ବୈତରଣୀ ନଦୀରୁ ବାଲି ଚୋରା ଚାଲାଣ, ୬ଟି ଗାଡ଼ି ଜବତ, ୭ ଅଟକ

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ବୈତରଣୀ ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ ହେଉଥିବା ବେଳେ ନନ୍ଦିପଦା ପୁଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ବାଲି ପରିବହନରେ ନିୟୋଜିତ ୬ଟି ଗାଡ଼ିକୁ ଜବତ କରାଯାଇଥିବା ବେଳେ ୭ ଜଣଙ୍କୁ ପୁଲିସ ଅଟକ ରଖିଛି। ପୂର୍ବରୁ ବାରମ୍ବାର ଚଢ଼ାଉ କରାଯାଉଥିଲେ ମଧ୍ୟ ମାଫିଆ ମାନେ ପୋଲିସ କୁ ଖାତିର ନକରି ବେଆଇନ ବାଲି ପରିବହନ କରି ଆସୁଛନ୍ତି। ସୂଚନା ଅନୁଯାୟୀ, ବୈତରଣୀ ନଦୀରୁ ବିନା ଅନୁମତିରେ ବାଲି ଉତ୍ତୋଳନ କରି ବିଭିନ୍ନ ସ୍ଥାନକୁ ଚୋରା ଚାଲାଣ କରାଯାଉଥିବା ନେଇ ପୁଲିସ ନିକଟରେ ଖବର ପହଞ୍ଚିଥିଲା।  ନନ୍ଦିପଦା ପୁଲିସ ଗତକାଲି ରାତିରେ ଛେନାପଦି ନିକଟସ୍ଥ ଅସିଆ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗାଡି ଗୁଡିକୁ ଅଟକାଇ କାଗଜ ପତ୍ର ଯାଞ୍ଚ କରିବାରୁ କୌଣସି ବୈଧ କାଗଜ ପତ୍ର ଦର୍ଶାଇ ପାରି ନଥିଲେ। ଫଳରେ ପୋଲିସ ବାଲି ବୋଝେଇ ଗାଡ଼ିଗୁଡ଼ିକୁ ଜବତ କରିବା ସହ ଏହି ଘଟଣାରେ ୭ ଜଣଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ବୈତରଣୀ ଗାଡି ଗୁଡିକୁ ଥାନା ପରିସରକୁ ଅଣାଯିବା ପରେ ୪୩୦ରୁ ୪୩୫/୨୦୨୬ ରେ ୬ଟି ମାମଲା ରୁଜୁ କରାଯାଇଛି। ନଦୀରୁ ବେଆଇନ ବାଲି ଉତ୍ତୋଳନ ଓ ପରିବହନ ଯୋଗୁଁ ନଦୀର ପ୍ରାକୃତିକ ପରିବେଶ ଏବଂ ଜଳସ୍ରୋତ ଉପରେ ପ୍ରଭାବ ପଡ଼ୁଥିବା ବେଳେ ଏଭଳି କାରବାର ରୋକିବାକୁ ପୁଲିସ ଓ ପ୍ରଶାସନ ପକ୍ଷରୁ କଡ଼ା ନଜର ରଖିବାକୁ ଦାବି ହେଉଛି। ଘଟଣାରେ ପୁଲିସର ପରବର୍ତ୍ତୀ ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ