ଯାନବାହନ ନିୟନ୍ତ୍ରଣ, ଗାଡି ରହଣୀ ସ୍ଥଳ, ସ୍ୱଚ୍ଛତା, ବିଦ୍ୟୁତ୍ ଯୋଗାଣ, ପଡିଆ ସମତୁଲ କରିବା, ଖାଦ୍ୟ ସୁରକ୍ଷା, ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଓ ଅସ୍ଥାୟୀ ଶୌଚାଳୟ ନିର୍ମାଣ ଆଦି ଦିଗରେ ଗତବର୍ଷର ଅଭିଜ୍ଞତାକୁ ଭିତିକରି ଅଦବକ ଉନ୍ନତ ମାନର କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ବାଲିଯାତ୍ରାର ଅନ୍ତତଃ ୨୦ ଦିନ ପୂର୍ବରୁ ସମସ୍ତ ବିଭାଗ ନିଜ ନିଜର କାର୍ଯ୍ୟ ସମ୍ବନ୍ଧୀୟ ନୀଳନକ୍ସା ପ୍ରସ୍ତୁତ କରିନେବାକୁ ଜିଲ୍ଳାପାଳ ପରାମର୍ଶ ଦେଇଛନ୍ତି । ଜାଗା ଆବଂଟନ ନିମନ୍ତେ ଅନଲାଇନ୍ ମାଧ୍ୟମରେ ଆବେଦନ କରାଯାଇପାରିବ । ବିଭିନ୍ନ ବିଷୟ ଯାଂଚ କରିବା ପାଇଁ ଆଠଗଡ ଉପଜିଲ୍ଳପାଳଙ୍କ ନେତୃତ୍ୱରେ ଏନଫୋର୍ସମେଂଟ ଟିମ ଗଠନ କରାଯାଇଛି । ଗ୍ରୀନ୍ କରିଡର, ପାର୍କିଂ ବ୍ୟବସ୍ଥା, ଖାଦ୍ୟ ପଦାର୍ଥର ମାନ ଯାଂଚ, ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ଉପଲବଧ କରାଇବା ଆଦି ଉପରେ ଗୁରୁତ୍ୱ ଦିଆଯାଇଛି । ଗ୍ରୀନ୍ କରିଡରର ଦୁଇ ପାଶ୍ୱର୍ରେ ଉଠା ଦୋକାନୀମାନଙ୍କୁ ବସିବାକୁ ନ ଦେଇ ଅନ୍ୟତ୍ର ସ୍ୱତନ୍ତ୍ର ସ୍ଥାନ ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଉଭୟ ଗଣକବି ବୈଷ୍ଣବ ପାଣି ମଂଚ ଓ ଅକ୍ଷୟ ମହାନ୍ତି ମଂଚରେ କଳାକାରଙ୍କ ଲୋକପ୍ରିୟତା ଦୃଷ୍ଟିରୁ ସମାନ୍ତରାଳ ଭାବେ ସାଂସ୍କୃତିକ ଏବଂ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯିବ । ଯାହାଫଳରେ କୌଣସି ଗୋଟିଏ ମଂଚ ନିକଟରେ ଅଧିକ ଜନଗହଳି ଦେଖିବାକୁ ମିଳିବ ନାହିଁ । ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବାକୁ ଚାହୁଁଥିବା ଅନୁଷ୍ଠାନ ସୋସାଇଟି ରେଜିଷ୍ଟ୍ରେସନ୍ ଆକ୍ଟରେ ପଞ୍ଜିକୃତ ହୋଇଥିବା ବାଧ୍ୟତାମୂଳକ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଆବଶ୍ୟକ । ଆବେଦନକାରୀ cuttack.odisha.gov.in ୱେବସାଇଟରୁ ଆବେଦନ ଫର୍ମ ଡାଉନଲୋଡ କରି dco.ctc@gmail.com/dco.ctc@gov.in ରେ ପ୍ରେରଣ କରିପାରିବେ କିମ୍ବା ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟରେ ସିଧାସଳଖ ଦାଖଲ କରିପାରିବେ । ଚଳିତବର୍ଷ ରାତି ୧୧ଟା ପର୍ଯ୍ୟନ୍ତ ବାଲିଯାତ୍ରା ପଡିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ଜିଲ୍ଳାପାଳ କହିଛନ୍ତି । ଚଳିତଥର ଓରମାସରେ ସୁରକ୍ଷାକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଓରମାସରେ କେବଳ ସମ୍ମତି ହାସଲ କରିଥିବା ବ୍ୟବସାୟୀମାନଙ୍କୁ ବ୍ୟବସାୟ ନିମନ୍ତେ ଅନୁମତି ପ୍ରଦାନ କରାଯିବ । କେବଳ ଓରମାସରେ ଗତ ବର୍ଷର ବିକ୍ରିବଟା ୫୦କୋଟିରୁ ଉର୍ଦ୍ଧ୍ୱ ହୋଇଥିବାବେଳେ ଚଳିତ ବର୍ଷ ୭୦ରୁ ୭୫ କୋଟିକୁ ବୃଦ୍ଧି କରାଯିବା ଲକ୍ଷ୍ୟ ରଖାଯାଇଛି । ଓରମାସ ମଧ୍ୟରେ କେଉଁ ଷ୍ଟଲ କେଉଁଠି ରହିଛି, ସେ ସମ୍ପର୍କରେ କ୍ୟୁ ଆର କୋଡ ସ୍କାନ କରି ଜାଣିହେବ । ଗ୍ରୀନ୍ କରିଡରରେ ୨୪ ଘଂଟିଆ କଟକଣା ବଜାୟ ରହିବ । ଯାହାଫଳରେ ଦିନବେଳା ମଧ୍ୟ ପଡିଆ ଭିତରକୁ କେହି ଅନଧିକୃତ ଭାବେ ଚାରିଚକିଆ ଯାନ ନେଇ ପ୍ରବେଶ କରିପାରିବେ ନାହିଁ । ଅନୈତିକ ପାର୍କିଂକୁ ଏଡାଇବା ପାଇଁ ବ୍ୟବସ୍ଥା କରାଯିବା ସହ, ପୂର୍ବରୁ ବ୍ୟବହୃତ ହେଉଥିବା ପାର୍କିଂ ସହିତ ଆବଶ୍ୟକ ସ୍ଥଳେ ପାର୍କିଂ ସ୍ଥାନ ବୃଦ୍ଧି କରାଇବା ଏବଂ ଏଥିନିମନ୍ତେ ନିର୍ଦ୍ଧାରିତ ପାର୍କିଂ ସହ କୃଟ(CRUT)ର ଛୋଟ ଓ ମଧ୍ୟମ ଧରଣର ବସଗୁଡିକୁ ଚଳାଚଳ କରାଯିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି । ପାର୍କିଂ ସ୍ଥାନରୁ ବାଲିଯାତ୍ରା ପଡିଆ ପର୍ଯ୍ୟନ୍ତ ନେବାଆଣିବା ପାଇଁଅତି କମରେ ୪୦ଟି ବସ୍ ସେବା ଯୋଗାଇ ଦିଆଯିବାକୁ ସ୍ଥିର କରାଯାଇଛି । ଚଳିତ ବର୍ଷ ସମଗ୍ର ବାଲିଯାତ୍ରା ଅଂଚଳକୁ ସଠିକ୍ ଉପଯୋଗିତା ଦୃଷ୍ଟିରୁ ଗୁରୁତ୍ୱ ଦିଆଯାଇଛି । ଡିସିପି ଶ୍ରୀ ଋଷିକେଶ ଦ୍ୟାନଦେଓ ଖିଲାରୀ ସମ୍ପୁର୍ଣ୍ଣ ଟ୍ରାଫିକ୍ ନିୟନ୍ତ୍ରଣର ରୂପରେଖ ପ୍ରସ୍ତୁତ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ଜନଗହଳିକୁ ନିୟନ୍ତ୍ରଣ କରିବା ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ପାର୍କିଂସ୍ଥାନ ବୃଦ୍ଧି କରାଯିବା ସହ ୱାଚ୍ ଟାୱାର ନିର୍ମାଣ ତଥା ଏନଡିଆରଏଫ ଓ ଏସଡିଆରଏଫ ଦଳ ମୁତୟନ, ପାର୍କିଂ ସ୍ଥାନରୁ ଯାତ୍ରୀମାନଙ୍କୁ ଯାତ୍ରା ପଡିଆ ପର୍ଯ୍ୟନ୍ତ ଯାତାୟତକୁ ସୁଗମ ପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ । ଏଥିସହ ପାର୍କିଂ ସ୍ଥାନ ବୃଦ୍ଧି, ପଡିଆ ଓ ଏହାର ଆଖପାଖ ଅଂଚଳର ଉପଯୁକ୍ତ ଆଲୋକିକରଣ, କାର୍ତିକେଶ୍ୱର ଭସାଣୀ ଆଦି ଉପରେ ଡିସିପି ଗୁରୁତ୍ୱ ଦେଇଥିଲେ । ଆଜି ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କଟକ, ଶ୍ରୀ ପ୍ରଶାନ୍ତ କୁମାର ନାୟକ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶିବ ଟପୋ, ଅତିରିକ୍ତ ଜିଲ୍ଳାପାଳ ଡକ୍ଟର ଦିବ୍ୟଲୋଚନ ମହାନ୍ତ, ଅତିରିକ୍ତ ଜିଲ୍ଳାପାଳ ଡକ୍ଟର ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର, ଆଠଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରହ୍ଲାଦ ନାରାୟଣ ଶର୍ମା, ଉପଜିଲ୍ଲାପାଳ କଟକ ସଦର ଶ୍ରୀ ଦିବ୍ୟଜ୍ୟୋତି ସ୍ୱୃତିରଞ୍ଜନ ଦେଓ, ବାଙ୍କୀ ଉପଜିଲ୍ଳାପାଳ ଶ୍ରୀ ପ୍ରଣବ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ନଳିନୀକାନ୍ତ ସାହୁ ଓ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।