ବାଲିଯାତ୍ରା ଖର୍ଚ୍ଚରେ ବଡ଼ ଘୋଟଲା! ଅଡିଟ୍ ପ୍ରତିଶ୍ରୁତି ପରେ ବି ନାହିଁ ହିସାବ

କଟକ, (ଓ୍ବାଇଏନଏସ): ବାଲିଯାତ୍ରା ଖର୍ଚ୍ଚ ପାଇଁ ସବୁ ମାଫ୍ । ଯେମିତି କିଛି ଲଗାମ ନାହିଁ । ଜିଲ୍ଲା ପ୍ରଶାସନ ଯାହା ଚାହିଁଲା, ଯେମିତି ଚାହିଁଲା, ଯେଉଁବାଟେ ଚାହିଁଲା ଖର୍ଚ୍ଚ କଲା । ଗତ କିଛି ବର୍ଷ ଧରି ବାଲିଯାତ୍ରାରେ ଚାଲିଥିବା ଏଭଳି ବେଲଗାମ ତଥା ଅନିୟନ୍ତ୍ରିତ ଖର୍ଚ୍ଚର ଅଡିଟ୍ ପାଇଁ ଜୋର୍‌ଦାର୍ ଦାବି ହୋଇଥିଲା । ଦାବି ପରେ ବାଲିଯାତ୍ରାର ଅଡିଟ୍ ହେବ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଗଲା । କିନ୍ତୁ ଏହା କେବଳ ପ୍ରତିଶ୍ରୁତିରେ ଅଟକି ରହିଛି । ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ଅଡିଟ୍ କରାଗଲା ନାହିଁ । ଫଳରେ ବାଲିଯାତ୍ରା କିଛି ଅଧିକାରୀଙ୍କ ପାଇଁ ଏକ ବଡ଼ ରୋଜଗାରର ବାଟ ହୋଇଯାଇଥିବା ଅଭିଯୋଗ ହୋଇଛି । ତିନି ବର୍ଷ ତଳେ ଅର୍ଥାତ ୨୦୨୩ରେ ବାଲିଯାତ୍ରାର ଖର୍ଚ୍ଚ ଥିଲା ପ୍ରାୟ ୪ କୋଟି ଟଙ୍କା । ସେତେବେଳେ ପ୍ଲଟ୍ ନିଲାମରୁ ପ୍ରାୟ ଦେଢ଼ କୋଟି ଟଙ୍କା ଆସୁଥିଲାବେଳେ ବିଭିନ୍ନ ପୃଷ୍ଠପୋଷକଙ୍କ ପ୍ରୋତ୍ସାହନରେ ଆହୁରି ପ୍ରାୟ କୋଟିରୁ ଦୁଇ କୋଟି ଟଙ୍କା ଆସୁଥିଲା । ସେଥିରେ ରାଜ୍ୟ ସରକାରଙ୍କ ସହାୟତା ଥିଲା ମାତ୍ର ଏକ କୋଟି ଟଙ୍କା । କିନ୍ତୁ ୨୦୨୪ ବେଳକୁ ହଠାତ୍ ଏହି ଖର୍ଚ୍ଚ ପ୍ରାୟ ୧୫ କୋଟିରେ ପହଞ୍ଚିଗଲା । ଜମି ପ୍ଲଟିଂରୁ ପ୍ରଶାସନକୁ ପ୍ରାୟ ସାଢ଼େ ୩ କୋଟି ଟଙ୍କାର ରାଜସ୍ୱ ମିଳିଲା। ପୃଷ୍ଠ ପୋଷକଙ୍କ ଠାରୁ ୪ରୁ ୫କୋଟି ଆସିଲା । ରାଜ୍ୟ ସରକାର ୮କୋଟି ଟଙ୍କାର ଆର୍ଥିକ ସହାୟତା ଦେଲେ । ବାଲିଯାତ୍ରାକୁ ଆସୁଥିବା ଏହି ପ୍ରଚୁର ଅର୍ଥର ଠିକ୍ ଭାବେ ଖର୍ଚ୍ଚ ହେଉନଥିବା ଅଭିଯୋଗ ହେବା ପରେ କଟକର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ ସେତେବେଳେ ଏହାକୁ ନେଇ ବଡ଼ ପ୍ରଶ୍ନ ଉଠାଇଥିଲେ । ବାଲିଯାତ୍ରା ଭଳି ଏକ ବୃହତ ମହୋତ୍ସବ ଯେଉଁଠି କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ସେଠି କ’ଣ ପାଇଁ ଅଡିଟ୍ ହେଉନି ବୋଲି ସେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଥିଲେ । ଶ୍ରୀ ତ୍ରିପାଠୀଙ୍କ ଏହି ପ୍ରଶ୍ନକୁ ନେଇ ପ୍ରଶାସନକୁ ବଡ଼ ଅକଳ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଥିଲା । ଏହାପରେ ପ୍ରଶାସନକୁ ବିଭିନ୍ନ ଫୋରମ୍‌ରେ ଏହି ପ୍ରଶ୍ନ ପଚରା ଯାଇଥିଲା । ଶେଷରେ ବାଲିଯାତ୍ରାର ଅଡିଟ୍ କରାଯିବ ବୋଲି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ଆଜି ପର୍ଯ୍ୟନ୍ତ ବାଲିଯାତ୍ରାର ସରକାରୀ ଭାବେ କୌଣସି ପ୍ରକାର ଅଡିଟ୍ କରାଗଲା ନାହିଁ ।ଏବେ ପୁଣି ୨୦୨୬ ବାଲିଯାତ୍ରାକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ୨୦୨୪ରୁ ବାଲିଯାତ୍ରାର ଖର୍ଚ୍ଚ ୧୫ରୁ ୧୬ କୋଟିରେ ପହଞ୍ଚିଲାଣି । ୨୦୨୫ରେ ମଧ୍ୟ ସମାନ ଅର୍ଥ ଖର୍ଚ୍ଚ ହୋଇଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ବାଲିଯାତ୍ରାରେ ଯେଉଁସବୁ ବାଟରେ ଖର୍ଚ୍ଚ କରାଯାଉଛି ସେଥିରେ କୌଣସି ନୀତିନିୟମ ଥିଲା ଭଳି ଲାଗୁ ନାହିଁ । ବାଲିଯାତ୍ରାର ଏକ ବଡ଼ ଖର୍ଚ୍ଚ ଇଭେଣ୍ଟ୍ ମ୍ୟାନେଜ୍‌ମେଣ୍ଟ୍ ଜରିଆରେ କରାଯାଏ । ଇଭେଣ୍ଟ୍ ମ୍ୟାନେଜ୍‌ମେଣ୍ଟ ୨ରୁ ଅଢ଼େଇ କୋଟିରେ ଏହି କାମ ଟେଣ୍ଡର ଜରିଆରେ ଦିଆଗଲା । କିନ୍ତୁ ମିଳିଥିବା ସୂଚନା ଅନୁସାରେ ଇଭେଣ୍ଟ ମ୍ୟାନେଜ୍‌ମେଣ୍ଟ ସଂସ୍ଥା ଚଳିତବର୍ଷ ପ୍ରାୟ ୧୦ କୋଟି ଟଙ୍କା ପ୍ରଶାସନଠାରୁ ନେଇ ସାରିଲାଣି । ଅଢ଼େଇ କୋଟିରେ କାମ ନେଇଥିବା ସଂସ୍ଥାକୁ କିପରି ୧୦ କୋଟି ପର୍ଯ୍ୟନ୍ତ ବିନା ଟେଣ୍ଡରରେ କାମ ଦିଆଯାଉଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଆଉ ବଡ଼ କଥା ହେଉଛି, ୨୦୨୬ ବାଲିଯାତ୍ରା ପାଇଁ ପ୍ରସ୍ତୁତ ଆରମ୍ଭ ହୋଇଯାଇଥିବା ବେଳେ ୨୦୨୫ ବାଲିଯାତ୍ରାର ଖର୍ଚ୍ଚ ଏ ପର୍ଯ୍ୟନ୍ତ ଶେଷ ହୋଇପାରି ନାହିଁ । ଏବେ ବି ବିଭିନ୍ନ ସଂସ୍ଥାକୁ ୨୦୨୫ ବାଲିଯାତ୍ରାର ଖର୍ଚ୍ଚ ଦିଆଚାଲିଛି । ବାଲିଯାତ୍ରାର ଏଭଳି ମନମୁଖି ଖର୍ଚ୍ଚ ଉପରେ ଲଗାମ ଲାଗିପାରୁ ନାହିଁ । ସେତେବେଳେ ବାଲିଯାତ୍ରାର ଏଭଳି ମନମୁଖି ଖର୍ଚ୍ଚକୁ ନେଇ ଶ୍ରୀ ତ୍ରିପାଠୀ ଆଉ ଏକ ଦାବି କରିଥିଲେ । ବାଲିଯାତ୍ରାକୁ ରାଜ୍ୟ ସରକାର ତାଙ୍କ ନିୟନ୍ତ୍ରଣକୁ ନେବା ଲାଗି ଦାବି ରହିଥିଲା । ରାଜ୍ୟ ସରକାର ଯଦି ବାଲିଯାତ୍ରାକୁ ନିଜ ନିୟନ୍ତ୍ରଣକୁ ନିଅନ୍ତି ତାହେଲେ ବାଲିଯାତ୍ରାର ବିଭ୍ରାଟ ନିୟନ୍ତ୍ରଣ ହେବା ସହ ଏହା ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । କିନ୍ତୁ ନା ବାଲିଯାତ୍ରାର ଅଡିଟ୍ କରାଗଲା ନା ରାଜ୍ୟ ସରକାର ତାଙ୍କ ନିୟନ୍ତ୍ରଣକୁ ନେଲେ । ଫଳରେ ବାଲିଯାତ୍ରାରେ ଖର୍ଚ୍ଚ ନାଁରେ କୋଟି କୋଟି ଟଙ୍କା ହରିଲୁଟ୍ ହେଉଥିବା ଅଭିଯୋଗ ହେଉଛି । ଅଡିଟ୍ ନହେବା ସମ୍ପର୍କରେ ବାଲିଯାତ୍ରା ପରିଚାଳନା ଦାୟିତ୍ୱରେ ରହିଥିବା କଟକ ଜିଲ୍ଲା ସଂସ୍କୃତି ବିଭାଗର ଅଧିକାରୀ ଦିଲୀପ ଜେନାଙ୍କୁ ପଚାରିବାରୁ ସେ ଏ ସଂକ୍ରାନ୍ତରେ କିଛି ଜାଣିନଥିବା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ