ନିର୍ମାଣ ଶ୍ରମିକ ପଞ୍ଜିକରଣ ଓ ସହାୟତା ରାଶି ପ୍ରଦାନରେ ଅନିୟମିତତା
ବାଲେଶ୍ୱର (ସରୋଜ ପଣ୍ଡା): ନିର୍ମାଣ ଶ୍ରମିକମାନଙ୍କ ପଞ୍ଜିକରଣ ଓ ସହାୟତା ଅର୍ଥ ପ୍ରଦାନରେ କେତେକ ଅନିୟମିତତା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହେବାପରେ ବାଲେଶ୍ୱର ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ସମୂହ ସମନ୍ୱୟ ସମିତି ବୈଠକରେ ଉଦ୍ବେଗ ପ୍ରକାଶ ପାଇଛି। ପଢ଼ୁଆଁପଦାସ୍ଥିତ ଓଡ଼ିଶା ଉଠାଜଳସେଚନ କର୍ମଚାରୀ ଭବନରେ ମଙ୍ଗଳବାର ଦିନ ସମନ୍ୱୟ ସମିତିର ସଭାପତି ପୀତାମ୍ବର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ବିଜୟ ପାତ୍ର ଆଲୋଚନାର ବିଷୟ ଆଗତ କରିଥିଲେ। ଗତ ୧୦ ତାରିଖ ଦିନ ଜିଲ୍ଲା ଶ୍ରମ ଅଫିସରଙ୍କୁ ସମନ୍ୱୟ ସମିତିର ପ୍ରତିନିଧିମାନଙ୍କ ସହ ସାକ୍ଷାତ ଆଲୋଚନାର ବିବରଣୀ ଶ୍ରୀ ପାତ୍ର ଉପସ୍ଥାପିତ କରିଥିଲେ। ନିର୍ମାଣ ଶ୍ରମିକ ପଞ୍ଜିକରଣ ଓ ସହାୟତା ଅର୍ଥ ଅନିୟମିତତା ଅଭିଯୋଗ ଉପରେ ତଦନ୍ତ ଚାଲୁଥିବାର ଜିଲ୍ଲା ଶ୍ରମ ଅଧିକାରୀ ସମନ୍ୱୟ ସମିତିର ପ୍ରତିନିଧିମାନଙ୍କୁ ଅବଗତ କରାଇଛନ୍ତି। ଜିଲ୍ଲା ଶ୍ରମ ଅଫିସରଙ୍କ ପରାମର୍ଶକ୍ରମେ କେବଳ ପଞ୍ଜିକୃତ ଶ୍ରମିକ ସଂଘର କର୍ମକର୍ତ୍ତା କିମ୍ବା ସଂଘର କ୍ଷମତାପ୍ରାପ୍ତ ପ୍ରତିନିଧି ଜିଲ୍ଲା ଶ୍ରମ ର୍କ୍ୟାାଳୟକୁ ଆସି ଆବେଦନକାରୀ ନିର୍ମାଣ ଶ୍ରମିକମାନଙ୍କୁ ଚିହ୍ନଟ କରି ପଞ୍ଜିକରଣ ଓ ସହାୟତା ଅର୍ଥ ପ୍ରଦାନ ପାଇଁ ସହଯୋଗ କରିପାରିବେ। ଏହାଫଳରେ ଏହି କାର୍ଯ୍ୟପାଇଁ ଦଲାଲମାନଙ୍କୁ ଚିହ୍ନଟ କରିବା ସମ୍ଭବ ହୋଇପାରିବ ବୋଲି ସଂପାଦକ ଶ୍ରୀ ପାତ୍ର ବୈଠକରେ ସୂଚନା ଦେଇଥିଲେ। ସମନ୍ୱୟ ସମିତି ସହ ଅନୁବନ୍ଧିତ ସମସ୍ତ ସଂଘ ଜିଲ୍ଲା ଶ୍ରମ କାର୍ଯ୍ୟାଳୟକୁ ପଞ୍ଜିକରଣ ଓ ସହାୟତା ପାଇଁ ଆବେଦନ କରୁଥିବାବେଳେ ଏହାର ଚିଠା ସମନ୍ୱୟ ସମିତିକୁ ପ୍ରଦାନ ନିମିତ୍ତ ବୈଠକରେ ସର୍ବସମ୍ମତ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତମାସ ୨୧ ତାରିଖ ଦିନ ପରିବର୍ଦ୍ଧିତ ବୈଠକରେ ଉପରୋକ୍ତ ନିଷ୍ପତ୍ତିର ସମୀକ୍ଷା କରାଯିବ। ତେଣୁ ପ୍ରତ୍ୟେକ ସଂଘର ପ୍ରତିନିଧି ଏହି ବୈଠକରେ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି। ବିଭିନ୍ନ ସଂଘପକ୍ଷରୁ ଏହି ବୈଠକରେ ସର୍ବଶ୍ରୀ ସଂଜୟ ସାମଲ, ବିଜୟ ଶଙ୍କର ଦାସ, ବେଣୁଧର ମହାନ୍ତି, ମହେନ୍ଦ୍ର ମାଝୀ, ସୁଦର୍ଶନ ଷଡ଼ଙ୍ଗୀ, ରଂଜୁକ୍ତା ଓଝା ଓ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପ୍ରତିକୂଳ ପାଗ ସତ୍ତ୍ୱେ ବୈଠକରେ ଯୋଗ ଦେଇଥିବା ସାଥୀମାନଙ୍କୁ ପୂର୍ଣ୍ଣଚନ୍ଦ୍ର ପାତ୍ର ଧନ୍ୟବାଦ ଦେଇଥିଲେ।


