ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଯୋଗ ଶିବିରକୁ ତିହୁଡାସ୍ଥିତ ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସ ମହାରାଜ ଉଦଘାଟନ କରିଥିଲେ। ବିଦ୍ୟାଳୟର ପରିସରରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବାବା ସତ୍ୟାନନ୍ଦ ଦାସ ଯୋଗ ଦେଇ ଯୋଗ କଲେ ଦେହ ଓ ମନ ସୁସ୍ଥ ରହେ। ଯୋଗ ଦିବସରେ ଗୋଟିଏ ଦିନ ଯୋଗ କଲେ ଆମେ ଏହାର ଉପକାର ପାଇ ପାରିବା ନାହିଁ। ତେଣୁ ସମସ୍ତେ ଦିନକୁ କିଛି ସମୟ ବାହାର କରି ଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏପରିକି ପୌରାଣିକ ଯୁଗରେ ବର୍ଣ୍ଣିତ ରହିଛି ମୁନି ଋଷି ମାନେ ଯୋଗ ଦ୍ୱାରା ନିଜ ମନ ଓ ଶରୀରକୁ ନିୟନ୍ତ୍ରିତ କରୁଥିଲେ। ଯୋଗ ଦ୍ୱାରା ମସ୍ତିଷ୍କର ସ୍ଥିରତା ଆସିଥାଏ ବୋଲି ବାବା ସତ୍ୟାନନ୍ଦ ଦାସ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଏନସିସି ଶିକ୍ଷକ ତଥା ଇକୋ କ୍ଳବ ଶିକ୍ଷକ ମାନସ ବେହେରା,ପୂର୍ବତନ ପ୍ରଧାବ ଶିକ୍ଷକ ନିରଞ୍ଜନ ମହାନ୍ତି, ଯୋଗ ପ୍ରଶିକ୍ଷକ ଭାବେ ପତଞ୍ଜଳିର ଯୋଗ ଗୁରୁ ସେମାନାଥ ପଣ୍ଡା ଯୋଗ ଦେଇ ଯୋଗର ଉପକାରିତା ବିଷୟରେ ଆଲୋକପାତ କରିଥିଲେ। ପରେ ପିଲାମାନଙ୍କୁ ଯୋଗ ଗୁରୁ ବିଭିନ୍ନ ପ୍ରକାର ଯୋଗର ତାଲିମ ପ୍ରଦାନ କରିଥିଲେ। ସେହିପରି ଅଲଣାହାଟ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଆର୍ମି ବାଟାଲିୟନର କମାଣ୍ଡିଂ ଅଫିସର ଲେଫଟନାଂଟ କର୍ଣ୍ଣେଲ ବି .ଭୂୟାଁଙ୍କ ନିର୍ଦ୍ଦେଶାନୁସାରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଏନସିସି ଅଫିସର ଅମୂଲ୍ୟ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଆୟୋଜିତ ଶିବିରରେ ୪୯ଜଣ କ୍ୟାଡେଟ,ଆଲମୁନି ଓ ବିଭିନ୍ନ ପଦାଧିକାରୀମାନେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ କିଶୋରୀ ମୋହନ ଦାସ,ଅଭିଜିତ ପରିଡା,ରଶ୍ମିରଂଜନ ଦାସ ପ୍ରମୁଖ ଅତିଥିଭାବେ ଯୋଗ ଦେଇ ନିରୋଗ ଓ ସୁସ୍ଥ ଜୀବନ ପାଇଁ ଯୋଗର ଆବଶ୍ୟକତା ଥିବା ମତବ୍ୟକ୍ତ କରିଥିଲେ। ପିଲାମାନଙ୍କୁ ବିଭିନ୍ନ ପ୍ରକାର ଯୋଗ ଶିଖାଇଥିଲେ। ସେହିପରି ବେସରକାରୀସ୍ତରରେ ବଛାଳୋସ୍ଥିତ ସିଦ୍ଧେଶ୍ୱର ଯୋଗ ଶିବିର ଆନୁକୂଲ୍ୟରେ ଯୋଗ ଗୁରୁ ପ୍ରତାପ କୁମାର ପରିଡାଙ୍କ ତତ୍ୱାବଧାନରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କେବଳ ଯୋଗ ଦିବସ ପାଇଁ ନୁହେଁ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ପ୍ରତ୍ୟେହ ଛୋଟ ପିଲାମାନଙ୍କୁ ମାଗଣାରେ ଯୋଗ ଶିକ୍ଷା ଦିଆଯାଉଛି। ଏହି ଶିବିରରେ ସମାଜିକ କର୍ମୀ ଚନ୍ଦନ କୁମାର ଲେଙ୍କା ଓ ବଚ୍ଚନ ନାୟକ ସହଯୋଗ କରିଥିଲେ।


