ଅଣଶୈକ୍ଷିକ କାର୍ଯ୍ୟରେ ବହୁ ଶିକ୍ଷକ ନିୟୋଜିତ, ପିଲାଙ୍କୁ ବିଦ୍ୟାଳୟରେ ପାଠ ପଢାଇବ କିଏ?
ଆସିକା (ୱାଇଏନ୍ଏସ୍) : କେତେବେଳେ ଜନଗଣନା ତ ପୁଣି ଅନ୍ୟ କେତେବେଳେ ଭୋଟର୍ ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କାର୍ଯ୍ୟରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ବହୁ ଶିକ୍ଷକଙ୍କୁ ନିୟୋଜିତ କରାଯାଉଥିବାରୁ ସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ପାଠପଢା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଯୋଗୁଁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳୁଛି । ପ୍ରଶାସନର ନିର୍ଦ୍ଦେଶକ୍ରମେ ଅଣଶୈକ୍ଷିକ କାର୍ଯ୍ୟରେ ବିଭିନ୍ନ ସମୟରେ ବହୁ ଶିକ୍ଷକ ନିୟୋଜିତ ରହୁଥିବା ଯୋଗୁଁ ବିଦ୍ୟାଳୟ ଗୁଡିକରେ ପିଲାଙ୍କୁ ପାଠ ପଢାଇବ କିଏ ବୋଲି ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ସୃôଷ୍ଟି କରୁଥିବା ଦେଖିବାକୁ ମିଳୁଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ୧୩ଟି କ୍ଳଷ୍ଟର ଅନ୍ତର୍ଗତ ବିଭିନ୍ନ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଗୁଡିକରେ ଆବଶ୍ୟକୀୟ ଅନୁଯାୟୀ ଶିକ୍ଷକ ପଦବୀ ଖାଲି ଥିଲା ବେଳେ ବିଭିନ୍ନ ସମୟରେ କେତେକ ଶିକ୍ଷକ ପ୍ରଶାସନର ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ ରହୁଥିବାରୁ ବହୁ ବିଦ୍ୟାଳୟରେ ପାଠପଢା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ପିଲାଙ୍କ ପାଠପଢାକୁ ନେଇ ଉଜ୍ଜଳ ଭବିଷ୍ୟତ କଣ ହେବ ତାହା ସହଜରେ ଅନୁମେୟ । ଗତ ୨୦୨୫-୨୬ ଶିକ୍ଷାବର୍ଷରୁ ରାଜ୍ୟରେ ଜାତୀୟ ଶିକ୍ଷାନୀତି ଲାଗୁ ହୋଇସାରିଛି । ସେହି ଅନୁସାରେ ସରକାରଙ୍କ ପକ୍ଷରୁ ନୂତନ ପାଠ୍ୟପୁସ୍ତକ ମୂଦ୍ରଣ କରାଯାଇ ବିଦ୍ୟାର୍ଥୀମାନଙ୍କୁ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ବଣ୍ଟନ ବି କରାଯାଇଥିଲା । ପ୍ରଥମରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକରେ ବ୍ୟାପକ ତୃଟି ଥିବା ଜଣାପଡିବା ପରେ ନୁଆଁ ପୁସ୍ତକ ଛାପିବା ପାଇଁ ପ୍ରୟାସ ଜାରି ରହିଥିବା ଜଣାପଡିଛି । ଗୋଟିଏ ପଟେ ସରକାରଙ୍କ ଶିକ୍ଷାବିଭାଗ ପକ୍ଷରୁ ପୂର୍ବରୁ ଯୋଗାଇ ଦିଆଯାଇଥିବା ତୃଟିପୂର୍ଣ୍ଣ ପାଠ୍ୟପୁସ୍ତକ ଏବଂ ଅନ୍ୟ ପଟେ ବିଦ୍ୟାଳୟ ଗୁଡିକରେ କେତେକ ଶିକ୍ଷକ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ ଥିବାରୁ ପିଲାଙ୍କ ପାଠପଢା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି । ଶିକ୍ଷକଙ୍କୁ ବିଦ୍ୟାଳୟରେ ପାଠପଢା ବ୍ୟତୀତ ଅନ୍ୟ କାର୍ଯ୍ୟରେ ନିୟୋଜିତ ନକରିବା ଲାଗି ସଚେତନ ନାଗରିକ ମହଲରେ ଦୃଢ ମତ ପ୍ରକାଶ ପାଉଛି । ଗତ କିଛି ଦିନ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବିଭିନ୍ନ ବିଦ୍ୟାଳୟର ପ୍ରାୟ ୫୧ ଜଣ ଶିକ୍ଷକଙ୍କୁ ବୁଥ୍ସ୍ତରୀୟ ଅଧିକାରୀ ଓ ୧୯ ଜଣ ଶିକ୍ଷକଙ୍କୁ ବିଏଲ୍ଓ ସୁପରଭାଇଜର ଭାବେ ପ୍ରଶାସନ ପକ୍ଷରୁ ନିଯୁକ୍ତି ଦିଆଯାଇଥିବାରୁ ସେମାନେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟକୁ ସଂପାଦନ କରିବା ଲାଗି ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି । ଦୀର୍ଘ ବର୍ଷ ହେଲା ବିଦ୍ୟାଳୟ ଗୁଡିକରେ ନୂତନ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ହୋଇନଥିବା ବେଳଏ ପୂର୍ବ ସରକାର ସମୟରେ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ କିଛି ଶିକ୍ଷକ ବିଭିନ୍ନ ବିଦ୍ୟାଳୟରେ ନିଯୁକ୍ତି ପାଇ କାର୍ଯ୍ୟ କରୁଥିବା ଜଣାପଡିଛି । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ କେତେକ ବିଦ୍ୟାଳୟର ବହୁ ଶିକ୍ଷକ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ ଥିବାରୁ ପିଲାଙ୍କ ପାଠପଢା ବିଶେଷ ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହେଉଛି । ସରକାର ଛାତ୍ରଛାତ୍ରୀମାନଙ୍କ ବାସ୍ତବ ସମସ୍ୟାକୁ ହୃଦୟଙ୍ଗମ କରି ଶିକ୍ଷକମାନଙ୍କୁ ବିଦ୍ୟାଳୟରେ ଶିକ୍ଷାଦାନ କରିବା ଦାୟିତ୍ୱ ବ୍ୟତୀତ ଅନ୍ୟ କୌଣସି ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ ନକରିବା ଦିଗରେ ପଦକ୍ଷେପ ନେବାକୁ ବରିଷ୍ଠ ଆଇନଜୀବୀ ରାଘବ କୁମାର ନାହାକ ଅନୁରୋଧ କରିଛନ୍ତି ।


