ଆସିକାରେ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍) : ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଜିଲ୍ଲା ପ୍ରଶାସନର ପରାମର୍ଶକ୍ରମେ ଆସିକା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଏକ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ସହ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚାଇବା ଲକ୍ଷ୍ୟରେ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନ୍‍ସନ୍‍ ଯୋଜନା ଅନ୍ତର୍ଗତ ଭତ୍ତା ଯୋଜନାରେ ସାମିଲ୍‍ କରାଯାଇଛି । ମଧୁବାବୁ ପେନସନ୍‍ ଯୋଜନାରେ ଆସିକା ବ୍ଳକ ପରିସରଭୁକ୍ତ ୨୭ଟି ପଞ୍ଚାୟତର ନୂତନ ଭାବେ ୨୯୮୮ ଜଣ ନୂତନ ହିତାଧିକାରୀ ସାମିଲ୍‍ ହୋଇଥିବା ଜଣାପଡିଛି । ଏହାଦ୍ୱାରା ମଧୁବାବୁ ପେନସନ୍‍ ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ବୃଦ୍ଧି ପାଇଁ ୧୭୧୮୧ ରେ ପହଞ୍ଚିଛି । ପୂର୍ବରୁ ଆସିକା ବ୍ଳକ ପରିସରଭୁକ୍ତ ୨୭ଟି ପଞ୍ଚାୟତରେ ୧୪୧୯୩ ଜଣ ହିତାଧିକାରୀ ମଧୁବାବୁ ପେନସନ୍‍ ଯୋଜନାରେ ଉପକୃତ ହେଉଥିଲା ବେଳେ ବର୍ତ୍ତମାନ ତାହା ୨୯୮୮ ଟି ବୃଦ୍ଧି ପାଇଁ ସମୂଦାୟ ୧୭୧୮୧ ରେ ପହଞ୍ଚିଥିବା ଜଣାପଡିଛି । ଆସିକା ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାଜେନ୍ଦ୍ର ପ୍ରସାଦ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ କାର୍ଯ୍ୟକ୍ରମରେ ବିଧାୟକ ସରୋଜ କୁମାର ପାଢୀ ଯୋଗଦେଇ ସାମାଜିକ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସରଳ, ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବା ସହ ଯୋଗ୍ୟ ବ୍ୟକ୍ତିଙ୍କୁ ସମୟୋଚିତ ଭତ୍ତା ପ୍ରଦାନ ଉଦ୍ଦେଶ୍ୟରେ ସରକାର କାର୍ଯ୍ୟକାରୀ କରିଥିବା ଯୋଜନା ଉପରେ ଆଲୋକପାତ କରିବା ସାଙ୍ଗକୁ ସାମାଜିକ ସୁରକ୍ଷା ଭତ୍ତା ପାଇଁ ଆଉ ହିତାଧିକାରୀଙ୍କ ମାସ ମାସ କିମ୍ବା ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡିବ ନାହିଁ । ନୂତନ ପୋର୍ଟାଲ୍‍ ମାଧ୍ୟମରେ ଆବେଦନ ଯାଞ୍ଚ ଓ ଅନୁମୋଦନ ପ୍ରକ୍ରିୟା ସହଜ ହେବା ସହ ଯୋଗ୍ୟ ବ୍ୟକ୍ତିମାନେ ଠିକ୍‍ ସମୟରେ ଭତ୍ତା ପାଇପାରିବେ । ଆସିକା ବ୍ଳକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସାମାଜିକ ସୁରକ୍ଷା ଭତ୍ତା ବଣ୍ଟନ ମେଳାରେ ନୂତନ ଭାବେ ମଧୁବାବୁ ପେନସନ୍‍ ଯୋଜନାରେ ସାମିଲ୍‍ ହୋଇଥିବା ପ୍ରାୟ ୪୦୦ ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଭତ୍ତା ବଣ୍ଟନ କରାଯାଇଥିଲା ବେଳେ ଅବଶିଷ୍ଟ ହିତାଧିକାରୀମାନଙ୍କୁ ଆଗାମୀ କିଛି ଦିନ ମଧ୍ୟରେ ପଞ୍ଚାୟତସ୍ତରରେ ଭତ୍ତା ବଣ୍ଟନ କରାଯିବ ବୋଲି ଜଣାପଡିଛି । ଆସିକା ବ୍ଳକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି, ଏବିଡିଓ ସୁଶାନ୍ତ କୁମାର ବେହେରା, ସାମାଜିକ ସୁରକ୍ଷା ବିଭାଗର କନିଷ୍ଠ କିରାଣୀ ଗଗମ କୁମାର ପ୍ରଧାନ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସୁକାନ୍ତ କୁମାର ନାୟକ, ସୁଶାନ୍ତ କୁମାର ଭୂୟାଁ, ପ୍ରଦୀପ କୁମାର ପାତ୍ର, ସୁଶାନ୍ତ କୁମାର ଗୌଡ, ଶୈଳେନ୍ଦ୍ର କୁମାର ପାଢୀ, ରିଙ୍କୁ ପାତ୍ର, ସଙ୍ଗୀତା ନାୟକ, କୁଳମଣି ସାହୁ, ସିଦ୍ଧିରଂଜନ ନାୟକ, କେ.ଯୋଗେନ୍ଦ୍ର ରେଡିଙ୍କ ସମେତ ବହୁ ପିଇଓ ଓ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ