ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ମନୋନୀତ ହେଲେ ହାଟଡିହିର ଦୀପକ କୁଅଁର
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ପାଇଁ ଗୌରବ ଆଣିଛନ୍ତି ଯୁବ ଶିକ୍ଷାବିତ୍ ଦୀପକ କୁଅଁର। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଓ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ସେ ୨୦୨୫-୨୬ ବର୍ଷର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି। ଦୀପକଙ୍କ ପୈତୃକ ଘର ହାଟଡିହି ବ୍ଲକର ଶାଳନିଆଁ ଗ୍ରାମରେ। ବର୍ତ୍ତମାନ ସେ ନୟାଗଡ଼ ଜିଲ୍ଲାରେ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ଛାତ୍ର ଜୀବନରେ ସେ ଆନନ୍ଦପୁର ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। ନିଜର ନିଷ୍ଠା, ଅଧ୍ୟବସାୟ ଓ ଶିକ୍ଷା ପ୍ରତି ସମର୍ପଣ ଭାବ ଯୋଗୁଁ ଏହି ସଫଳତା ତାଙ୍କୁ ମିଳିଛି। ତାଙ୍କର ଏହି ଉପଲବ୍ଧିରେ ଶାଳନିଆଁ ଗ୍ରାମ ସମେତ ସମଗ୍ର ହାଟଡିହି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ଖବର ପ୍ରଚାର ହେବା ପରେ କେନ୍ଦୁଝରର ଯୁବ ବିଜେପି ନେତା ଯଜ୍ଞପ୍ରସାଦ ସାହୁ ଦୀପକଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ସଫଳତା କାମନା କରିଛନ୍ତି। ଦୀପକଙ୍କ ଏହି ସଫଳତା ଅଞ୍ଚଳର ଯୁବପିଢ଼ି ଓ ଶିକ୍ଷକ ସମାଜ ପାଇଁ ନିଶ୍ଚିତ ଭାବେ ପ୍ରେରଣାଦାୟକ ହୋଇଛି।


