ତାମୁଳିଆ ଓଭର୍ବ୍ରିଜ୍ ନିର୍ମାଣ କାର୍ଯ୍ୟ ନିମ୍ନମାନର : ତୁରନ୍ତ ମରାମତି ଓ ନୂତନ ଓଭରବ୍ରିଜ୍ ନିର୍ମାଣ ପାଇଁ ଦାବି
ବାଲେଶ୍ୱର, (ସରୋଜ ପଣ୍ଡା): ଗତ ୨୦୧୯ ମସିହା ଫେବୃଆରୀ ୧୩ ତାରିଖ ଦିନ ରାଜଧାନୀ ଭୁବନେଶ୍ୱରରୁ ବାଲେଶ୍ୱର ସହରକୁ ପ୍ରବେଶ ପଥ ତାମୁଳିଆ ରେଳଫାଟକ ଉପରେ ଏକ ଓଭରବ୍ରିଜ୍କୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ବାଲେଶ୍ୱର ସହରକୁ ମୁଖ୍ୟ ପ୍ରବେଶ ପଥରେ ରେଳ ଫାଟକ ସମସ୍ୟାର ସ୍ଥାୟୀ ସାମାଧାନ ହୋଇଥିବାରୁ ସହରବାସୀ ଓ ଜିଲ୍ଲାବାସୀ ଆନନ୍ଦ ପ୍ରକାଶ କରିଥିଲେ। ଏଥିପାଇଁ ସରକାରୀ ରାଜକୋଷରୁ ୬୩୫୫.୯୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ଏହି ଓଭରବ୍ରିଜ୍ର ନିର୍ମାଣ ଶୈଳୀ ତ୍ରୁଟିପୂର୍ଣ୍ଣ ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଜନିତ କାରଣରୁ ଧନ ଓ ଜୀବନ ନଷ୍ଟ ହେଉଛି। ନିମ୍ନମାନର ନିର୍ମାଣ ଯୋଗୁଁ ପୋଲର ପ୍ରତିବର୍ଷ ମରାମତି ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଅଣଓସାରିଆ ଓଭରବ୍ରିଜ୍ ହୋଇଥିବାରୁ ଦୁଇଟି ଚାରିଚକିଆ ଗାଡ଼ି ମଧ୍ୟ ସ୍ୱଚ୍ଛନ୍ଦରେ ଚଳାଚଳ କରିପାରୁନାହିଁ। ଓଭରବ୍ରିଜ୍ର ଉପରିଭାଗ ଓ ଦୁଇ ପାଶ୍ୱର୍ରେ ପୋଲ ସଂଲଗ୍ନ ରାସ୍ତା ଦୁଇଚକିଆ ଯାନର ଯାତ୍ରୀଙ୍କ ପାଇଁ ମରଣଯନ୍ତା ପାଲଟିଛି। ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ବୁଧବାର ସନ୍ଧ୍ୟାରେ ରାସ୍ତା ଓ ଗୃହନିର୍ମାଣ ବିଭାଗ(ନଂ-୧)ର ଅଧିକ୍ଷଣ ଯନ୍ତ୍ରୀ ଇଂ. ଲମ୍ବୋଦର ନାୟକଙ୍କୁ ସାକ୍ଷାତ କରି ୩ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଓଭରବ୍ରିଜ୍ ନିର୍ମାଣରେ ତ୍ରୁଟି ଓ ଅର୍ଥ ତୋଷରପାତ ଅଭିଯୋଗର ତଦନ୍ତ ସହ ତୁରନ୍ତ ଉନ୍ନତ ଧରଣର ସଂପୂର୍ଣ୍ଣ ମରାମତି କାର୍ଯ୍ୟ କରିବାକୁ ଦାବି କରାଯାଇଛି। କୁରୁଡ଼ା ଠାରୁ ଫକୀରମୋହନ ଗୋଲେଇ ପର୍ଯ୍ୟନ୍ତ ରାସ୍ତାର ଉଭୟ ପଟକୁ ରାସ୍ତା ଚଉଡ଼ା କରାଯାଉଥିବାରୁ ସହରକୁ ପ୍ରବେଶ ଓ ପ୍ରସ୍ଥାନ ପଥ ତାମୁଳିଆ ଓଭରବ୍ରିଜ୍ ପାଶ୍ୱର୍ରେ ଅନ୍ୟ ଏକ ଓଭରବ୍ରିଜ୍ ନିର୍ମାଣ ପାଇଁ ସିଭିଲ୍ ସୋସାଇଟି ଦାବି କରିଛି। ଅଧିକ୍ଷଣ ଯନ୍ତ୍ରୀ ଶ୍ରୀ ନାୟକ ମରାମତି କାର୍ଯ୍ୟ ପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବାର ଓ ବର୍ଷା ପରେ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ସିଭିଲ୍ ସୋସାଇଟିକୁ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ଜଣାଯାଇଛି। ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଓ ଅନ୍ୟ ଏକ ନୂତନ ଓଭର୍ବ୍ରିଜ୍ ନିର୍ମାଣ ଦାବିକୁ ସେ ବିଭାଗୀୟ ଉଚ୍ଚ ଅଧିକାରୀ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଏହି ଦାବିପତ୍ର ପ୍ରଦାନ ଓ ସାକ୍ଷାତ ଆଲୋଚନା ବେଳେ ସିଭିଲ୍ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓ ସଂପାଦକ ବରିଷ୍ଠ ଆଇନଜୀବୀ ମନୋଜ ନାୟକ, କୋଷାଧ୍ୟକ୍ଷ ସନ୍ତୋଷ ସାହୁ, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଓ ସଦସ୍ୟ କମଳାକାନ୍ତ ବେହେରା ଉପସ୍ଥିତ ଥିଲେ।


