ରାୟଗଡ଼ାରେ ୩.୬% ବଢ଼ିଲା କୁମାରୀ ମାତୃତ୍ବ: ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ରିପୋର୍ଟ
ଗୁଣପୁର (ୱାଇଏନଏସ): ମହିଳା ସାକ୍ଷରତା ହାରରେ ପଛୁଆ। ବାଲ୍ୟବିବାହ ଭଳି କୁପ୍ରଥାରୁ ସଂପୂର୍ଣ୍ଣ ମୁକୁଳି ପାରୁନି ରାୟଗଡ଼ା। ଯାହାଫଳରେ ଜିଲ୍ଲାରେ କୁମାରୀ ମାତୃତ୍ବ ବୃଦ୍ଧି ପାଇଛି। ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୬ ଅନୁସାରେ ୩.୬ ପ୍ରତିଶତ କୁମାରୀ ମାତୃତ୍ବ ବଢ଼ିଛି। ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ହୋଇଥିବା ପୂର୍ବ ସର୍ବେକ୍ଷଣ ଅନୁସାରେ ଜିଲ୍ଲାରେ କୁମାରୀ ମାତୃତ୍ବ ହାର ୯.୨ ପ୍ରତିଶତ ରହିଥିଲା। ଏହି ରିପୋର୍ଟ ୨୦୨୩ ମସିହାରେ ପ୍ରକାଶ ପାଇଥିଲା। ସେହିପରି ୨୦୨୨-୨୩ର ସର୍ବେକ୍ଷଣ ଅନୁସାରେ କୁମାରୀ ମାତୃତ୍ବ ହାର ୧୨.୮ ପ୍ରତିଶତ ବୃଦ୍ଧି ପାଇଥିଲା। ଏ ସଂପର୍କରେ ସବିଶେଷ ତଥ୍ୟ ସମ୍ବଳିତ ରିପୋର୍ଟ ଚଳିତବର୍ଷ ପ୍ରକାଶ କରାଯାଇଛି। ରାୟଗଡ଼ା ଜିଲ୍ଲାର ମହିଳା ଓ କିଶୋରୀ କୁପୋଷଣ ତଥା ରକ୍ତହୀନତା ସହ ଯୁଝୁଛନ୍ତି। ଏଭଳି ଅଲୋଡ଼ା ରେକର୍ଡ ପରେ ଜାତୀୟ ପରିବାର ସର୍ବେକ୍ଷଣ ରିପୋର୍ଟ ପ୍ରଶାସନିକ ଓ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶହ ଶହ କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ବେ ସ୍ବାସ୍ଥ୍ୟଗତ ସମସ୍ୟାର ଅନ୍ତ ହେବା ପରିବର୍ତ୍ତେ ଉପରମୁହାଁ ହେବାରେ ଲାଗିଛି। ସଦ୍ୟ ପ୍ରକାଶିତ କୁମାରୀ ମାତୃତ୍ବ ରିପୋର୍ଟ ଅନୁସାରେ ଓଡ଼ିଶାର ଶୀର୍ଷ ୪ ଜିଲ୍ଲାରେ ରାୟଗଡ଼ା ସ୍ଥାନ ପାଇଛି। ସେହିପରି ବାଲ୍ୟବିବାହ ପରିସଂଖ୍ୟାନ ମଧ୍ୟ ଉଦ୍ବେଗଜନକ। କାରଣ ଜାତୀୟ ହାର ୨୩.୩ ପ୍ରତିଶତ ରହିଥିବା ବେଳେ ରାୟଗଡ଼ା ଜିଲ୍ଲାର ହାର ରହିଛି ୩୩.୨ ପ୍ରତିଶତ। ସରକାରୀ ତଥ୍ୟ ଅନୁଯାୟୀ, ୨୦୨୫-୨୬ ଆର୍ଥିକ ବର୍ଷରେ ଜିଲ୍ଲାରେ ୪୦ଟି ବାଲ୍ୟବିବାହ ଘଟଣା ଚିହ୍ନଟ ହୋଇଥିଲା। ରାୟଗଡ଼ା ବ୍ଲକରେ ସର୍ବାଧିକ ୧୮, ଗୁଣପୁରରେ ୯, ଗୁଡ଼ାରୀରେ ୭, ରାମନାଗୁଡ଼ାରେ ୩, କୋଲନରାରେ ୨ ଏବଂ ମୁନିଗୁଡ଼ାରେ ଗୋଟିଏ ଘଟଣା ଚିହ୍ନଟ ହୋଇଥିବା ଦର୍ଶାଯାଇଛି। ବିଷମକଟକ, ଚନ୍ଦ୍ରପୁର, କଲ୍ୟାଣସିଂହପୁର, କାଶୀପୁର ଓ ପଦ୍ମପୁର ବ୍ଲକରେ ବାଲ୍ୟବିବାହ ଶୂନ ବୋଲି ଜିଲ୍ଲା ସମାଜ ମଙ୍ଗଳ ବିଭାଗ ନିଜ ରିପୋର୍ଟରେ ଉଲ୍ଲେଖ କରିଛି। ଏଭଳି ରିପୋର୍ଟର ସ୍ବଚ୍ଛତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। କାରଣ କୁମାରୀ ମାତୃତ୍ବ ଏବଂ କିଶୋରୀଙ୍କ ଡ୍ରପ୍ଆଉଟ୍ ତଥ୍ୟ ଭିନ୍ନ ଚିତ୍ର ପ୍ରଦାନ କରୁଛି। ବାଲ୍ୟବିବାହ ରୋକିବା ପାଇଁ କିଶୋର-କିଶୋରୀଙ୍କୁ ସଚେତନ ଓ ସଶକ୍ତ କରିବା ପାଇଁ ଜିଲ୍ଲାରେ ‘ଅଦ୍ୱିକା’ କାର୍ଯ୍ୟକ୍ରମ ଚାଲିଛି। ମୋଟ ୧୨୯୬୭ କିଶୋର ଓ ୧୭୧୮୩ କିଶୋରୀ ତାଲିକାଭୁକ୍ତ ଥିବା ବେଳେ ୨୦୨୬-୨୭ ବର୍ଷରେ ୬୧୮୩ ଜଣ କିଶୋର-କିଶୋରୀ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ସଚେତନତା ବଢ଼ାଇବା ପାଇଁ ଜିଲ୍ଲାରେ ସଖୀ, ସହେଲୀ, ସଖା ଓ ବନ୍ଧୁ ଭାବେ ୨୦୨୮ ଜଣ ମନୋନୀତ ହୋଇଛନ୍ତି। ବ୍ଲକସ୍ତରରେ ମଧ୍ୟ କିଶୋର-କିଶୋରୀଙ୍କୁ ନେଇ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ତେଣୁ କୁମାରୀ ମାତୃତ୍ବ କମିବ ନା ବୃଦ୍ଧି ପାଇବ ସେଥିପାଇଁ ଆସନ୍ତା ସର୍ଭେ ରିପୋର୍ଟର ଗୁରୁତ୍ବ ବଢ଼ିଯାଇଛି।


