ସରିଲା ଖରାଛୁଟି : ୧୮ ରୁ ଖୋଲିବ ସ୍କୁଲ
ଆସିକା (ୱାଇଏନ୍ଏସ୍) : ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ପରିଚାଳିତ ହୋଇଆସୁଥିବା ସରକାରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଏବଂ ହାଇସ୍କୁଲ ସମେତ ବେସରକାରୀ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକରେ ଖରାଛୁଟି ଆସନ୍ତାକାଲି ଅର୍ଥାତ୍ ୧୭ ତାରିଖରେ ସରିବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଗତ ଏପ୍ରିଲ ମାସ ୨୭ ତାରିଖରୁ ବିଦ୍ୟାଳୟ ଗୁଡିକରେ ଖରାଛୁଟି ଆରମ୍ଭ ହୋଇଥିଲା । ଦୀର୍ଘ ପ୍ରାୟ ୫୨ ଦିନର ଖରାଛୁଟି ପରେ ଆସନ୍ତା ୧୮ ତାରିଖରେ ସ୍କୁଲ ଖୋଲିବା ପାଇଁ ସରକାରୀ ସ୍ତରରେ ଘୋଷଣା କରାଯାଇଛି । ସ୍କୁଲ ଖୋଲିବା ସହ ପିଲାଙ୍କ ପାଠପଢା ଯେପରି ସ୍ୱାଭାବିକ ହେବ ଏବଂ ୨୦୨୬-୨୭ ଶିକ୍ଷାବର୍ଷକୁ ସଠିକ୍ ଭାବେ ପରିଚାଳନା କରାଯିବ ତାହାକୁ ଦୃଷ୍ଟିରେ ରଖି ଶିକ୍ଷାବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ଚଳିତବର୍ଷ ବିଦ୍ୟାଳୟ ଗୁଡିକୁ ଆଗୁଆ ଛୁଟି ଘୋଷଣା କରାଯାଇଥିଲା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ମେ ମାସ ୭ ତାରିଖ ପରିବର୍ତ୍ତେ ଗତ ଏପ୍ରିଲ ମାସ ୨୭ ତାରିଖ ଠାରୁ ଶିଶୁବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ପାଇଁ ବିଦ୍ୟାଳୟ ଗୁଡିକ ବନ୍ଦ ଘୋଷଣା କରାଯାଇଥିଲା । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଏବେ ବି ତାପମାତ୍ରା ଅଧିକ ରହିବା ସହ ଅସ୍ୱାଭାବିକ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବାରୁ ଖରାଛୁଟି ଅବଧି ଆଉ କିଛି ଦିନ ବୃଦ୍ଧି କରିବା ପାଇଁ ବିଭିନ୍ନ ମହଲରେ ଦୃଢ ମତ ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ଖରାର ତାତି ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ପୂର୍ବାହ୍ନରୁ ଅପରାହ୍ନ ପର୍ଯ୍ୟନ୍ତ ଅସହ୍ୟ ଗୁଳୁଗୁଳି ସାଧାରଣ ଜନତାଙ୍କୁ ନୟାନ୍ତ କରୁଥିବା ଦେଖିବାକୁ ମିଳୁଛି । ତାତିର ପ୍ରଭାବ ଆହୁରି ପୂର୍ଣ୍ଣମାତ୍ରାରେ କମିନାହିଁ । ଆସିକା ଅଞ୍ଚଳରେ ତାପମାତ୍ରା ବିଭିନ୍ନ ସମୟରେ ଉଚ୍ଚସ୍ତରରେ ରହୁଥିବା ବେଳେ ଦିନବେଳା ଘରୁ ବାହାରିବା କଷ୍ଟକର ହୋଇପଡୁଛି । ଏଭଳି ପରିସ୍ଥିତିରେ ସ୍କୁଲ ଖୋଲିଲେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଉପରେ ପ୍ରଭାବ ପଡିବା ସମ୍ଭାବନାକୁ ମଧ୍ୟ ଏଡାଇ ହେଉନାହିଁ । ଜିଲ୍ଲା ପ୍ରଶାସନ ତଥା ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ବାସ୍ତବ ସମସ୍ୟାକୁ ହୃôଦୟଙ୍ଗମ କରି ଛାତ୍ରଛାତ୍ରୀଙ୍କ ସକାଶେ ଖରାଛୁଟି ସମୟ ଅବଧି ଆଉ କିଛି ଦିନ ବୃଦ୍ଧି କରିବା ଦିଗରେ ପଦକ୍ଷେପ ନେବାକୁ ଆସିକା ଓକିଲ ସଂଘର କୋଷାଧ୍ୟକ୍ଷ ତଥା ଯୁବ ଆଇନଜୀବୀ ରାଘବ କୁମାର ନାହାକ ଅନୁରୋଧ କରିଛନ୍ତି ।


