ବ୍ୟାପକ ଅବ୍ୟବସ୍ଥା ଘେରରେ ମହେନ୍ଦ୍ରମେଳା: ୭ କିମି ପାଦଚଲା ରାସ୍ତା ଅତିକ୍ରମ କରି ଶ୍ରଦ୍ଧାଳୁ ହନ୍ତସନ୍ତ
ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ପବିତ୍ର ପର୍ଶୁରାମ କ୍ଷେତ୍ର ମହେନ୍ଦ୍ରଗିରିରେ ନଅ ଦିନ ଧରି ଚାଲିଥିବା ‘ମହେନ୍ଦ୍ର ମେଳା’ରେ ଗତକାଲି ମେଳାର ସପ୍ତମ ଦିନ ତଥା ରବିବାର ଓ ଆଜି ସୋମବାର ଦିନ ଅସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଆନୁମାନିକ ୫୦ ହଜାରରୁ ଅଧିକ ଭକ୍ତ ଓ ପର୍ଯ୍ୟଟକ ମହେନ୍ଦ୍ରଗିରିରେ ପହଞ୍ଚିଥିବା ବେଳେ ସମଗ୍ର ପାହାଡ଼ ଅଞ୍ଚଳ ଜନସମୁଦ୍ରରେ ପରିଣତ ହୋଇଥିଲା। ତେବେ ଏତେ ବିପୁଳ ଜନସମାଗମ ଅନୁପାତରେ ପ୍ରଶାସନ ଓ ପୋଲିସ ପକ୍ଷରୁ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇ ନଥିବାରୁ ଶ୍ରଦ୍ଧାଳୁମାନେ ନାନା ସମସ୍ୟାର ସମ୍ମୁଖୀନ ହୋଇଥିଲେ ମହେନ୍ଦ୍ରଗିରିକୁ ଯାଉଥିବା ରାସ୍ତାରେ ବୁରୁଖତ ଠାରୁ ଉଭୟ ଗଞ୍ଜାମ ଓ ଗଜପତି ପାର୍ଶ୍ୱ ରେ ପ୍ରାୟ ୧୦ କିଲୋମିଟର ପର୍ଯ୍ୟନ୍ତ ଗାଡ଼ିର ଲମ୍ବା ଧାଡ଼ି ଲାଗି ରହିଥିଲା। ଶହ ଶହ ଚାରିଚକିଆ ଓ ଦୁଇଚକିଆ ଯାନ ଘଣ୍ଟା ଘଣ୍ଟା ଧରି ଘଟି ରାସ୍ତାରେ ଟ୍ରାଫିକ ଜାମରେ ଅଟକି ରହିଥିଲା। ବସ ଗୁଡିକରେ ମଧ୍ୟ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା। ଅସହ୍ୟ ଖରା ଓ ଗୁଳୁଗୁଳି ମଧ୍ୟରେ ପାନୀୟ ଜଳ, ବିଶ୍ରାମ ସ୍ଥଳୀ ଓ ଛାୟା ବ୍ୟବସ୍ଥାର ଅଭାବ ଯୋଗୁଁ ଶ୍ରଦ୍ଧାଳୁମାନେ ହନ୍ତସନ୍ତ ହୋଇପଡ଼ିଥିଲେ। ବୃଦ୍ଧ, ମହିଳା ଓ ଶିଶୁମାନେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖାଯାଇଥିଲା। ଅନେକ ସ୍ଥାନରେ ପାଣି ପାଇଁ ଲୋକଙ୍କୁ ହଇରାଣ ହେବାକୁ ପଡ଼ିଥିଲା। ବୁରୁଖତ ଠାରୁ ମହେନ୍ଦ୍ର ଶିଖରକୁ ପ୍ରାୟ ୭ କିଲୋମିଟର ରାସ୍ତା ଚାଲି ଯିବାକୁ ଥିବା ବେଳେ ବୁରୁଖତ ଠାରୁ ମହେନ୍ଦ୍ର ଶିଖର ଯାଏ ବ୍ୟାଟେରୀ ଗାଡିର ବ୍ୟବସ୍ଥା ଘୋଷଣାର ସୂଚନା ପାଇ ବହୁ ଶ୍ରଦ୍ଧାଳୁ ଗସ୍ତ କରିଥିବା ବେଳେ ଅନେକ ବୃଦ୍ଧବୃଦ୍ଧା ବ୍ୟାଟେରୀ ଗାଡିର ନ ଥିବାରୁ କୌଣସି ମତେ କଷ୍ଟରେ ପାହାଡ଼ ଉପରକୁ ଚାଲି ଚାଲି ଯାଇ ଆଉ ଫେରିବା ବେଳେ ସମସ୍ୟାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା। ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଥିଲେ ମଧ୍ୟ ବିପୁଳ ଜନସମାଗମ ଆଗରେ ସେହି ବ୍ୟବସ୍ଥା ଅପର୍ଯ୍ୟାପ୍ତ ସାବ୍ୟସ୍ତ ହୋଇଥିଲା। ବହୁ ସ୍ଥାନରେ ଟ୍ରାଫିକ ପରିଚାଳନା ବ୍ୟବସ୍ଥା ଦୁର୍ବଳ ଥିବାରୁ ଶୃଙ୍ଖଳା ବଜାୟ ରଖିବା କଷ୍ଟକର ହୋଇପଡ଼ିଥିଲା। କୌଣସି ସ୍ଥାନରେ ବି ପାର୍କିଂ ବ୍ୟବସ୍ଥା ନଥିବାରୁ ରାସ୍ତା ଉପରେ ଗାଡି ପାର୍କିଂ ସମସ୍ୟାକୁ ଦ୍ଵିଗୁଣିତ କରିଥିଲା।


