ଦୁର୍ଗାପୂଜା ପୁୂର୍ବରୁ ଗେଣ୍ଡୁ ଫୁଲମାଳ ୪୦ ଟପିଲା : ଉତ୍ପାଦନ କମ୍‍, କୋଲ୍‍କତା ଭରସା

ଆସିକା  (ୱାଇଏନ୍‍ଏସ୍‍) :ଶାରଦୀୟ ଦୁର୍ଗାପୂଜା ପାଇଁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ଦିନକୁ ଦିନ ଉତ୍ସବମୁଖର ହୋଇ ଆସୁଥିଲା ବେଳେ ଫୁଲବଜାର ମଧ୍ୟ ଚଳଚଞ୍ଚଳ ହୋଇଉଠିଛି । ପାର୍ବଣ ଋତୁ ଆସିଯାଇଛି । ଆସିକା ଅଞ୍ଚଳରେ ଥିବା ଶକ୍ତିପୀଠ ଗୁଡିକରେ ନବରାତ୍ରୀ ପୂଜା ଆଜିଠାରୁ ଆରମ୍ଭ ହୋଇସାରିଥିଲା ବେଳେ ଆଉମାତ୍ର କିଛି ଦିନ ପରେ ବିଭିନ୍ନ ପୂଜାମଣ୍ଡପରେ ଜଗତ୍‍ ଜନନୀ ମା ଦୁର୍ଗାଙ୍କୁ ଆରାଧନା କରିବେ ଶ୍ରଦ୍ଧାଳୁ ଭକ୍ତ । ଶାରଦୀୟ ଦୁର୍ଗାପୂଜା ପାଇଁ ଆସିକା ଅଞ୍ଚଳର ବିଭିନ୍ନ ପୂଜା କମିଟି ଏକ ମନ ଏକ ପ୍ରାଣରେ ଲାଗି ପଡିଥିଲା ବେଳେ କରୁଣାମୟୀ ମା ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତିର ଶେଷ ସ୍ପର୍ଷ ଦେବା ପାଇଁ ମୂର୍ତ୍ତି କାରିଗର ଦିନରାତି ଏକକରି ଲାଗି ପଡିଥିବା ଦେଖିବାକୁ ମିଳିଛି । ଏହାରି ଭିତରେ ଫୁଲବଜାରରେ ଏବେ ଗେଣ୍ଡୁ ଫୁଲମାଳର ଆଶାତୀତ ଦର ବୃଦ୍ଧିକୁ ନେଇ ଶ୍ରଦ୍ଧାଳୁ ଭକ୍ତମାନେ ଚିନ୍ତାରେ ପଡିଯାଇଥିବା ଲକ୍ଷ୍ୟ କରାଯାଇଛି । ଗତ କିଛି ଦିନ ତଳେ ବିଭିନ୍ନ ରଙ୍ଗର ଗେଣ୍ଡୁ ଫୁଲମାଳ ୧୫ ରୁ ୨୦ ଟଙ୍କାରେ ବିକ୍ରୀ ହେଉଥିଲା ବେଳେ ବର୍ତ୍ତମାନ ତାହା ୪୦ ଟଙ୍କା ଟପିଥିଲା ବେଳେ ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଦର ଆହୁରି ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଗେଣ୍ଡୁ ଫୁଲ ପାଇଁ ଆସିକା ଅଞ୍ଚଳର ବହୁ ଫୁଲ ବ୍ୟବସାୟୀ ପଶ୍ଚିମବଙ୍ଗ ରାଜ୍ୟର କୋଲକତା ଉପରେ ନିର୍ଭର କରୁଥିବା ଜଣାପଡିଛି । ସ୍ଥାନୀୟ ଅଞ୍ଚଳର ହାତଗଣତି କେତେକ ଫୁଲ ବ୍ୟବସାୟୀ ଗେଣ୍ଡୁ ଫୁଲ ଚାଷ କରୁଥିଲେ ମଧ୍ୟ ବହୁ ବ୍ୟବସାୟୀ ବର୍ଷତମାମ ପଶ୍ଚିମବଙ୍ଗର କୋଲକତାରୁ ଆମଦାନୀ ହେଉଥିବା ଗେଣ୍ଡୁଫୁଲ ଉପରେ ନିର୍ଭର କରୁଥିବା ଜଣାପଡିଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଗେଣ୍ଡୁ ଫଲମାଳ ଦର ଉଚ୍ଚା ରହିଥିବା ବେଳେ ବିଭିନ୍ନ ପୂଜା ପର୍ବାଣୀ ପାଇଁ ଗେଣ୍ଡୁ ଫୁଲମାଳ କ୍ରୟ କରିବା ପାଇଁ ଶ୍ରଦ୍ଧାଳୁ ଭକ୍ତ ଚିନ୍ତା କରୁଥିବା ଲକ୍ଷ୍ୟ କରାଯାଇଛି । ପ୍ରତିଦିନ ଠାକୁରଙ୍କୁ ପୂଜା ପାଇଁ ବହୁ ଶ୍ରଦ୍ଧାଳୁ ଭକ୍ତ ପ୍ରାୟତଃ ଖୋଜିଥାନ୍ତି ଗେଣ୍ଡୁ ଫୁଲମାଳ । ଗେଣ୍ଡୁ ଫୁଲମାଳ ଦର ଉଚ୍ଚା ରହିଥିବାରୁ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଶ୍ରଦ୍ଧାଳୁ ଭକ୍ତ ଗେଣ୍ଡୁ ଫୁଲମାଳର ଦାମ୍‍ ଶୁଣି ମୁହଁ ଶୁଖାଇ ନିରାଶ ହୋଇ ଫେରୁଥିବା ବେଳେ ଧନୀକ ଶ୍ରେଣୀର ଲୋକମାନେ ଫୁଲ ବ୍ୟବସାୟୀମାନଙ୍କ ଠାରୁ ମୁଲଚାଲ କରି ଫୁଲ କିଣୁଥିବା ଦେଖିବାକୁ ମିଳୁଛି । ଆସିକା ସହର ତଥା ଏହାର ଆଖପାଖ କେତେକ ଅଞ୍ଚଳରେ ଖୋଲା ବଜାରରେ ଗେଣ୍ଡୁଫୁଲ କିଲୋ ୧୨୦ରୁ ୧୫୦ ଟଙ୍କାରେ ବିକ୍ରୀ ହେଉଥିବା ଦେଖିବାକୁ ମିଳୁଛି । ସେହିଭଳି ଗୋଲାପ, ରଜନୀଗନ୍ଧା ସମେତ ଅନ୍ୟାନ୍ୟ କେତେକ ଫୁଲ ପାଇଁ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟବସାୟୀ ପଶ୍ଚିମବଙ୍ଗର କୋଲ୍‍କତା ଉପରେ ନିର୍ଭର କରୁଥିବା ଜଣାପଡିଛି । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟରେ ଫୁଲ ଗଣା ହେଉନାହିଁ । ସେଥିପାଇଁ ପ୍ରଶାସନ ବି ଫୁଲର ଦରବୃଦ୍ଧି ରୋକିବାକୁ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ସ୍ଥାନୀୟ ଅଞ୍ଚଳର ଫୁଲଚାଷୀମାନଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ଫୁଲଚାଷ କରିବା ପାଇଁ ସେଭଳି କୌଣସି ଆଖିଦୃଶିଆ ପ୍ରୋତ୍ସାହନ ଯୋଗାଇ ଦିଆଯାଉନଥିବା ଯୋଗୁଁ ବହୁ ଫୁଲଚାଷୀ ଗେଣ୍ଡୁ ଫୁଲଚାଷ କରିବାକୁ ପୂର୍ବଭଳି ଆଗ୍ରହ ପ୍ରକାଶ କରୁନଥିବା ଜଣାପଡିଛି । ଅପର ପକ୍ଷରେ ଆସିକା ଅଞ୍ଚଳର ବହୁ ଫୁଲ ବ୍ୟବସାୟୀ ପଶ୍ଚିମବଙ୍ଗର କୋଲ୍‍କତାରୁ ଗେଣ୍ଡୁ, ରଜନୀଗନ୍ଧା, ଗୋଲାପ ସମେତ ବିଭିନ୍ନ ଫୁଲ ଆଣୁଥିଲେ ମଧ୍ୟ ଯଦି କୌଣସି କାରଣରୁ ତାହା ଅବିକ୍ରୀ ହୋଇ ରହିଯାଏ ତେବେ ବ୍ୟବସାୟୀମାନେ ପ୍ରଭୁତ କ୍ଷତିର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ପଶ୍ଚିମବଙ୍ଗର କୋଲ୍‍କତାରୁ ଆସିକା ଅଞ୍ଚଳକୁ ଦୈନିକ ଗେଣ୍ଡୁଫୁଲ ଆସୁଛି । ତେଣୁ ସେଠାକାର ବ୍ୟବସୀୟ ଯେତେବେଳେ ଚାହିଁଲେ ଦାମ୍‍ ବଢାଇ ଦେଉଛନ୍ତି ଓ କମାଇ ଦେଉଛନ୍ତି । ଗେଣ୍ଡୁ ଫୁଲମାଳ ଦର ଅଧିକ ଥିବାରୁ ବହୁ ଗ୍ରାହକ ଦୋକାନୀଙ୍କ ନିକଟରେ ମୁଲଚାଲ କରୁଥିବା ଦେଖିବାକୁ ମିଳୁଛି । ଆସିକା ଅଂଚଳରେ ଆବଶ୍ୟକତା ଠାରୁ କମ୍‍ ଗେଣ୍ଡୁଫୁଲ ଉତ୍ପାଦନ ହେଉଥିବାରୁ ପଶ୍ଚିମବଙ୍ଗ ରାଜ୍ୟର କୋଲ୍‍କତାରୁ ଉତ୍ପାଦିତ ଗେଣ୍ଡୁଫୁଲ ଉପରେ ବାଧ୍ୟ ହୋଇ ବହୁ ବ୍ୟବସାୟୀ ନିର୍ଭର କରୁଛନ୍ତି । ଫୁଲଚାଷୀମାନଙ୍କୁ ସରକାରଙ୍କ ପକ୍ଷରୁ ଫୁଲଚାଷ କରିବା ଲାଗି ପର୍ଯ୍ୟାପ୍ତ ପରିମାଣର ପ୍ରୋତ୍ସାହାନ ଦିଆଗଲେ ସ୍ଥାନୀୟ ଅଂଚଳର ବ୍ୟବସାୟୀମାନେ ଗେଣ୍ଡୁ ସମେତ ଅନ୍ୟାନ୍ୟ ଫୁଲ ପାଇଁ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡିନଥାନ୍ତା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି । ପାର୍ବଣ ଋତୁ ଆସିଯାଇଥିବାରୁ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଗେଣ୍ଡୁ ଫୁଲମାଳର ଚାହିଦା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ