ଲଗାଣ ବର୍ଷାରେ ଶହ ଶହ ହେକ୍ଟର ଜମି ଜଳମଗ୍ନ: ଧାନ ତଳି ନଷ୍ଟ

ହାଟଡିହି  (ଓ୍ବାଇଏନଏସ): ଦୁଇ ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିବା ଫଳରେ ହାଟଡିହି ବ୍ଲକର ଅନେକ ସ୍ଥାନରେ ରେ ଚାଷଜମି ଜଳମଗ୍ନ ହୋଇଯାଇଛି। ଗତ କାଲି ସକାଳ ୮ରୁ ଆଜି ସକାଳ ୮ଟା ସୁଧା ୧୧୦.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଆଜି ବି ଦିନ ତମାମ ବର୍ଷା ଲାଗି ରହିଛି। ଏପରି ଲଗାଣ ବର୍ଷା ଯୋଗୁଁ ବିଶେଷ କରି କ୍ଷତିଗ୍ରସ୍ତ ହୋଇଛି ବ୍ରାହ୍ମଣୀକଳା, ମତାବାଜ୍, ଇଞ୍ଚୋଳ, ଭୂତପଦା ଆଦି ଗ୍ରାମର ଚାଷୀକୁଳ। ଏହି ସବୁ ଗ୍ରାମର ଶହ ଶହ ହେକ୍ଟର ଚାଷଜମି ଜଳମଗ୍ନ ହେବା ସହ ଅନେକ ଚାଷୀଙ୍କ ଧାନ ତଳି ନଷ୍ଟ ହୋଇ ଯାଇଛି। ନିକଟରେ ବହିଯାଇଥିବା ଅଙ୍କିରା ନାଳ ଦେଇ ବର୍ଷା ଜଳ ତଳକୁ ବହିଯାଇଥାଏ। କିନ୍ତୁ ବ୍ରାହ୍ମଣୀକଳା ନିକଟରେ ଥିବା ଆଡିବନ୍ଧ ଯୋଗୁଁ ଚଳିତବର୍ଷ ଉପଯୁକ୍ତ ପରିମାଣର ଜଳ ନିଷ୍କାସନ ହୋଇ ପାରୁନି। ଏହି ଆଡି ବନ୍ଧକୁ ଇଟା ଯୋଡି ଅଧିକ ଉଚ୍ଚା କରିଦିଆଯାଇଥିବା ଯୋଗୁଁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ମାୟାଧର ସା, ଉମାକାନ୍ତ ସେନାପତି, ଜଳନ୍ଧର ବେହେରା, ବିରେନ୍ଦ୍ର ବେହେରା, ରାଜ କିଶୋର ବେହେରା, ନିରାକାର ବେହେରା, ମୀନ ବେହେରା, ବୁଲୁ ବେହେରା  ଲକ୍ଷ୍ମୀ ଧର ସା, ଭୀମ ସ୍ବାଇଁ, ଚିନ୍ତାମଣି ସା ପ୍ରମୁଖ ଚାଷୀମାନେ ଅଭିଯୋଗ କରିଛନ୍ତି। ଯାହା ଫଳରେ ଗତକାଲି ଠାରୁ ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇଛି। ଅନେକ ଚାଷୀଙ୍କ ଧାନ ତଳି ନଷ୍ଟ ହୋଇଥିବା ବେଳେ କିଛି ରୂଆ ପୋତା ସରିଥିବା ଜମିରେ ଧାନ ଗଛ ପଚିଯିବାର ଆଶଙ୍କା ଦେଖାଦେଇଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ଜଳ ନିଷ୍କାସନର ସୁବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ