ଶେଷଯାତ୍ରାର ଦରଦୀ ବନ୍ଧୁ “କୈଳାଶ”: ୬୫ବର୍ଷ ବୟସରେ କଲେଣି ଏକ ହଜାରରୁ ଉର୍ଦ୍ଧ୍ୱ ଶବସତ୍କାର

ଆସିକା (ୱାଇଏନ୍‍ଏସ୍‍) : କଥାରେ ଅଛି “ରାଜଦ୍ୱାରେ ଶ୍ମଶାନେ ଚ ଯଃତିଷ୍ଠତି ସବାନ୍ଧବଃ” ଏହାର ଏକ ନିଛକ ଉଦାହରଣ ସାଜିଛନ୍ତି ଆସିକା ପୌର ପରିଷଦ ଅଧୀନସ୍ଥ ତାଲୁକା ଛକ ଅଞ୍ଚଳର ୬୫ ବର୍ଷିୟ କୈଳାଶ ବିଶ୍ୱାଳ । ଦୀର୍ଘ ପ୍ରାୟ ୪୮ ବର୍ଷ ହେବ ନିଃସ୍ୱାର୍ଥପର ଭାବେ ମଣିଷର ଶେଷଯାତ୍ରା ବେଳର ଦରଦୀ ବନ୍ଧୁ ସାଜିଛନ୍ତି କୈଳାଶ ବିଶ୍ୱାଳ । ଚିହ୍ନା ହୁଅନ୍ତୁ କି ଅଚିହ୍ନା ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର କାହାରି ମୃତ୍ୟୁ ଖବର ପାଇବା ମାତ୍ରେ ଖରା ବର୍ଷକୁ ଭୃକ୍ଷେପ ନକରି ମାନବିକତା ଦୃଷ୍ଟିରେ ଶବ ସତ୍କାରରେ ସହଯୋଗ କରିବା ପାଇଁ ଦରଦୀ ବନ୍ଧୁ ରୂପେ ପରିଚିତ ଥିବା କୈଳାଶ ବିଶ୍ୱାଳ ମୃତକଙ୍କ ଆତ୍ମୀୟଙ୍କ ନିକଟରେ ପହଞ୍ଚି ବାଉଁଶ କାଟିବା ଠାରୁ ଆରମ୍ଭ କରି କୋକେଇ ବାନ୍ଧିବା, ପାଳଦଉଡି ଯୋଗାଣ କରିବା ଏବଂ ଶ୍ମଶାନରେ ଶେଷକୃତ୍ୟ ସଂପନ୍ନ ହେଲା ପର୍ଯ୍ୟନ୍ତ ସବୁକାର୍ଯ୍ୟରେ ଭାଗ ନେଇଥାନ୍ତି । କଥାରେ ଅଛି ଜୀବନର ଶେଷ ସମୟର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ବର୍ତ୍ତମାନର ବ୍ୟସ୍ତବହୁଳ ଓ ସ୍ୱାର୍ଥ ସର୍ବସ୍ୱ ଦୁନିଆରେ କାହାପାଇଁ କାହାର ସମୟ ନଥାଏ । ସମସ୍ତେ ନିଜ ନିଜର ବ୍ୟକ୍ତିଗତ ଦୁନିଆରେ ବ୍ୟସ୍ତ । ତେବେ ଶେଷଯାତ୍ରା ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ ବୋଲି ସତ କରି ଦେଖାଇଛନ୍ତି ଆସିକା ପୌର ପରିଷଦ ଅଧିନସ୍ଥ ୧୦ନଂ ୱାର୍ଡର ତାଲୁକା ରୋଡର ବାସିନ୍ଦା କୈଳାଶ ବିଶ୍ୱାଳ । ସଭିଙ୍କ ମହଲରେ ସେ କୈଳାଶ ଭାଇ ରୂପେ ସୁପରିଚିତ । ଜୀବିକାରେ ଜଣେ ସମାଜସେବୀ ହୋଇଥିଲେ ମଧ୍ୟ ୬୫ ବର୍ଷ ବୟସରେ ବର୍ତ୍ତମାନ ସୁଦ୍ଧା ଏକ ହଜାରରୁ ଉର୍ଦ୍ଧ୍ୱ ଶବସତ୍କାର କରି ସାରିଲେଣି । ଆସିକା ଅଞ୍ଚଳର ଜଣାଶୁଣା ସମାଜସେବୀ୍ ଦୀର୍ଘ ପ୍ରାୟ ୪୮ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଏହି ପୁଣ୍ୟ କାମ ସହ ଜଡିତ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଧନୀ ଅବା ଗରିବ ହେଉ ଯେଉଁଠି ବି କୌଣସି ଲୋକଙ୍କ ମୃତ୍ୟୁଖବର ଶୁଣିବା ମାତ୍ରେ ବିନା ସ୍ୱାର୍ଥରେ କୈଳାଶ ବିଶ୍ୱାଳ ସେଠାରେ ପହଞ୍ôଚ ମୃତକଙ୍କ ପରିଜନଙ୍କ ସହ ଦୁଃଖରେ ସାମିଲ ହୋଇ ସମବେଦନା ଜଣାଇବା ସହ ପାରମ୍ପରିକ ରୀତିରେ ଶେଷକୃତ୍ୟ ସଂପନ୍ନରେ ଲାଗି ପଡିଥାନ୍ତି । ଶବସତ୍କାର ଏକ କଠିନ କାର୍ଯ୍ୟ ହୋଇଥିଲେ ମଧ୍ୟ ଏଥିରେ ସେ ଆନନ୍ଦ ପାଆନ୍ତି । ଏହି ଶବସତ୍କାର କାର୍ଯ୍ୟ ପାଇଁ କେବେ କାହାଠାରୁ ପାରିଶ୍ରମିକ ବାବଦରେ କିଛି ପାଇବାକୁ ଇଛା କରନ୍ତି ନାହିଁ । ତେବେ କେହି ଦେଲେ ମଧ୍ୟ ତାହାକୁ ଫେରାଇ ଦିଅନ୍ତି । ଯାହାରି ଫଳରେ ଜଣେ ନିଆରା ବ୍ୟକ୍ତିତ୍ୱ ଭାବେ ଆସିକା ପୌର ପରିଷଦ ଅଧିନସ୍ଥ ତାଲୁକା ରୋଡର କୈଳାଶ ବିଶ୍ୱାଳ ସ୍ଥାନୀୟ ଅଞ୍ଚଳରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲା ବେଳେ କେହି ନାହିଁ ଯାହାର ସମାଜସେବୀ କୈଳାଶ ବିଶ୍ୱାଳ ଅଛନ୍ତି ତାଙ୍କର ବୋଲି କହିଲେ ଜମାରୁ ଅତ୍ୟୁକ୍ତି ହେବ ନାହିଁ । ସଭିଙ୍କ ମହଲରେ ସେ ବେଶ କୈଳାଶ ଭାଇ ରୂପେ ସୁପରିଚିତ । ଯେ କୌଣସି ଜାତି ଅବା ଅନ୍ୟ ସଂପ୍ରଦାୟର ହେଉ ବାଛ ବିଚାର ନକରି ମୃତ୍ୟୁ ଖବର ଶୁଣିବା ମାତ୍ରେ ନିଜର କାମ ଛାଡି କାଳ ବିଳମ୍ବ ନକରି କୈଳାଶ ବିଶ୍ୱାଳ ସେଠାରେ ପହଞ୍ôଚଥାନ୍ତି । ତାଙ୍କୁ ଯେତେବେଳେ ପ୍ରାୟ ୧୭ ବର୍ଷ ବୟସ ହୋଇଥିଲା ସେବେଠାରୁ ସେ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏଥିପାଇଁ ତାଙ୍କୁ ଆତ୍ମସନ୍ତୋଷ ମିଳିଥାଏ । ଜୀବନର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ସେ ଏହି ଶବସତ୍କାର କାମ କରିବା ଲାଗି ସଂକଳ୍ପବଦ୍ଧ । ବର୍ତ୍ତମାନ ସୁଦ୍ଧା ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଶବସତ୍କାର କରି ସ୍ଥାନୀୟ ଅଞ୍ଚଳବାସୀଙ୍କ ପ୍ରିୟଭାଜନ ହୋଇପାରିଛନ୍ତି କୈଳାଶ ବିଶ୍ୱାଳ । ଆଜି ଯାଏଁ କୌଣସି ପ୍ରକାର ସ୍ୱପ୍ନ କିମ୍ବା କୌଣସି ଆତ୍ମା ଡରାଇ ନଥିବା କୁହନ୍ତି କୈଳାଶ ବିଶ୍ୱାଳ । ସେ ଶବସତ୍କାର ବେଳେ କାହାର ସାହାଯ୍ୟ ଲୋଡନ୍ତିନି । କମ୍ କାଠରେ ଶବସତ୍କାର କୌଶଳ ତାଙ୍କୁ ବେଶ୍‍ ଜଣା । ସାଧାରଣତଃ ସଚ୍ଚୋଟ, ଧର୍ମପରାୟଣ, ପରୋପକାରୀ ମୃତବ୍ୟକ୍ତି ଯେତେ ବିଶାଳ ଶରୀର ହେଉନା କାହିଁକି ତାହା ଶୀଘ୍ର ପୋଡିଯାଏ । ତେବେ କୁଟିଳ ଓ ହିଂସା ପରାୟଣ ମୃତବ୍ୟକ୍ତିଙ୍କ ଶରୀରରୁ ଆତ୍ମା ଶୀଘ୍ର ଛାଡେନି କି ଶୀଘ୍ର ପୋଡେନି ବୋଲି ଶବସତ୍କାର ପ୍ରେମୀ କୈଳାଶ ବିଶ୍ୱାଳ ଙ୍କ ବିଶ୍ୱାସ ରହିଛି । (

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ