କେନ୍ଦ୍ରାପଡା ଆର.ଡି. ଡିଭିଜନ-୨ ସିଲ, କୋର୍ଟ କର୍ମଚାରୀ ମାରିଲେ ନାଲି ଫିତା,

କେନ୍ଦ୍ରାପଡ଼ା (ଚିତ୍ତ ରଞ୍ଜନ ଦାଶ),:ଠିକାଦାରଙ୍କ ବକେୟା ବିଲ୍ ପ୍ରଦାନ ନ କରି ଶେଷରେ ଅଡ଼ୁଆରେ ପଡ଼ିଛି କେନ୍ଦ୍ରାପଡ଼ା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ଡିଭିଜନ (ଆରଡି)-୨। କେନ୍ଦ୍ରାପଡ଼ା ବାଣିଜ୍ୟିକ କୋର୍ଟ (ସିଭିଲ ଜଜ୍ ସିନିଅର ଡିଭିଜନ)ଙ୍କ ନିର୍ଦ୍ଦେଶକ୍ରମେ ଆଜି ପୂର୍ବାହ୍ନରେ କୋର୍ଟର ଅଧିକାରୀ ଓ କର୍ମଚାରୀମାନେ ସେଠାରେ ପହଞ୍ଚି ଆରଡି-୨ କାର୍ଯ୍ୟାଳୟକୁ ସିଲ୍ କରିବା ସହ ସମସ୍ତ ଚଳନ୍ତି ସମ୍ପତ୍ତି ଓ ଆସବାବପତ୍ର ଜବତ କରିଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ୱରୂପ କାର୍ଯ୍ୟାଳୟର ସମସ୍ତ ଟେବୁଲ ଓ ଚେୟାରରେ ନାଲିଫିତା ମରାଯାଇଛି। ଗତକାଲି ଏନେଇ ଇଚ୍ଛାପୁର ସମେତ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଡେଙ୍ଗୁରା ପିଟାଯାଇ ସର୍ବସାଧାରଣଙ୍କୁ ଅବଗତ କରାଯାଇଥିବା ବେଳେ ଆଜି କୋର୍ଟ ଅଧିକାରୀ ଓ କର୍ମଚାରୀଙ୍କ ଏହି କଠୋର ପଦକ୍ଷେପ ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ୨୦୦୩-୦୪ ମସିହାରେ ଆରଡି-୨ ବିଭାଗ ଅଧୀନରେ ଠିକାଦାର ରମେଶ ଚନ୍ଦ୍ର ସାମନ୍ତରାୟ ରାଜନଗର ବ୍ଲକ୍‌ର ତାଳଚୁଆ ଓ ଦଳେଇସାହି ଠାରେ ପ୍ରାୟ ୧କୋଟି ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଦୁଇଟି ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିଥିଲେ। ପରବର୍ତ୍ତୀ ସମୟରେ ୨୦୦୪ ସାଧାରଣ ନିର୍ବାଚନରେ କଂଗ୍ରେସ ଟିକେଟ୍‌ରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବା ପାଇଁ ସେ ନିଜର ଠିକାଦାର ଲାଇସେନ୍ସ ସରେଣ୍ଡର କରିଦେଇଥିଲେ। ତେବେ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ବିଭାଗ ପକ୍ଷରୁ ତାଙ୍କୁ ବକେୟା ବିଲ୍ ପ୍ରଦାନ କରାଯାଇ ନଥିଲା। ନ୍ୟାୟ ପାଇଁ ଶ୍ରୀ ସାମନ୍ତରାୟ ଅଦାଲତଙ୍କ ଦ୍ୱାରସ୍ଥ ହେବା ପରେ ଏକ ଦୁଇଜଣିଆ ମଧ୍ୟସ୍ଥତା କମିଟି ନିଯୁକ୍ତ କରାଯାଇଥିଲା, ଯାହାର ରାୟ ଠିକାଦାରଙ୍କ ସପକ୍ଷରେ ଯାଇଥିଲା। ମାତ୍ର ବିଭାଗ ପକ୍ଷରୁ ଏହି ରାୟ କାର୍ଯ୍ୟକାରୀ ନ ହେବାରୁ ସେ ଅଦାଲତଙ୍କ ଆଶ୍ରୟ ନେଇଥିଲେ। କେନ୍ଦ୍ରାପଡ଼ା ବାଣିଜ୍ୟିକ କୋର୍ଟ ମଧ୍ୟ ମଧ୍ୟସ୍ଥତା କମିଟିର ରାୟକୁ କାଏମ ରଖି ବକେୟା ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସୁଧମୂଳ ମିଶି ବର୍ତ୍ତମାନ ଠିକାଦାର ପ୍ରାୟ ୧ କୋଟି ୩୭ ଲକ୍ଷ ଟଙ୍କା ପାଇବାକୁ ଥିବାବେଳେ ବିଭାଗୀୟ ଅବହେଳା ଯୋଗୁଁ ଅଦାଲତଙ୍କ ନିର୍ଦ୍ଦେଶରେ ଆଜି ଆରଡି ଡିଭିଜନ-୨ କାର୍ଯ୍ୟାଳୟର ସମ୍ପତ୍ତି ଜବତ କରାଯାଇଛି। ଅନ୍ୟପକ୍ଷରେ ଏହି ମାମଲାରେ ଅଦାଲତ ଦେଇଥିବା ପୂର୍ବ ରାୟକୁ ଚାଲେଞ୍ଜ କରି ବିଭାଗ ପକ୍ଷରୁ ଉପର ଅଦାଲତଙ୍କ ଦ୍ୱାରସ୍ଥ କରାଯାଇଥିବା ନେଇ ଆରଡି-୨ ଅଧୀକ୍ଷଣ ଯନ୍ତ୍ରୀ ସୁରଥ ବିଶ୍ୱାଳ ସୂଚନା ଦେଇଛନ୍ତି। ତେବେ କେନ୍ଦ୍ରାପଡ଼ା ବାଣିଜ୍ୟିକ କୋର୍ଟ (ସିଭିଲ ଜଜ୍ ସିନିଅର ଡିଭିଜନ)ଙ୍କ ନିର୍ଦ୍ଦେଶ ପରେ ଆଜି କୋର୍ଟର ଅଧିକାରୀ ଓ କର୍ମଚାରୀମାନେ ପହଞ୍ଚି ଆର.ଡି. କାର୍ଯ୍ୟାଳୟ ସିଲ୍ କରିବା ଘଟଣା ପ୍ରଶାସନିକ ମହଲରେ ହଇଚଇ ସୃଷ୍ଟି କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ