ଛୁଆଙ୍କ ମଧ୍ୟାହ୍ନ ଭୋଜନରେ ଅସରପା ବାହାରିବା ଘଟଣା: ବିଇଓଙ୍କ ତଦନ୍ତ
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଶାଳଣିଆଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛୁଆଙ୍କ ମଧ୍ୟାହ୍ନ ଭୋଜନରୁ ଅସରପା ବାହାରିବା ଘଟଣାର ତଦନ୍ତ କରିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ। ଗତକାଲି ଏହି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରୁ ଅସରପା ବାହାରିବାରୁ ୧୩୦ଜଣ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ନଥିଲେ। ଏ ସମ୍ପର୍କରେ ଆଜି ବିଭିନ୍ନ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ଉକ୍ତ ସ୍କୁଲକୁ ଯାଇ ଘଟଣା ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ପଚାରି ବୁଝିବା ସହିତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହିତ ଏ ବାବଦରେ ଆଲୋଚନା କରିଥିଲେ। ଭବିଷ୍ୟତରେ ଯେପରି ଏପରି ଘଟଣାର ପୁନରାବୃତ୍ତି ନଘଟେ ସେନେଇ ସତର୍କ ରହିବାକୁ କହିଥିଲେ। ସେହିପରି ବିଦ୍ୟାଳୟର ସମସ୍ତ ରେକର୍ଡ ପତ୍ର ଯାଞ୍ଚ କରିଥିଲେ। ଅନେକ ରେକର୍ଡ ପତ୍ର ନଥିବାରୁ ସେସବୁକୁ ତୁରନ୍ତ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।