ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବିଦାସଜୀଙ୍କ ଜନ୍ମବାର୍ଷିକୀ ଅବସରରେ କଳସ ବନ୍ଦନ ଶୋଭାଯାତ୍ରା

ବାଲେଶ୍ୱର (ସରୋଜ ପଣ୍ଡା): ସନ୍ଥ ଶିରୋମଣି ଗୁରୁ ଶ୍ରୀ ରବିଦାସଜୀଙ୍କ ୬୫୦ତମ ଜନ୍ମବାର୍ଷିକୀ ଅବସରରେ ବାଲେଶ୍ୱର ଜିଲ୍ଲାରେ ଆୟୋଜିତ ହୋଇଛି ଭବ୍ୟ ‘କଳସ ବନ୍ଦନ’ ଶୋଭାଯାତ୍ରା ଓ ପବିତ୍ର ମାଟି କଳସ ବିତରଣ କାର୍ଯ୍ୟକ୍ରମ। ଗୁରୁ ରବିଦାସଙ୍କ ଜନ୍ମସ୍ଥାନ ବାରଣାସୀରୁ ଆସିଥିବା ପବିତ୍ର ମାଟିକୁ ନେଇ ଆୟୋଜିତ ଏହି ଶୋଭାଯାତ୍ରାରେ ଭକ୍ତି ଓ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଥିଲା। ‎ସଂକୀର୍ତ୍ତନ ମଣ୍ଡଳୀ ଓ ଭକ୍ତମାନଙ୍କ ଗହଣରେ ସିଦ୍ଧି କଲ୍ୟାଣ ମଣ୍ଡପରୁ ପବିତ୍ର ମାଟି କଳସକୁ ଶୋଭାଯାତ୍ରାରେ ଝାଡେଶ୍ୱର ମନ୍ଦିର ପର୍ଯ୍ୟନ୍ତ ନିଆଯାଇଥିଲା। ପଥସାରା ଗୁରୁ ରବିଦାସଙ୍କ ଜୟଗାନ ଓ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଥିଲା। ଝାଡେଶ୍ୱର ମନ୍ଦିର ପରିସରରେ ଜିଲ୍ଲା ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଏକ ଧାର୍ମିକ ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମର ରାଜ୍ୟ ସଂଯୋଜକ ତଥା ଯାଜପୁର ସାଂସଦ ରବିନାରାୟଣ ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଗୁରୁ ରବିଦାସଙ୍କ ଜୀବନ, ଆଦର୍ଶ ଓ ସମାଜ ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। ‎ଏହି ଅବସରରେ ପୂଜ୍ୟ ସନ୍ଥ ବାବାଜୀ ଆତ୍ମାନନ୍ଦ ମହାରାଜ, ଯୋଗାଚାର୍ଯ୍ୟ ଅନନ୍ତ ମୁନି, ଆଚାର୍ଯ୍ୟ ବିଜୟଜୀ, ଶ୍ରୀନିବାସ ପାଠୀଶର୍ମା, ପ୍ରଦୀପ କୁମାର ପତି, ମୁକୁନ୍ଦ ଦାସ, ଜିଲ୍ଲା ପ୍ରଭାରୀ ଗୌତମ ରାୟ, ରାଜ୍ୟ ଉପସଭାପତି ସିପ୍ରା ବାଜପେୟୀ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ପର୍ଶୁରାମ ପରିଡ଼ା, ଭଦ୍ରକ-ବାଲେଶ୍ୱର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସଭାପତି ଗଣେଶ ମହାପାତ୍ର ଓ ଅନ୍ୟତମ ସାଧାରଣ ସମ୍ପାଦକ ଅଣୁମାଧବ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥାଇ ସେମାନଙ୍କ ବ୍ୟକ୍ତବ୍ଯରେ କହିଥିଲେ ଯେ, ଗୁରୁ ରବିଦାସ କେବଳ ଜଣେ ସନ୍ଥ ନୁହନ୍ତି, ସେ ଥିଲେ ସାମାଜିକ ସମରସତା ଓ ମାନବୀୟ ମର୍ଯ୍ୟାଦାର ଜଣେ ମହାନ ପ୍ରବକ୍ତା। ଜାତି, ବର୍ଣ୍ଣ ଓ ସାମାଜିକ ଭେଦଭାବ ବିରୋଧରେ ତାଙ୍କର ଚିନ୍ତାଧାରା ଆଜି ମଧ୍ୟ ସମାଜ ପାଇଁ ମାର୍ଗଦର୍ଶକ। ‎ଗୁରୁ ରବିଦାସଙ୍କ ଦର୍ଶନରେ ‘ବେଗମପୁରା’ର କଳ୍ପନା ଏକ ଏପରି ସମାଜର ପ୍ରତୀକ, ଯେଉଁଠି ଶୋଷଣ, ଅନ୍ୟାୟ, ଭୟ ଓ ଭେଦଭାବର ସ୍ଥାନ ନାହିଁ। ତାଙ୍କର ଏକ ପ୍ରସିଦ୍ଧ ଭଜନରେ ସେ ଏଭଳି ଏକ ଆଦର୍ଶ ସମାଜର କଳ୍ପନା କରିଥିଲେ, ଯେଉଁଠାରେ କୌଣସି ଜାତିଭେଦ, ଶୋଷଣ, ଦାରିଦ୍ର୍ୟ ବା ଭୟ ନଥିବ ଏବଂ ସମସ୍ତେ ସମାନ ଅଧିକାର ପାଇବେ ମଣିଷକୁ ତା’ର ଜାତି କିମ୍ବା ଜନ୍ମ ଆଧାରରେ ନୁହେଁ, ମଣିଷ ଭାବରେ ସମ୍ମାନ ଦେବା ଥିଲା ତାଙ୍କ ଚିନ୍ତାଧାରାର ମୂଳ ଆଧାର। ‎ତାଙ୍କର ଶିକ୍ଷା ଥିଲା ଭକ୍ତି ସହିତ ମାନବିକତା, ଶ୍ରମର ସମ୍ମାନ ଓ ସମାଜରେ ସମାନ ଅଧିକାର। ଶତାବ୍ଦୀ ପରେ ମଧ୍ୟ ଏହି ଚିନ୍ତାଧାରାର ପ୍ରାସଙ୍ଗିକତା ଅତୁଟ ରହିଛି ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ‎ଗୁରୁ ରବିଦାସଙ୍କ ଜୀବନ ଓ ସଂଘର୍ଷ ଆଜିର ପିଢ଼ି ପାଇଁ ଏକ ବଡ଼ ପ୍ରେରଣା। ସାମାଜିକ ଅସମାନତା ବିରୋଧରେ ତାଙ୍କର ସ୍ୱର ଓ ସମସ୍ତଙ୍କ ପାଇଁ ସମ୍ମାନ ଏବଂ ସମାନତାର ଆହ୍ୱାନ ଆଜି ମଧ୍ୟ ସମାଜକୁ ନୂଆ ଦିଗ ଦେଖାଉଛି। ବକ୍ତାମାନେ କହିଥିଲେ, ଯୁଗ ବଦଳିଛି, ସମାଜ ବଦଳିଛି, କିନ୍ତୁ ମଣିଷ ମଧ୍ୟରେ ଭାଇଚାରା, ସମାନତା ଓ ସମରସତାର ଆବଶ୍ୟକତା କମିନାହିଁ। ଏହି କାରଣରୁ ଗୁରୁ ରବିଦାସଙ୍କ ବାଣୀ ଆଜି ମଧ୍ୟ ସମାନ ଭାବରେ ପ୍ରାସଙ୍ଗିକ। ‎ସାଧୁସନ୍ଥଙ୍କ ଉପସ୍ଥିତିରେ ବାଲେଶ୍ୱର ଜିଲ୍ଲାର ସମସ୍ତ ୩୩ଟି ମଣ୍ଡଳକୁ ବାରଣାସୀରୁ ଆସିଥିବା ପବିତ୍ର ମାଟି କଳସ ପ୍ରଦାନ କରାଯାଇଥିଲା। ଏହି କଳସ ପ୍ରତ୍ୟେକ ମଣ୍ଡଳରେ ଗୁରୁ ରବିଦାସଙ୍କ ଜୀବନ ଓ ଆଦର୍ଶକୁ ନେଇ ଆୟୋଜିତ କାର୍ଯ୍ୟକ୍ରମର ଏକ ପ୍ରମୁଖ ପ୍ରତୀକ ହେବ।
‎ପ୍ରତ୍ୟେକ ମଣ୍ଡଳରୁ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଶକ୍ତିକେନ୍ଦ୍ରରୁ ବୁଥ୍‌ ପର୍ଯ୍ୟନ୍ତ ଗୁରୁ ରବିଦାସଙ୍କ ସମାନତା, ସାମାଜିକ ସମରସତା ଓ ମାନବିକତାର ବାର୍ତ୍ତା ପହଞ୍ଚାଯିବ ବୋଲି ଜିଲ୍ଲା ସଭାପତି ଶ୍ରୀ ବେହେରା ସୂଚନା ଦେଇଥିଲେ। ‎ମଞ୍ଚାସୀନ ଅତିଥିମାନେ ଗୁରୁ ରବିଦାସଙ୍କ ଜୀବନାଦର୍ଶ, ତାଙ୍କର ସମାଜ ସଂସ୍କାର ଚିନ୍ତାଧାରା ଏବଂ ସମାଜରେ ସମାନତା ପ୍ରତିଷ୍ଠା ପାଇଁ ତାଙ୍କ ଅବଦାନ ଉପରେ ଆଲୋଚନା କରିଥିଲେ। ସଭାକାର୍ଯ୍ୟକୁ ଏସ୍‌ସି ମୋର୍ଚ୍ଚା ସଭାପତି ସନ୍ତୋଷ ସେଠୀ ପରିଚାଳନା କରିଥିଲେ। ‎ଟୋଲିର ଅନ୍ୟତମ ସଦସ୍ୟ ରାଜେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ