ଚୋରା ମଦ ଜବତ, ୫ ଗିରଫ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲାପାଳ ରଘୁରାମ ଆର. ଆୟରଙ୍କ ନିର୍ଦ୍ଦେଶକ୍ରମେ ଏବଂ ଅବକାରୀ ଅଧୀକ୍ଷକ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟେକ୍ଷ ତତ୍ୱ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ, ନିକିରାଇ, ତନ୍ତିଆପାଳ ସାମୁଦ୍ରିକ ଓ କେନ୍ଦ୍ରାପଡ଼ା ସଦର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ବଳଗଣ୍ଡି ଗ୍ରାମର କଳ୍ପନା ସାହୁ(୪୧)ଙ୍କ ଠାରୁ ୧୦ ଲିଟର ଚୋରା ଦେଶୀ ରନ୍ଧାମଦ, ପଳସିଂହା ଗ୍ରାମର ସଞ୍ଜୟ ବାରିକ(୪୬)ଙ୍କ ଠାରୁ ୪୧ ଲିଟର ଚୋରା ବିଦେଶୀ ମଦ ସମେତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଥିଲା। ସେହିପରି ଜଗତ ଜୋର ଗ୍ରାମର ସୁଶାନ୍ତ ଅବାକ(୪୩)ଙ୍କ ନିକଟରୁ ୩୬ ଲିଟର ଚୋରା ବିଦେଶୀ ମଦ ଓ ଜ୍ୟୋତ୍ସ୍ନା ପଲ( ୩୬)ଙ୍କ ଠାରୁ ୩୧ ଲିଟର ଚୋରା ବିଦେଶୀ ମଦ, ଶ୍ୟାମସୁନ୍ଦରପୁର ଗ୍ରାମର କୃଷ୍ଣଚନ୍ଦ୍ର ନାୟକ( ୪୧)ଙ୍କ ଠାରୁ ୩୧ ଲିଟର ଚୋରା ବିଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ସମୁଦାୟ ୧୪୯ ଲିଟର ଚୋରା ଦେଶୀ ରନ୍ଧା ମଦ ଓ ଚୋରା ବିଦେଶୀ ମଦ ଜବତ କରାଯାଇ ୫ ଜଣ ଚୋରା ମଦବେପାରୀଙ୍କୁ ଗିରଫ କରାଯାଇ ଆଇନାନୁସାରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ଉପନିରୀକ୍ଷକ ପ୍ରିୟଦର୍ଶୀ ମାନସରଞ୍ଜନ ମିଶ୍ରଙ୍କ ସମେତ ଅବକାରୀ ବିଭାଗର ଅନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ।


