କଳିଙ୍ଗ ବୈଶ୍ୟ ମହିଳା ସଂଘ ପକ୍ଷରୁ ରଜମଉଜ ପାଳିତ
ଆସିକା (ୱାଇଏନ୍ଏସ୍) କଳିଙ୍ଗ ବୈଶ୍ୟ (ଋଷିକୁଲ୍ୟା ଅଞ୍ଚଳ) ଆସିକା ପଞ୍ଚମହିଳା ସଂଘର କଳା, ସାହିତ୍ୟ,ସଂସ୍କୃତି, ଐତିହ୍ୟ ଓ ଭାଇଚାରର ସଂପର୍କକୁ ସଦାସର୍ବଦା ଉଜ୍ଜିବୀତ ରଖିବା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରଥମ ଥର ପାଇଁ ରଜ ମଉଜ ୨୦୨୬ ସ୍ଥାନୀୟ ଓମ୍ ଶ୍ରୀ ଶ୍ରୀ ବାସବୀ ମା କନ୍ୟକା ପରମେଶ୍ୱରୀ ମନ୍ଦିର ପରିସରରେ ହର୍ଷ ଉଲ୍ଲାସର ସହ ପାଳିତ ହୋଇଯାଇଛି । କଳିଙ୍ଗ ବୈଶ୍ୟ ମହିଳା ସଂଘ (ଋଷିକୁଲ୍ୟା ଅଞ୍ଚଳ) ଆସିକା ପଞ୍ଚମହିଳା ସଂଘର ବରିଷ୍ଠ କାର୍ଯ୍ୟକର୍ତ୍ତା ପି.ରାଧାରାଣୀ ପାତ୍ର, ରଶ୍ମିତା ପୃଷ୍ଟି, ରଶ୍ମିତା ପାତ୍ର, ସାଇଶ୍ୱରୀ ପାତ୍ର, ଟି.ଝିଲି ପାତ୍ର, ଇ.ସନ୍ତୋଷିନୀ ପାତ୍ର, ଲଳିତା ଗୁପ୍ତା ପ୍ରମୁଖ ଏହି ରଜ ମଉଜ ପାଳନ କାର୍ଯ୍ୟକ୍ରମରେ ଯୋଗଦେଇ ପଞ୍ଚମହିଳା ସଂଘର କଳା ଓ ସଂସ୍କୃତି ଓ ପରସ୍ପର ମଧ୍ୟରେ ନିିବିଡତାକୁ ଆହୁରି ଘନିଷ୍ଟ କରିବା ଦିଗରେ ଏହି ରଜ ମଉଜ ବିଶେଷ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରି ଉତ୍କଳୀୟ ସଂସ୍କୃତିରେ ରଜ ଉତ୍ସବ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ଓ ପରାମର୍ଶ ପ୍ରଦାନ କରିଥିଲେ । ଗଣପର୍ବ ରଜ ମଉଜ ଅବସରରେ ଆସିକା ଲକ୍ଷ୍ମୀ ବଜାର ସ୍ଥିତ ବାସବୀ ମା କନ୍ୟକା ପରମେଶ୍ୱରୀ କଲ୍ୟାଣ ମଣ୍ଡପ ପରିସରରେ ଦୋଳିଖେଳ ଜମିଥିବା ବେଳେ କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ଅଞ୍ଚଳ ଆସିକା ପଞ୍ଚମହିଳା ସଂଘ ଉତ୍ସାହୀ ମହିଳାମାନେ ନିଜ ଘରେ ପ୍ରସ୍ତୁତ କରିଆଣିଥିବା ଓଡିଶାର ପାରମ୍ପରିକ ସ୍ୱାଦିଷ୍ଟ ଓ ସୁସ୍ୱାଦୁ ପିଠାର ସମାହାର ଓ ମହକରେ ପରିବେଶ ମହକିଥିବା ଦେଖିବାକୁ ମିଳିଥିଲା । କାହିଁ କେଉଁ ଆବାହମାନ କାଳରୁ ଘରେ ଘରେ ପାଳିତ ହୋଇଆସୁଛି ସଂସ୍କୃତି ଓ ପରମ୍ପରାର ମୂକସାକ୍ଷୀ ଗଣପର୍ବ ରଜ । ଏହି ଅବସରରେ କଳିଙ୍ଗ ବୈଶ୍ୟ ଆସିକା ପଞ୍ଚମହିଳା ସଂଘର ମହିଳାମାନେ ସୁସଜ୍ଜିତ ଦୋଳିରେ ଖେଳି ପରସ୍ପରକୁ ଗଣପର୍ବ ରଜର ଶୁଭେଚ୍ଛା ଜଣାଇଥିଲେ । ବନସ୍ତେ ଡାକିଆ ଗଜ, ବରଷକୁ ଥରେ ଆସିଛି ରଜ, ଆସିଛି ରଜଲୋ ଘେନି ନୁଆଁ ସଜବାଜ ଏହି ଗୀତ ଗାଇ ମହିଳାମାନେ ଦୋଳି ଖେଳୁଥିିବା ଦେଖିବାକୁ ମିଳିଥିଲା । ହାତରେ ମେହେନ୍ଦୀ ପାଦରେ ଅଳତା ଓ ନୁଆଁ ଲୁଗା ପରିଧାନ କରି ସୁସ୍ୱାଦୁ ପିଠା ଖାଇ ବେଶ୍ ଉତ୍ସାହର ସହ ବାସବୀ ମା କନ୍ୟକା ପରମେଶ୍ୱରୀ କଲ୍ୟାଣ ମଣ୍ଡପ ପରିସରରେ ଗଣପର୍ବ ରଜ ପାଳିତ ହୋଇଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସଂଗଠନର ବହୁ ସଦସ୍ୟା ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ପରମ୍ପରା, ସଂସ୍କୃତି ଓ ଭାଇଚାରାର ଅନନ୍ୟ ବାର୍ତ୍ତା ବହନ କରୁଥିବା ୩ ଦିନିଆ ରଜ ମହୋତ୍ସବ ୨୦୨୬ ମଙ୍ଗଳବାର ଉଦ୍ଯାପିତ ହୋଇଯାଇଥିଲା ବେଳେ ସ୍ଥାନୀୟ ଓମ୍ ଶ୍ରୀ ଶ୍ରୀ ବାସବୀ ମା କନ୍ୟକା ପରମେଶ୍ୱରୀ ମନ୍ଦିର ପରିସରରେ କଳିଙ୍ଗ ବୈଶ୍ୟ ଋଷିକୁଲ୍ୟା ଅଞ୍ଚଳ ଅଧୀନସ୍ଥ ଆସିକା ପଞ୍ଚ ମହିଳା ସଂଘର ମିଳିତ ସହଯୋଗରେ ଆନନ୍ଦ ଉଲ୍ଲାସର ସହ ସେଲିବ୍ରେସନ୍ ହୋଇଥିବା ରଜ ମଉଜ ସଂଗଠନର ମହିଳା ସଦସ୍ୟାଙ୍କ ମଧ୍ୟରେ ଭାଇଚାରା ଓ ଏକତାକୁ ଆହୁରି ସୁଦୃଢ କରିପାରିବ ବୋଲି ସଂଗଠନର ଋଷିକୁଲ୍ୟା ଅଞ୍ଚଳ ସଭାପତି ବି.ଭେଙ୍କେଟରମଣ ମୂର୍ତ୍ତି ସୂଚନା ଦେଇଛନ୍ତି ।


