ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ ଘଟଣା: ଅଭିଯୁକ୍ତକୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଅଞ୍ଚଳର ଏକ ପ୍ରତିଷ୍ଠିତ କଲେଜ ରେ ଯୁକ୍ତ ୩ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକା ଛାତ୍ରୀ ଙ୍କୁ ଅପହରଣ ଓ ବଳାତ୍କାର ଘଟଣାରେ ଅଭିଯୁକ୍ତ ଦଣ୍ଡ ପାତ୍ର ଙ୍କୁ ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ଗିରଫ କରି ଶନିବାର ବ୍ରହ୍ମପୁର ପୋକସ୍ କୋର୍ଟ କୁ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୪୪୬/୨୫ ଅନୁଯାୟୀ ଅଭିଯୁକ୍ତଙ୍କ ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାଙ୍କୁ ବ୍ରହ୍ମପୁର ଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ୬ ତାରିଖରେ ଛାତ୍ରୀଙ୍କ ଘରେ କେହି ନଥିବା ସୁଯୋଗ ନେଇ ଅଭିଯୁକ୍ତ ତାଙ୍କୁ ଅପହରଣ କରି ନେଇଥିଲେ। ଘଟଣା ପ୍ରଘଟ ହେବା ପରେ ଭୁବନେଶ୍ୱର ରେ ରହି ଦିନ ମଜୁରିଆ କାମ କରୁଥିବା ଛାତ୍ରୀ ଙ୍କ ମା ଘରେ ପହଞ୍ଚି ଝିଅ ର ଖୋଜ ଖବର ନେଇଥିଲେ।ଘର ଆଲାମିରାରେ ପ୍ରାୟ ୧ ଲକ୍ଷ ଟଙ୍କା ଏବଂ ପ୍ରାୟ ୩ ଭରି ଓଜନର ସୁନାହାର,କାନଫୁଲ ନଥିବା ଜଣାପଡିଥିଲା।ଝିଅର ସନ୍ଧାନ ନମିଳିବାରୁ ଗତ ୮ ତାରିଖରେ ଦିଗପହଣ୍ଡି ଥାନାରେ ପହଞ୍ଚି ଅଭିଯୁକ୍ତଙ୍କ ନାଁ ରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମକଦ୍ଦମା ରୁଜୁ କରିଥିଲେ।ଶୁକ୍ରବାର ତଦନ୍ତକାରୀ ଅଧିକାରୀ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଟ୍ରାକିଂ କରିବାରୁ ଲୋକେସନ୍ ବ୍ରହ୍ମପୁର ରେଳ ଷ୍ଟେସନ ଦେଖାଇଥିଲା।ସେ ସଦଳବଳେ ଷ୍ଟେସନ ରେ ଚଢାଉ କରି ଅଭିଯୁକ୍ତ ଙ୍କୁ ଗିରଫ କରିବା ସହ ନାବାଳିକା ଛାତ୍ରୀ ଙ୍କୁ ଉଦ୍ଧାର କରି ଥାନାକୁ ଉଠାଇ ଆଣିଥିଲେ। ଭୁବନେଶ୍ୱର ପଳାଶୁଣି ନିକଟ ଓଭରବ୍ରିଜ ତଳେ ଏକ କୁଡ଼ିଆ ରେ ତାଙ୍କୁ ନେଇ ଦଣ୍ଡ ପାତ୍ର ରଖିଥିଲେ। ଗତ ୮ ତାରିଖରେ ଭୁବନେଶ୍ବର ପଳାଶୁଣି ନିକଟ ଏକ ମନ୍ଦିରରେ ଅଭିଯୁକ୍ତ ଦଣ୍ଡ ମୋ ମୁଣ୍ଡରେ ସିନ୍ଦୂର ଲଗାଇ ମୋତେ ବିବାହ କରିଥିବା ନେଇ ମହିଳା ଥାନା ଏସ.ଆଇ ସୋଫିଆ ମିଶ୍ର ଙ୍କ ସମ୍ମୁଖରେ ପୀଡ଼ିତା ଛାତ୍ରୀ ଜଣକ ବୟାନ ଦେଇଥିଲେ। ପରେ ବ୍ରହ୍ମପୁର ବଡ ଡାକ୍ତରଖାନା ରେ ଉଭୟ ଅଭିଯୁକ୍ତ ଏବଂ ଛାତ୍ରୀ ଙ୍କ ଡାକ୍ତରୀ ମାଇନା କରାଯିବା ସହ ମାଜିଷ୍ଟ୍ରେଟ ଙ୍କ ସମ୍ମୁଖରେ ପୀଡ଼ିତା ଛାତ୍ରୀ ଙ୍କ ବୟାନ ରେକର୍ଡ କରାଯାଇଥିବା ଜଣାପଡ଼ିଛି।


