ପଢିଆରିପଲ୍ଲୀରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ

ହାଟଡିହି (ଓ୍ବାଇଏନଏସ): ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ପଢିଆରିପଲ୍ଲୀ। ଏଠାରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ପ୍ରାୟ ୫ କୋଟିରୁ ୮କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ବିଦ୍ୟାଳୟ ନିର୍ମାଣ ହେବାକୁ ଥିବାବେଳେ ଏଠାରେ ଛାତ୍ରଛାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ଶିକ୍ଷା ଓ ଆବାସିକ ସୁବିଧା ଉପଲବ୍ଧ ହେବ। ଏହି ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମ୍, ବିଜ୍ଞାନାଗାର, ଖେଳ ପଡ଼ିଆ, ବିଶୁଦ୍ଧ ପାନୀୟ ଜଳ ସହିତ ହଷ୍ଟେଲ ଭଳି ଅତ୍ୟାବଶ୍ୟକ ସୁବିଧା ରହିବ। ଏହାଦ୍ୱାରା ଅଞ୍ଚଳର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଓ ଆଧୁନିକ ଶିକ୍ଷା ଲାଭ କରିବା ସହ ନିଜର ପ୍ରତିଭା ବିକାଶ କରିବାର ସୁଯୋଗ ପାଇପାରିବେ। ପ୍ରଧାନ ଶିକ୍ଷକ ଗୋରେଶ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ତହସିଲଦାର ସଞ୍ଜୟ ସାମନ୍ତରାୟ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତସିଂହାର, ଏବିଓ ପ୍ରମୋଦ କୁମାର ନାୟକ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଟିକି କିସ୍କୁ, ଏବିସି ଫାଉଣ୍ଡେସନର ଅଧ୍ୟକ୍ଷ ଅଲେଖ ଚନ୍ଦ୍ର ବେହେରା ଏବଂ ସିଆରସିସି ବିକାଶ କୁମାର ବାରିକ, ଆନନ୍ଦ ଚନ୍ଦ୍ର ରାଉତଙ୍କ ସମେତ ଅନ୍ୟ ଅତିଥି ଓ ଶିକ୍ଷାପ୍ରେମୀ ଉପସ୍ଥିତ ଥିଲେ। ପ୍ରଥମେ ଗୋଦାବରୀଶ ବିଦ୍ୟାଳୟ ପାଇଁ ଆବଶ୍ୟକ ଜମି ଦାନ କରିଥିବା ହେମଲତା ପାତ୍ର, ଦଣ୍ଡଧର ପାତ୍ର, ଗୋପାଳ କୃଷ୍ଣ ରାଉତ, ଗୌରାଙ୍ଗ ପାତ୍ର, ରାଜେନ୍ଦ୍ର ନାରାୟଣ ରାଉତ, ମଞ୍ଜୁଲତା ରାଉତ, ଦିଲ୍ଲୀପ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା।  ଏହି ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେଲେ ପଢିଆରିପଲ୍ଲୀ ସମେତ ଆଖପାଖ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାରେ ନୂତନ ଦିଗ ଉନ୍ମୋଚିତ ହେବା ସହ ଗ୍ରାମାଞ୍ଚଳର ଶିକ୍ଷାର୍ଥୀଙ୍କ ପାଇଁ ଏହା ଏକ ନୂଆ ଆଶାର ଆଲୋକ ପାଲଟିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭରଚୁଆଲ ମୂଡ଼ରେ ଏହାର ଶିଳାନ୍ୟାସ କରିଥିଲେ। ଶିକ୍ଷକ ସୁରେନ୍ଦ୍ର କୁମାର ରାଉତ, ଜଗନ୍ନାଥ ସାହୁ, ବ୍ରହ୍ମାନନ୍ଦ ପରିଡା, ସୁନିତା ଦତ୍ତ, ଭାଗ୍ୟଶ୍ରୀ ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୁନି କୁନି ଛାତ୍ରୀମାନେ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ