ଜମିବାଡି ବିବାଦ: ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ କଂସାର ଗ୍ରାମପଞ୍ଚାୟତର ସାହସପୁର ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଜମିରେ ଅନ୍ୟ ଜଣେ ବ୍ୟକ୍ତି ଗୁଣ୍ଡା ଲଗାଇ ଖୋଳାଖୋଳି କରିବା ଘଟଣାକୁ ନେଇ ଜନ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ସେହି ଗ୍ରାମର ଗଜେନ୍ଦ୍ର ପରିଡା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ତାଙ୍କ ପିତା ସ୍ୱର୍ଗତ ନୃସିଂହ ପରିଡାଙ୍କ ନାମରେ ଥିବା ଜମିକୁ ସେମାନେ ଭୋଗଦଖଲ କରୁଛନ୍ତି। କିନ୍ତୁ ଏହି ଜମିକୁ କେତେକ ଅସାମାଜିକ ବ୍ୟକ୍ତି ଯୋରଜବରଦସ୍ତ ଦଖଲ କରିବା ପାଇଁ ଉଦ୍ୟମ କରୁଛନ୍ତି। ଏହି ଜମି ଉପରେ ଅସାମାଜିକ ବ୍ୟକ୍ତିମାନେ ଖୋଳାଖୋଳି କରିବାରୁ ଗଜେନ୍ଦ୍ର ପରିଡା ଓ ତାଙ୍କ ଭାଇ ନିରଞ୍ଜନ ପରିଡା ଏହାକୁ ପ୍ରତିବାଦ କରିଥିଲେ। ଫଳରେ ଅସାମାଜିକ ଯୁବକମାନେ ଗଜେନ୍ଦ୍ର ଓ ନିରଞ୍ଜନଙ୍କ ନାମରେ ମିଛ ମାମଲା ରୁଜୁ କରି ମାନସିକ ନିର୍ଯ୍ୟାତନା ଦେଉଛନ୍ତି। ତେଣୁ ଏହି ଜମିର ମାପଚୁପ କରାଯାଇ ନ୍ୟାୟ ପ୍ରଦାନ କରିବାକୁ ଗଜେନ୍ଦ୍ର ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାପାଳ ଏହି ଅଭିଯୋଗ ଉପରେ ତୁରନ୍ତ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ କେନ୍ଦ୍ରାପଡା ତହସିଲଦାର ଓ ସଦରଥାନାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


