ମହାବାରୁଣୀ ସ୍ନାନରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ

ଆସିକା  (ୱାଇଏନ୍‍ଏସ୍‍) : ପବିତ୍ର ଗଙ୍ଗାନଦୀ ଠାରୁ ହଜାରେ ବର୍ଷରେ ବଡ ରୂପେ ପରିଚିତ ଥିବା ଆସିକାର ପୂଣ୍ୟତୋୟା ଋଷିକୁଲ୍ୟା ନଦୀରେ ଆଜି ଅନୁଷ୍ଠିତ ହୋଇଥିବା ମହାବାରୁଣୀ ସ୍ନାନରେ ଜିଲ୍ଲା ତଥା ଜିଲ୍ଲା ବାହାରର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ହଜାର ହଜାର ବ୍ୟକ୍ତି ଋଷିକୁଲ୍ୟା ଓ ବଡନଦୀର ସଙ୍ଗମସ୍ଥଳ ବୁଡତୋଟାରେ ପୂଜାର୍ଚ୍ଚନା କରିବା ସହ ପିତୃପୁରୁଷଙ୍କ ପିଣ୍ଡଦାନ କରି ବୁଡ ପକାଇ ଅସ୍ତି ବିସର୍ଜନ, ଶ୍ରାଦ୍ଧ ତର୍ପଣ ଇତ୍ୟାଦି କାର୍ଯ୍ୟ କରିଥିଲେ । ପୂଣ୍ୟତୋୟା ଋଷିକୁଲ୍ୟା ନଦୀ ଆସିକା ସହରର ଦକ୍ଷିଣ ପାଶ୍ୱର୍ରେ ପ୍ରବାହିତ ହେଉଥିଲା ବେଳେ ଉତ୍ତର ପାଶ୍ୱର୍ରେ ବଡନଦୀ ପ୍ରବାହିତ ହେଉଛି । ଉଭୟ ନଦୀର ସଂଗମ ସ୍ଥଳରେ ପିଣ୍ଡଦାନ କଲେ କୋଟି ଜନ୍ମରୁ ପୂଣ୍ୟ ମିଳେ ବୋଲି ଲୋକପ୍ରଥା ପ୍ରଚଳିତ ହୋଇଆସୁଛି । ଏହି ସଂଗମ ସ୍ଥଳରେ ପୂର୍ବଜଙ୍କୁ ଅସ୍ତି ବିସର୍ଜନ, ସପ୍ତପୁରୁଷଙ୍କ ପିଣ୍ଡ ଦାନ କଲେ ପୂର୍ବଜଙ୍କ ଆତ୍ମା ତୃପ୍ତିଲାଭ କରି ଆଶୀର୍ବାଦ ପ୍ରଦାନ କରିଥାନ୍ତି । ମଙ୍ଗଳବାର ମହାବାରୁଣୀ ସ୍ନାନ ଅବସରରେ ଶହଶହ ବ୍ୟବସାୟୀ ନିଜର ବ୍ୟବସାୟ ପ୍ରତିଷ୍ଠାନ ଖୋଲି ବେଶ୍‍ ଦୁଇ ପଇସା ରୋଜଗାର କରିଥିବା ବେଳେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ମୌଳିକ ଆବଶ୍ୟକତା କୁହାଯାଉଥିବା ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଦିଗରେ ଗଞ୍ଜାମ ଜିଲ୍ଲା ଚାଉଳ କଳ ମାଲିକ ସଂଘର ଉପସଭାପତି ନିଗମାନନ୍ଦ ମହାନ୍ତି ଓ ପୁଡୁଗେଶ୍ୱରପଲ୍ଲୀ ଗ୍ରାମ୍ୟ କମିଟି ସଭାପତି ସୂର୍ଯ୍ୟ ନାରାୟଣ ନାହାକଙ୍କ ନେତୃତ୍ୱରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିଲା ବେଳେ ଆସିକାର ବିଭିନ୍ନ ସଂଗଠନ ପକ୍ଷରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କୁ ମାଗଣାରେ ପଣା, ଦହିପାଣି, ଜଳ ଯୋଗାଇ ଦିଆଯାଉଥିଲା । ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଆସିକା ପୋଲିସ ପ୍ରଶାସନ ପକ୍ଷରୁ ସଶସ୍ତ୍ର ପୁଲିସ ଫୋର୍ସ ବାରୁଣୀ ସ୍ନାନ ଅଞ୍ଚଳରେ ମୁତୟନ ଥିବା ଲକ୍ଷ୍ୟ କରାଯାଇଥିଲା । ବାରୁଣୀ ସ୍ନାନ ସମୟରେ ଶ୍ରଦ୍ଧାଳୁ ଭକ୍ତଙ୍କ ଯେପରି କୌଣସି ଅସୁବିଧା ନ ହୁଏ ତାହାକୁ ଦୃଷ୍ଟିରେ ରଖି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସନ୍ତୋଷ କୁମାର ଜେନା, ଆସିକା ଥାନା ଅଧିକାରୀ ସୁଧିର କୁମାର ସାହୁ, ଆସିକା ତହସିଲଦାର ସଙ୍ଗୀତା ସେଣ, ଆସିକା ଅଗ୍ନିଶମ ବିଭାଗର କେନ୍ଦ୍ର ଅଧିକାରୀ କୈଳାଶ ଚନ୍ଦ୍ର ସାହୁ, ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରା, ଟିପିଏସ୍‍ଓଡିଏଲ୍‍ ଆସିକା ସେକ୍ସନର ସହକାରୀ ଯନ୍ତ୍ରୀ ଇଂ ରାକେଶ କୁମାର ପାତ୍ର, ଗଞ୍ଜାମ ଜିଲ୍ଲା ଚାଉଳ କଳ ମାଲିକ ସଂଘର ଉପସଭାପତି ନିଗମାନନ୍ଦ ମହାନ୍ତି, ପୁଡୁଗେଶ୍ୱରପଲ୍ଲୀ ଗ୍ରାମ୍ୟ କମିଟିର ସଭାପତି ସୂର୍ଯ୍ୟନାରାୟଣ ନାହାକ, ଆଧ୍ୟାତ୍ମିକପ୍ରେମୀ ଗଣେଶ ମହାନ୍ତି, ସନ୍ତୋଷ କୁମାର ପାଣିଗ୍ରାହୀ, ଅନିଲ୍‍ କୁମାର ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଥିଲା। ବାରୁଣୀ ସ୍ନାନ ଅବସରରେ ହଜାର ହଜାର ଲୋକଙ୍କ ସୁବିଧା ଲାଗି ପ୍ରଶାସନ ପକ୍ଷରୁ ଟ୍ରାଫିକ୍‍ ବ୍ୟବସ୍ଥାକୁ ନିୟନ୍ତ୍ରଣ, ବିଶୁଦ୍ଧ ପାନୀୟ ଜଳର ସୁବନ୍ଦୋବସ୍ତ, ଜଳଛତ୍ର ସୁପରିଚାଳନା, ସ୍ୱାସ୍ଥ୍ୟସେବା, ନିରବିଚ୍ଛିନ୍ନ ଆଲୋକସେବା, ଭକ୍ତଙ୍କୁ ଓଆର୍‍ଏସ୍‍ ବଣ୍ଟନ, ଆମ୍ବୁଲାନ୍ସ ଓ ଅଗ୍ନିଶମ ଯାନକୁ ପ୍ରସ୍ତୁତ ରଖାଯାଇଥିବା ଦେଖିବାକୁ ମିଳିଥିଲା । ବିଶ୍ୱାସ ରହିଛି ମହାବାରୁଣୀ ସ୍ନାନ ଯୋଗରେ ପୂଣ୍ୟତୋୟା ଋଷିକୁଲ୍ୟା ନଦୀରେ ବୁଡ ପକାଇଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହ ପିତୃପୁରୁଷଙ୍କ ମୋକ୍ଷ୍ୟ ପ୍ରାପ୍ତି ହୋଇଥାଏ । ତେଣୁ ମଙ୍ଗଳବାର ପବିତ୍ର ମହାବାରୁଣୀ ସ୍ନାନ ଯୋଗରେ ଋଷିକୁଲ୍ୟା ନଦୀଘାଟକୁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ବୁଡ ପକାଇବା ପିଣ୍ଡଦାନ ଉଦ୍ଦେଶ୍ୟରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସୁଅ ଛୁଟିଥିଲା । ଋଷିକୁଲ୍ୟା ନଦୀରେ ସ୍ନାନ ସମୟରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତ ନଘଟେ ତାହାକୁ ଦୃଷ୍ଟିରେ ରଖି ଆସିକା ଅଗ୍ନିଶମ ସେବା କେନ୍ଦ୍ରର ଅଧିକାରୀ କୈଳାଶ ଚନ୍ଦ୍ର ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଭାଗୀୟ ମୁଖ୍ୟ ଆଗ୍ନିକ ଓ ଆଗ୍ନିକମାନେ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ