କଟକର ଐତିହ୍ୟ ସ୍ଥଳୀ ପରିଦର୍ଶନ କଲେ ମଧ୍ୟପ୍ରଦେଶର ଗଣମାଧ୍ୟମ ପ୍ରତିନିଧି ଦଳ

କଟକ, (ଓ୍ବାଇଏନଏସ): ରାଜ୍ୟର ବିକାଶମୂଳକ କାର୍ଯ୍ୟ,ସମୃଦ୍ଧ ଐତିହ୍ୟ, ଏବଂ ସଂସ୍କୃତିର ଅନୁଧ୍ୟାନ ପାଇଁ ଓଡ଼ିଶା ଗସ୍ତରେ ଆସିଥିବା ମଧ୍ୟପ୍ରଦେଶର ଗଣମାଧ୍ୟମ ପ୍ରତିନିଧି ଦଳ, ଆଜି କଟକର ଦୁଇ ପ୍ରମୁଖ ଐତିହ୍ୟ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି। ପ୍ରତିନିଧି ଦଳ ପ୍ରଥମେ ଓଡ଼ିଆ ବଜାର ସ୍ଥିତ “ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ” ଏବଂ ପରେ କଟକର ଐତିହାସିକ “ନ୍ୟାୟ ସଂଗ୍ରହାଳୟ” (ମ୍ୟୁଜିୟମ ଅଫ ଜଷ୍ଟିସ) ବୁଲି ଦେଖିବା ସହ ଓଡ଼ିଶାର ଇତିହାସ ଓ ନ୍ୟାୟିକ ବିବର୍ତ୍ତନ ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ। ପ୍ରତିନିଧି ଦଳ ନେତାଜୀଙ୍କ ଜନ୍ମସ୍ଥାନ ପୈତୃକ ଭବନରେ ପହଞ୍ଚି ମହାନ ସଂଗ୍ରାମୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସେଠାରେ ସଂରକ୍ଷିତ ଥିବା ନେତାଜୀଙ୍କ ଶୈଶବର ସ୍ମୃତି, ବ୍ୟକ୍ତିଗତ ବ୍ୟବହୃତ ସାମଗ୍ରୀ, ବିରଳ ଫଟୋଗ୍ରାଫ୍ ଏବଂ ପତ୍ରାବଳୀକୁ ଦେଖି ତାଙ୍କର ସଂଗ୍ରାମମୟ ଜୀବନୀ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥିଲେ। ସେହିପରି ନ୍ୟାୟ ସଂଗ୍ରହାଳୟ ପରିଦର୍ଶନ ସମୟରେ ଓଡ଼ିଶାର ଶତାବ୍ଦୀ ପୁରୁଣା ଆଇନଗତ ଦଲିଲ ଏବଂ ବିଚାର ବିଭାଗୀୟ ଢାଞ୍ଚାର ପରିବର୍ତ୍ତନ ସମ୍ପର୍କରେ ସେମାନଙ୍କୁ ସୂଚନା ପ୍ରଦାନ କରାଯାଇଥିଲା। ଓଡ଼ିଶାର ଏହି ମହାନ ଐତିହ୍ୟକୁ ସଠିକ ଭାବେ ସଂରକ୍ଷଣ କରିବାରେ ପ୍ରଶାସନର ଉଦ୍ୟମକୁ ସେମାନେ ବେଶ ପ୍ରଶଂସା କରିଥିଲେ। ଏହି ଅବସରରେ ପ୍ରତିନିଧି ଦଳ ମତ ଦେଇଥିଲେ ଯେ, ଏହି ଗସ୍ତ ଓଡ଼ିଶାର ପ୍ରଗତିଶୀଳ ବୈଷୟିକ ଜ୍ଞାନକୌଶଳ ସହ ଏହାର ଗୌରବମୟ ଅତୀତକୁ ବୁଝିବାରେ ଏକ ସେତୁ ସଦୃଶ ଅଟେ। ଓଡ଼ିଶାର କଳା, ଭାସ୍କର୍ଯ୍ୟ ଏବଂ ସଭ୍ୟତା ସାରା ଭାରତ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ବହନ କରେ ବୋଲି ସେମାନେ ମତବ୍ୟକ୍ତ କରିଛନ୍ତି। ଏହି ପରିଦର୍ଶନ ଦ୍ଵାରା ମଧ୍ୟପ୍ରଦେଶ ଓ ଓଡ଼ିଶା ମଧ୍ୟରେ ସାଂସ୍କୃତିକ ଆଦାନପ୍ରଦାନ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ