ପୁଣି ବିବାଦରେ ଚୌଦ୍ବାର ଜେଲ୍ : ଜେଲ୍ରେ ପଶିଲା ଗ୍ୟାଙ୍ଗଷ୍ଟର୍ ଥାର୍ ଗାଡ଼ି
କଟକ, (ଓ୍ବାଇଏନଏସ): ପୁଣି ବିବାଦରେ ଚୌଦ୍ବାର ସର୍କଲ ଜେଲ୍। ଜେଲ୍ ବିଭାଗ, କୋର୍ଟ, ପୁଲିସ କିମ୍ବା ଜେଲ୍କୁ ଖାଦ୍ୟଯୋଗାଣକାରୀ ଠିକାସଂସ୍ଥାର ଗାଡ଼ି ଯାଞ୍ଚପରେ କ୍ୟାମ୍ପସ୍କୁ ଯିବାକୁ ଅନୁମତି ଥାଏ। କଏଦୀଙ୍କ କୌଣସି ବ୍ୟକ୍ତିଗତ ଗାଡ଼ିକୁ ଅନୁମତି ନାହିଁ। କିନ୍ତୁ ଗ୍ୟାଙ୍ଗଷ୍ଟର୍ ଧଳସାମନ୍ତ ଭାଇଙ୍କ ସହଯୋଗୀ ଗ୍ୟାଙ୍ଗଷ୍ଟର୍ ଲିଟୁଆ ଓରଫ ଭରତ ବେହେରା ଜେଲ୍ରୁ ଖଲାସ ହେବା ପରେ ତାକୁ ଜେଲ୍ରୁ ଆଣିବାକୁ ଜେଲ୍ କ୍ୟାମ୍ପସ୍ ଭିତରକୁ ତା’ର ଥାର୍ ଗାଡ଼ି ଅନାୟାସରେ ପଶିଥିଲା। ଲିଟୁଆର ପଲଟଣ ସେହି ଗାଡ଼ିରେ ବୋଝେଇ ହୋଇ କ୍ୟାମ୍ପସ୍ ଭିତରୁ ଲିଟୁଆକୁ ସ୍ବାଗତ କରିବା ସହିତ ଏକ ୩୫ ସେକେଣ୍ଡର ରିଲ୍ସ କରି ଏହାକୁ ସୋସିଆଲ୍ ମିିଡିଆରେ ଭାଇରାଲ୍ ବି କରିଛନ୍ତି। ରିଲ୍ସରେ ‘ଭାଇ ଆସିଗଲା’ ବୋଲି ଉଲ୍ଲେଖ ହୋଇଛି। ଜେଲ୍ ଭିତରକୁ ଗ୍ୟାଙ୍ଗଷ୍ଟରଙ୍କ ଗାଡ଼ି ଛାଡ଼ିବାକୁ ଓ ରିଲ୍ସ ପାଇଁ ଜେଲ୍ କର୍ତ୍ତୃପକ୍ଷ କେମିତି ଅନୁମତି ଦେଲେ ତାହାକୁ ନେଇ ପ୍ରଶ୍ନ ଉଠିଛି। ୨୦୨୬ ଜାନୁଆରି ୧୮ରେ ବାରଙ୍ଗ ଥାନା ପୁଲିସ ବିଡ଼ାନାସୀର ଲିଟୁଆ ସମେତ ୧୦ ଜଣଙ୍କୁ ଗିରଫ କରି ଚୌଦ୍ବାର ଜେଲ୍ ପଠାଇଥିଲା। ଲିଟୁଆ ସମେତ ରାକେଶ ବେହେରା, ଦିଲୀପ କୁମାର ସାସମଲ, ଓମ୍ ସାସମଲ, ଆୟୁଷ ମହାନ୍ତି, ତ୍ରିଶୂଳିଆର ସୁର ଓରଫ ସୁରେଶ ସିଂହ, ସନ୍ତୋଷ ସାସମଲ, ନିଆଳିର ପୁପୁନ ବେହେରା, ବ୍ରାହ୍ମଣଝରିଲୋର ସତ୍ୟବାନ ସାମଲ, ପାତ୍ରପଡ଼ା କଳିଙ୍ଗବିହାରର ସିଦ୍ଧାନ୍ତ ଓମ୍ପ୍ରକାଶ ଗିରଫ ହୋଇ ଜଣକ ପରେ ଜଣେ ଜାମିନରେ ଜେଲରୁ ଖଲାସ ହୋଇଥିଲେ। ଗତ ସପ୍ତାହରେ ଲିଟୁଆ ଜେଲ୍ରୁ ମୁକୁଳିଥିଲା। ସିଡିଏ ସେକ୍ଟର ୧୧ ବାଲିଘାଟ ମାଲିକଙ୍କୁ ଧମକାଇ ୨୦ ଲକ୍ଷ ଟଙ୍କା ଆଣିବା ପରେ ଏଥିରେ ଯେଉଁ ‘ଥାର୍ ରକ୍ସ’ ଲିଟୁଆ କିଣିଥିଲା, ଏହି ଗାଡ଼ିକୁ ବାରଙ୍ଗ ଥାନା ପୁଲିସ ଜବତ କରି ପରେ ଛାଡ଼ିଦେଇଥିଲା। ସେହି ଗାଡ଼ି ନେଇ ବଣ୍ଟିଆ ଓ ପେଚୁ ଚୌଦ୍ବାର ଜେଲ୍ରେ ପଶି ଲିଟୁଆକୁ ଆଣିଥିଲେ। ଜେଲ୍ରୁ ଆସିବା ପରେ ଲିଟୁଆ ପୁଣି ତା’ ଗ୍ୟାଙ୍ଗର ଦରବାର ବାଲିଯାତ୍ରା ଉପର ପଡ଼ିଆରେ ଆରମ୍ଭ କରିଛି। ସନ୍ଧ୍ୟା ୭ଟାରୁ ୧୦ଟା ଯାଏଁ ଲିଟୁଆ ଗ୍ୟାଙ୍ଗର ଆଡ଼ା ଜମୁଛି। ଦୁଇଟି ବଡ଼ ଗାଡ଼ି ଓ ବହୁ ସଂଖ୍ୟାରେ ବାଇକ୍ ଠୁଳ ହେଉଛି। ଗ୍ୟାଙ୍ଗରେ ଏବେ ୧୦ରୁ ୧୫ ଜଣ ସାମିଲ ହୋଇଛନ୍ତି। ଲିଟୁଆର ଖାସ୍ ସହଯୋଗୀ ଏବେ ବିଡ଼ାନାସୀର ବଣ୍ଟିଆ ଓ ଜଗତପୁରର ପେଚୁ। ବଣ୍ଟିଆ ଏବେ ବିଲ୍ଡର୍, ବାଲିଘାଟ ଲିଜ୍ଧାରୀ, ଜମି ବ୍ୟବସାୟୀଙ୍କୁ ଧମକ ଦେଇ ଟଙ୍କା ଆଦାୟ କରୁଥିବା କୁହାଯାଉଛି। ଏମାନେ କଲେଜ ଛାତ୍ରଙ୍କୁ ଗ୍ୟାଙ୍ଗରେ ସାମିଲ କରିବାକୁ ଉଦ୍ୟମ ଚଳାଇଛନ୍ତି।


