ହରିହର ଦାଶ ଉଚ୍ଚ ବିଦ୍ୟାପୀଠରେ ଶିକ୍ଷକ ମରୁଡି, ଛାତ୍ରଛାତ୍ରୀଙ୍କ ପାଠପଢା ନେଇ ଚିନ୍ତାରେ ଅଭିଭାବକ!
ଆସିକା (ୱାଇଏନ୍ଏସ୍) :ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମରେ ଥିବା ନୂତନ ଅନୁଦାନପ୍ରାପ୍ତ ସଂଗ୍ରାମୀ ହରିହର ଦାଶ ଉଚ୍ଚ ବିଦ୍ୟାପୀଠରେ ଖାଲି ପଡିଛି ବହୁ ଶିକ୍ଷକ ପଦବୀ । ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ରଥ ଦିନ ହେଲା ଛାତ୍ରଛାତ୍ରୀଙ୍କୁ ପାଠ ପଢାଯାଉଥିବା ଦେଖିବାକୁ ମିଳୁଛି । ଅତୀତରେ ଶହ ଶହ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନରେ ଦୀର୍ଘ ଦିନ ଧରି ବହୁ ଶିକ୍ଷକ ପଦବୀ ଖାଲିପଡିଥିଲେ ମଧ୍ୟ ସେଗୁଡିକୁ ପୂରଣ କରିବା ଦିଗରେ ଶିକ୍ଷା ବିଭାଗର ନୀରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । କାଳଷଣ୍ଢପୁର ଗ୍ରାମ ସ୍ଥିତ ସଂଗ୍ରାମୀ ହରିହର ଦାଶ ଉଚ୍ଚ ବିଦ୍ୟାପୀଠରେ ଖାଲିପଡିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଗୁଡିକ ପୂରଣ କରିବା ଦିଗରେ ଶିକ୍ଷାବିଭାଗ କର୍ତ୍ତୃପକ୍ଷଙ୍କ କେବେ ଦୃଷ୍ଟି ପଡିବ ତାହାକୁ ସ୍ଥାନୀୟ ଅଞ୍ଚଳବାସୀ ଅପେକ୍ଷା କରି ବସିଥିବା ଦେଖିବାକୁ ମିଳୁଛି । ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ସୃଷ୍ଟି କରିବା ଦିଗରେ କାଳଷଣ୍ଢପୁର ଗ୍ରାମର ଏକ ଅନନ୍ୟ ଶିକ୍ଷାନୁଷ୍ଠାନ ରୂପେ ପରିଚିତ ଥିବା ସଂଗ୍ରାମୀ ହରିହର ଦାଶ ଉଚ୍ଚ ବିଦ୍ୟାପୀଠରେ ଖାଲିପଡିଥିବା ଶିକ୍ଷକ ପଦବୀ ପୂରଣ କରିବା ଦିଗରେ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ନେଇ ବହୁ ଅଭିଭାବକ ଚିନ୍ତାରେ ପଡିଯାଇଥିବା ଦେଖିବାକୁ ମିଳୁଛି । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବର୍ଷିୟାନ୍ କମ୍ୟୁନିଷ୍ଟ ନେତା ସ୍ୱର୍ଗତ ହରିହର ଦାଶଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ୧୯୮୭ ମସିହାରେ ସ୍ଥାପିତ ହୋଇଥିବା ଏହି ପୁରାତନ ଶିକ୍ଷାନୁଷ୍ଠାନ ସଂପ୍ରତି ନାନା ସମସ୍ୟା ମଧ୍ୟ ଦେଇ ଗତି କରୁଥିବା ଅଭିଯୋଗ ହେଉଛି । ଅତୀତରେ ଏହି ସଂଗ୍ରାମୀ ହରିହର ଦାଶ ଉଚ୍ଚ ବିଦ୍ୟାପୀଠରେ କାର୍ଯ୍ୟରତ ଶିକ୍ଷକମାନଙ୍କ ଉନ୍ନତମାନର ଶିକ୍ଷାଦାନ ଶୈଳୀ ଯୋଗୁଁ ବହୁ ମେଧାବୀ ଛାତ୍ରଛାତ୍ରୀ ପାସ୍ ହୋଇ ରାଜ୍ୟ ଓ ରାଜ୍ୟ ବାହାରେ କାମ କରୁଥିବା ଜଣାପଡିଛି । ୨୦୨୬-୨୭ ଶିକ୍ଷାବର୍ଷରେ କାଳଷଣ୍ଢପୁର ଗ୍ରାମରେ ଥିବା ସଂଗ୍ରାମୀ ହରିହର ଦାଶ ଉଚ୍ଚ ବିଦ୍ୟାପୀଠରେ ନବମ ଓ ଦଶମ ଶ୍ରେଣୀରେ ୭୩ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିବା ବେଳେ ମାତ୍ର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଜଣେ ମାତ୍ର ଶିକ୍ଷକ ସୁଶାନ୍ତ କୁମାର ରଥ ବିଦ୍ୟାର୍ଥୀଙ୍କୁ ପାଠପଢାଉଥିବା ଜଣାପଡିଛି । ଏହି ପୁରାତନ ଶିକ୍ଷାନୁଷ୍ଠାନରେ ସ୍ଥାୟୀ ପ୍ରଧାନଶିକ୍ଷକଙ୍କ ଠାରୁ ଆରମ୍ଭ କରି କଳା ଶିକ୍ଷକ, ଗଣିତ ଶିକ୍ଷକ, ବିଜ୍ଞାନ ଶିକ୍ଷକ, କମ୍ପ୍ୟୁଟର ଶିକ୍ଷକ, କ୍ରୀଡା ଶିକ୍ଷକ, କିରାଣୀ, ପିଅନ ପଦବୀ ଖାଲି ପଡିଥିବାରୁ ଶିକ୍ଷାଦାନ ସାଙ୍ଗକୁ ଦୈନନ୍ଦିନ କାର୍ଯ୍ୟ ପରିଚାଳନାରେ ନାନା ସମସ୍ୟା ଦେଖାଦେଉଥିବା ଅଭିଯୋଗ ହେଉଛି । ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଅଭିମୁଖେ ଆସିବା ଲାଗି ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ସାଙ୍ଗକୁ ଶିକ୍ଷାନୁଷ୍ଠାନ ଗୁଡିକର ଭିତ୍ତିଭୂମୀକୁ ସୁଦୃଢ କରିବା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ତେବେ ଶିକ୍ଷାବିଭାଗର ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ଆସିକା ବ୍ଳକ ଅନ୍ତର୍ଗତ କାଳଷଣ୍ଢପୁର ଗ୍ରାମରେ ଥିବା ସଂଗ୍ରାମୀ ହରିହର ଦାଶ ଉଚ୍ଚ ବିଦ୍ୟାପୀଠରେ ସରକାରୀ ଯୋଜନା ବାଟବଣା ହୋଇଯାଇଥିବା ଚର୍ଚ୍ଚା ହେଉଛି । ସଂଗ୍ରାମୀ ହରିହର ଦାଶ ଉଚ୍ଚ ବିଦ୍ୟାପୀଠରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ସଂକ୍ରାନ୍ତରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଅତିଶୀଘ୍ର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯିବ । ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ସଂଗ୍ରାମୀ ହରିହର ଦାଶ ଉଚ୍ଚ ବିଦ୍ୟାପୀଠରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ଉଜ୍ଜଳ ଭବିଷ୍ୟତ ଗଠନ ପାଇଁ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରି ଶୈକ୍ଷିକ ବାତାବରଣକୁ ଉଜ୍ଜିବୀତ କରି ରଖିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।


