ପିପୁଲସ କଲେଜରେ ଜାତୀୟ ମତଦାନ ଦିବସ ଅବସରରେ ପାଠଚକ୍ର ଅନୁଷ୍ଠିତ
ବୁଗୁଡା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ଜାତୀୟ ମତଦାନ ଦିବସ ଅବସରରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଉଦଘାଟନ କରିବା ସହ ଅଧ୍ୟକ୍ଷତା କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଭାଗୀୟ ଅଧ୍ୟାପକ ପବିତ୍ର ଖଣ୍ଡୁଆଳ ପାଠଚକ୍ର ବିଷୟ ବସ୍ତୁ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ରାଜନୀତି ବିଜ୍ଞାନ ବିଭାଗର ଛାତ୍ରଛାତ୍ରୀ ରୂପାଲି ପାତ୍ର, ସୋମିତ ପରିଡା, ଗୀତାଞ୍ଜଳି ପ୍ରଧାନ, କାଜଲ ରାଣୀ ସ୍ୱାଇଁ, ପୂଜା ସ୍ୱାଇଁ ଓ ପ୍ରିୟଦର୍ଶନୀ ପ୍ରଧାନ ପାଠଚକ୍ରର ପ୍ରବନ୍ଧ ଶୀର୍ଷକ ” My India, My Vote : Placing the Citizen at the Heart of Indian Democracy” ପାଠ କରିଥିଲେ। ପାଠଚକ୍ରରେ ମୁଖ୍ୟ ବକ୍ତା ଭାବେ ନୟାଗଡ଼ ଜିଲ୍ଲାର ରାଜସୁନାଖଳା କଲେଜର ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ସନ୍ତୋଷ କୁମାର ସାହୁ ଯୋଗଦେଇ ଜାତୀୟ ମତଦାନ ଦିବସ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସେ ଏହାର ତାତ୍ପର୍ଯ୍ୟ , ଯୁବ ଭୋଟଦାତାଙ୍କ ଭୂମିକା ଓ ଗଣତାନ୍ତ୍ରିକ ଦୃଢ଼ୀକରଣରେ ଗଣମାଧ୍ୟମର ଭୂମିକା ଉପରେ ସଠିକ ବିନିଯୋଗକୁ ଗୁରୁତ୍ୱ ଦେଇଥିଲେ। ଏହାପରେ ମୁକ୍ତ ଆଲୋଚନା ହୋଇଥିଲା। ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ ଛାତ୍ରଛାତ୍ରୀଙ୍କୁ ନିଜର ମତଦାନ ପ୍ରଦାନ କରି ଗଣତାନ୍ତ୍ରିକ ପଦ୍ଧତିର ସୁରକ୍ଷା ପାଇଁ ସଚେତନ ରହିବାକୁ ପରାମର୍ଶ ଦେଇଥିଲେ। ଅଧ୍ୟାପକ ଲୋକନାଥ ବେହେରା ଜଣେ ମତଦାତା ନିଜର ଭୋଟର ଅଧିକାର ପ୍ରତି ଗୁରୁତ୍ୱ ଦେଇ ନିଜର ଦାୟିତ୍ୱ ନିର୍ବାହ କରିବାକୁ ପରାମର୍ଶ ଦେଇଥିଲେ। ବିଭାଗର ମୁଖ୍ୟ ଅଧ୍ୟାପକ ଶ୍ରୀ ସାହୁ ନିର୍ବାଚନ ପ୍ରଚାର ସମୟରେ ମିଥ୍ୟା ସୂଚନା କିପରି ଭୋଟଦାତାଙ୍କୁ ପ୍ରଭାବିତ କରେ ସେଥିପାଇଁ ଶିକ୍ଷିତ ଯୁବ ପଢି ଓ ଗଣମାଧ୍ୟମ ସଚେତନ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ଶେଷରେ ରାଜନୀତି ବିଜ୍ଞାନ ବିଭାଗର ପ୍ରଥମ ବର୍ଷ ଛାତ୍ରୀ ମମତା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।


