ରାମନାଗୁଡାରେ ଆଇନଗତ ସାକ୍ଷରତା ସଚେତନତା ଶିବିର
ଗୁଣପୁର,(ୱାଇଏନଏସ): ରାମନାଗୁଡା ବ୍ଲକ ଅଫିସ ସମ୍ମିଳନୀ କକ୍ଷରେ ଗୁଣପୁର ଅଦାଲତର ଆଇନ ପରାମର୍ଶ କେନ୍ଦ୍ର ଆନୁକୂଲ୍ୟରେ ଆଇନଗତ ସାକ୍ଷରତା ଏବଂ ଆଇନଗତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ କେନ୍ଦ୍ର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରା ଜର୍ଜ ଦେବଦତ୍ତ ପଟନାୟକ ଯୋଗଦେଇ ନାଗରିକମାନଙ୍କୁ ବିଶେଷକରି ଦୁର୍ବଳ ଶ୍ରେଣୀ ବର୍ଗକୁ, ଆଇନଗତ ଅଧିକାର ଏବଂ କର୍ତ୍ତବ୍ୟ ବିଷୟରେ ସୂଚନା ଦେଇଥିଲେ। ଯୌତୁକ ନିରାକରଣ ପାଇଁ ଉଦ୍ଦିଷ୍ଟ ନ୍ୟାୟ ବ୍ୟବସ୍ଥା ଉପରେ ମଧ୍ୟ ଶ୍ରୀ ପଟ୍ଟନାୟକ ଆଲୋକପାତ କରିଥିଲେ। ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁଶ୍ରୀ ବିଜୟ ଲକ୍ଷ୍ମୀ ମହାପାତ୍ର ଯୋଗଦେଇ କହିଥିଲେଯେ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩, ଜୁଲାଇ ୧, ୨୦୨୪ ରୁ କାର୍ଯ୍ୟକାରୀ ହୋଇଛି ଏବଂ ଏହା ପୁରୁଣା ଫୌଜଦାରୀ ପ୍ରକ୍ରିୟା ସଂହିତା (CrPC), ୧୯୭୩ କୁ ସମ୍ପୂର୍ଣ୍ଣ ରୂପେ ପ୍ରତିସ୍ଥାପିତ କରିଛି। ଏହି ନୂତନ ଆଇନ ଫୌଜଦାରୀ ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ଆଧୁନିକ, ଟେକ୍ନୋଲୋଜି-ଆଧାରିତ ଏବଂ ତ୍ୱରିତ କରିବା ପାଇଁ ଉଦ୍ଦିଷ୍ଟ। ଏତେଲା, ଟ୍ରାଏଲ୍ ଏବଂ ସମନ୍ ପ୍ରକ୍ରିୟାରେ ହୋଇଥିବା ପ୍ରମୁଖ ପରିବର୍ତ୍ତନଗୁଡ଼ିକ ବିଷୟରେ ସୁଶ୍ରୀ ମହାପାତ୍ର ବିବରଣୀ ପ୍ରଦାନ କରିଥିଲେ। ଏହି ଅଵସରରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ପ୍ରଦ୍ୟୁମ୍ନ ମଣ୍ଡଳ ବାଲ୍ୟ ବିବାହ ତଥା ସରକାରଙ୍କ ଜନ ହିତକାରୀ ସେବା ସଂପର୍କରେ ସୂଚନା ଦେଇଥିଲେ। ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ ମୃତ ବ୍ୟକ୍ତିଙ୍କ ପଟ୍ଟା କିପରି ଉତ୍ତରାଧିକାରୀ ମାନେ ନିଜ ନାମରେ କରିପାରିବେ ରହିଥିବା ନୀତି ନିୟମ ଉପରେ ଆଲୋଚନା କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସୁଜନ ମଲ୍ଲିକ ଯୋଗ ଦେଇ ଶିକ୍ଷା ଅଧିକାର ଆଇନ ବିଷୟରେ ଆଲୋକପାତ କରିଥିଲେ। ଅତିରିକ୍ତ ତହସିଲଦାର ଦୀପା ରାଣୀ ବେହେରା ପ୍ରମୁଖ ମଞ୍ଚାସିନ ଥିଲେ। ପ୍ରଥମେ ଶିକ୍ଷକ ଅଶ୍ୱିନୀ ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଗୁଣପୁର ଓକିଲ ସଂଘର ସମ୍ପାଦକ ସୁରଜ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଓକିଲ ସଂଘର ସଭାପତି ରମେଶ ଲିମା ପରିଚାଳନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ଭାଗିରଥୀ ବାଙ୍ଗାରି , ପ୍ରଶାନ୍ତ ପଟ୍ଟନାୟକ, ମିହିର ପଟ୍ଟନାୟକ, ଲକ୍ଷ୍ମୀ ମହାଙ୍କୁଡ଼ , ସୁସଂଧ୍ୟା ସାହୁ, ସରୋଜ ଦାସ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ।


