କେନ୍ଦୁଝରରେ କଳିଙ୍ଗ ହର୍ବାଲ ମେଳା
କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ବନଖଣ୍ଡ, କେନ୍ଦୁଝର ଏବଂ ରାଜ୍ୟ ଔଷଧୀୟ ବୃକ୍ଷ ସଂସ୍ଥା ଦ୍ବାରା ଆୟୋଜିତ ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା ଆସନ୍ତା ଜାନୁଆରୀ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି କେନ୍ଦୁଝର ଷ୍ଟାଡିୟମରେ ଅନୁଷ୍ଠିତ ହେବ। ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାର ଅଞ୍ଚଳରୁ ବୈଦ୍ୟ ତଥା ଆୟୁର୍ବେଦିକ ଡାକ୍ତର ଅଂଶଗ୍ରହଣ କରିବେ । ଏହି ମେଳାରେ ପ୍ରାୟ ୬୦ ଜଣ ବୈଦ୍ୟ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମିଲେଟ ମିଶନ, ଶ୍ରମ ନିୟୋଜନ ବିଭାଗ, ଓଡିଶା ବନ ଉନ୍ନୟନ ନିଗମ ପକ୍ଷରୁ ବିଭିନ୍ନ ଷ୍ଟଲ ଖୋଲାଯାଇ ଆୟୁର୍ବେଦିକ ଔଷଧ ତଥା ଜଡ଼ିବୁଟି ବିକ୍ରିବଟା କରାଯିବା ସହ ମାଗଣାରେ ଚିକିତ୍ସା ମଧ୍ୟ କରାଯିବ। ଏହାଛଡା ୫ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ମେଳାରେ ବୈଦ୍ୟ ଓ ଆୟୁର୍ବେଦିକ ଡାକ୍ତର ସମ୍ମିଳନୀ, ବରିଷ୍ଠ ନାଗରିକଙ୍କ ପାଇଁ ପୁରାତନ ରୋଗ ଉପଚାର ସମ୍ପର୍କରେ ଆଲୋଚନା ଚକ୍ର କରାଯିବ। ପ୍ରତିଦିନ ସକାଳ ୧୦ଟାରୁ ରାତି ୯ଟା ପର୍ଯ୍ୟନ୍ତ ଆୟୁର୍ବେଦିକ ଡାକ୍ତରଙ୍କ ଦ୍ବାରା ମାଗଣା ସାସ୍ଥ୍ୟ ପରୀକ୍ଷା ତଥା ବିଭିନ୍ନ ରୋଗ ସମ୍ବନ୍ଧରେ ପରାମର୍ଶ ଦିଆଯିବ। ଏହି ମେଳାରେ ବିଭିନ୍ନ ଆୟୁର୍ବେଦିକ ଔଷଧ,ସୁଗନ୍ଧିତ ବୃକ୍ଷ, ହର୍ବାଲ ଔଷଧର ପ୍ରଦର୍ଶିନୀ ଏବଂ ବିକ୍ରି ଉଦେଶରେ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯିବ। ଏଥିସହ ବିଭିନ୍ନ ସାଂସ୍କୃତିକ ସଂଗଠନ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବ । ଏହି ମେଳାରେ ପ୍ରବେଶ ସମ୍ପୂର୍ଣ ମାଗଣା। ଏନେଇ ସୂଚନା ଦେଇଛନ୍ତି କେନ୍ଦୁଝର ବନଖଣ୍ଡ ଅଧିକାରୀ ଏଚଡି ଧନରାଜ । ଏହି ସାମ୍ବାଦିକ ସମ୍ମିଳନୀ ରେ ସହକାରୀ ବନ ସଂରକ୍ଷକ ପ୍ରତୀକ ପ୍ରକାଶ ଇନ୍ଦଲକର ଓ ଅଶୋକ କୁମାର ଦାସ ଉପସ୍ଥିତ ଥିଲେ।


