ଡଅଁର ପଞ୍ଚାୟତରେ ଭତ୍ତା ହଡ଼ପ ଅଭିଯୋଗର ତଦନ୍ତ ଆରମ୍ଭ

ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅନ୍ତର୍ଗତ ଡଅଁର ପଞ୍ଚାୟତରେ ୪୦ରୁ ଊର୍ଦ୍ଧ୍ୱ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଉଠାଯାଇଥିବା ଅଭିଯୋଗର ତଦନ୍ତ ଆରମ୍ଭ ହୋଇଛି। ବିଡିଓଙ୍କ ଦ୍ୱାରା ଗଠିତ ଏକ ତଦନ୍ତକାରୀ ଦଳ ଶନିବାର ଡଅଁର ପଞ୍ଚାୟତରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏହି ତଦନ୍ତକାରୀ ଦଳରେ ଏବିଡିଓ ରଶ୍ମିରେଖା ନାଏକ, ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାତୀ ସିଂ, ଜିପିଡିଓ ଦିବ୍ୟଜ୍ୟୋତି ଦାଶ, ପିଇଓ ଶରତ କୁମାର ବେଜ ଓ ପଙ୍କଜ କୁମାର ସାହୁ ପ୍ରମୁଖ ସାମିଲ ଅଛନ୍ତି। ଦଳର ସଦସ୍ୟମାନେ ଡଅଁର ଗ୍ରାମରେ ଘରକୁ ଘର ବୁଲି ମୃତ ହିତାଧିକାରୀଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ସହ ସେମାନଙ୍କ ବୟାନ ରେକର୍ଡ କରିଛନ୍ତି। ଶନିବାର ଦିନ ମାତ୍ର ୮ ଜଣ ହିତାଧିକାରୀଙ୍କ ସମ୍ପର୍କରେ ତଦନ୍ତ କରାଯାଇଥିବା ବେଳେ ସନ୍ଧ୍ୟା ହୋଇଯିବାରୁ ତଦନ୍ତକାରୀ ଦଳ ଫେରି ଆସିଥିଲେ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ତଦନ୍ତ ଶେଷ କରି ବିଡିଓଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜଣାପଡ଼ିଛି। ସୂଚନାନୁସାରେ, ଡଅଁର ପଞ୍ଚାୟତରେ ଅନେକ ମୃତ ଭତ୍ତା ହିତାଧିକାରୀଙ୍କ ନାମରେ ଭତ୍ତା ଉଠାଯାଇ ସରକାରୀ ଅର୍ଥ ହଡ଼ପ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଏନେଇ ପଞ୍ଚାୟତର ପିଇଓ ବିଡିଓଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ପରେ ଘଟଣାଟି ଚର୍ଚ୍ଚାର ବିଷୟ ପାଲଟିଥିଲା। ଏବେ ତଦନ୍ତ ଆରମ୍ଭ ହୋଇଥିବାରୁ ବାସ୍ତବରେ କେତେ ମୃତ ହିତାଧିକାରୀଙ୍କ ଟଙ୍କା ଉଠାଯାଇଛି, କେତେ ମାସର ଉଠା ଯାଇଛି ତଦନ୍ତ ପରେ ଏହାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ