ମହାବାରୁଣୀ ସ୍ନାନକୁ ଶୃଙ୍ଖଳିତ ପାଇଁ ପ୍ରସ୍ତୁତି ବୈଠକ
ଆସିକା (ୱାଇଏନ୍ଏସ୍): ଆସିକା ସହରର ଗୋଟିଏ ପାଶ୍ୱର୍ରେ କେଉଁ ଆବାହମାନ କାଳରୁ ପ୍ରବାହିତ ହେଉଥିବା ପୂଣ୍ୟତୋୟା ପବିତ୍ର ଋଷିକୁଲ୍ୟା ନଦୀ ହଜାର ହଜାର ଲୋକଙ୍କ ଆଧ୍ୟାତ୍ମିକ ଚେତନା ଓ ଭାବନା ସହ ଜଡିତ । ମନ୍ଦିର ପ୍ରତିଷ୍ଠା, ଯଜ୍ଞ, ବାରୁଣୀ ଓ ମହାବାରୁଣୀ ସ୍ନାନ, ଚୈତ୍ର ମଙ୍ଗଳବାର, ଦଣ୍ଡଯାତ୍ରାରେ ସାମିଲ ହୋଇଥିବା ମାନସିକଧାରୀ ଓ ଶ୍ରଦ୍ଧାଳୁଭକ୍ତଙ୍କ ସ୍ନାନ ସମେତ ଅନ୍ୟାନ୍ୟ ମାଙ୍ଗଳିକ କାର୍ଯ୍ୟ ପାଇଁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ପବିତ୍ର ଋଷିକୁଲ୍ୟା ନଦୀର ଜଳକୁ ବ୍ୟବହାର କରିଥାନ୍ତି । ଆସନ୍ତା ମଙ୍ଗଳବାର ଦିନ ମହାବାରୁଣୀ ସ୍ନାନ ଅନୁଷ୍ଠିତ ହେବାକୁ ଥିବାରୁ ଆସିକାର ପବିତ୍ର ଋଷିକୁଲ୍ୟା ଓ ବଡନଦୀର ସଙ୍ଗମସ୍ଥଳ (ଉତ୍ତରବାଙ୍କ)ରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେବା ସାଙ୍ଗକୁ ପିତୃପୁରୁଷଙ୍କ ପିଣ୍ଡଦାନ, ପୂର୍ବଜଙ୍କ ଅସ୍ତିବିସର୍ଜନ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ମହାବାରୁଣୀ ସ୍ନାନରେ ଲକ୍ଷାଧିକ ଲୋକଙ୍କ ସମାଗମ ହେବାର ସମ୍ଭାବନା ରହିଥିବାରୁ ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ସମାପନ କରିବା ସକାଶେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ଲକ୍ଷ୍ୟ କରାଯାଇଛି । ମହାବାରୁଣୀ ସ୍ନାନକୁ ଶୃଙ୍ଖଳିତ ଭାବେ କିପରି ସମାପନ କରାଯାଇପାରିବ ସେ ସଂକ୍ରାନ୍ତରେ ରୂପରେଖ ପ୍ରସ୍ତୁତ କରିବା ପାଇଁ ଏସ୍ଡିପିଓ ସନ୍ତୋଷ କୁମାର ଜେନାଙ୍କ ପରାମର୍ଶକ୍ରମେ ଆସିକା ଥାନା ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସିକା ଥାନା ଅଧିକାରୀ ସୁଧିର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି ପ୍ରସ୍ତୁତି ବୈଠକରେ ଆସିକା ଅଗ୍ନିଶମ ସେବା କେନ୍ଦ୍ରର କେନ୍ଦ୍ରାଧିକାରୀ କୈଳାଶ ଚନ୍ଦ୍ର ସାହୁ, ଟିପିଏସ୍ଓଡିଏଲ୍ ଆସିକା ସେକ୍ସନର ସହକାରୀ ଯନ୍ତ୍ରୀ ଇଂ ରାକେଶ କୁମାର ପାତ୍ର, ଆଧ୍ୟାତ୍ମିକପ୍ରେମୀ ନିଗମାନନ୍ଦ ମହାନ୍ତି, ସନ୍ତୋଷ କୁମାର ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ନାହାକ, ଅନିଲ୍ କୁମାର ପାଣିଗ୍ରାହୀ, ବିଦେଶୀ ନାହାକ, ବିଜୟ କୁମାର ସ୍ୱାଇଁଙ୍କ ସମେତ ବହୁ ସଚେତନ ନାଗରିକ ଯୋଗଦେଇ ଆସନ୍ତା ମହାବାରୁଣୀ ସ୍ନାନକୁ ଶୃଙ୍ଖଳିତ ଭାବେ ସମାପନ କରିବା ସକାଶେ ଆବଶ୍ୟକୀୟ ପଦକ୍ଷେପ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହି ବୈଠକରେ ମହାବାରୁଣୀ ସ୍ନାନ ହେଉଥିବା ଅଞ୍ଚଳରେ ଟ୍ରାଫିକ୍ ବ୍ୟବସ୍ଥାର ସୁନିୟନ୍ତ୍ରିତ, ପାନୀୟ ଜଳର ସୁବନ୍ଦୋବସ୍ତ, ଲୋକଙ୍କୁ ସ୍ୱାସ୍ଥ୍ୟସେବା ଓ ନିରବିଚ୍ଛିନ୍ନ ଆଲୋକସେବା ଯୋଗାଇଦେବା, ଭକ୍ତମାନଙ୍କୁ ଓଆର୍ଏସ୍ ବଣ୍ଟନ କରିବା, ଆମ୍ବୁଲାନ୍ସ ଯାନ ଓ ଅଗ୍ନିଶମ ବିଭାଗର ଯାନକୁ ପ୍ରସ୍ତୁତ କରି ରଖିବା, ଶ୍ରଦ୍ଧାଳୁ ଭକ୍ତଙ୍କୁ ମୌଳିକ ସୁବିଧା ଯୋଗାଇଦେବା, ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ ପଦକ୍ଷେପ ନେବା ସମେତ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ପବିତ୍ର ମହାବାରୁଣୀ ସ୍ନାନରେ ପ୍ରବଳ ଭିଡ ହେବାର ସମ୍ଭାବନା ଥିବାରୁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେବା ସମ୍ଭାବନାକୁ ଦୂର କରିବା ପାଇଁ ଏନ୍ସିସି କ୍ୟାଡେଟ୍ ମାନଙ୍କୁ ନିୟୋଜିତ କରିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା । ଆସିକା ଥାନା ଅଧିକାରୀ ସୁଧିର କୁମାର ସାହୁ, ଅତିରିକ୍ତ ଥାନା ଅଧିକାରୀ ସୌମ୍ୟରଂଜନ ଜେନା, ଏସ୍ଆଇ ଅଲିସ୍ମିତା ଜେନା, ଏଏସ୍ଆଇ ସୁବାଶିଷ ସ୍ୱାଇଁ, ବସନ୍ତ ବେହେରା, ଆଧ୍ୟାତ୍ମିକପ୍ରେମୀ ଗଣେଶ ମହାନ୍ତି, ନିଗମାନନ୍ଦ ମହାନ୍ତି, ସନ୍ତୋଷ କୁମାର ପାଣିଗ୍ରାହୀ, ସୂର୍ଯ୍ୟନାରାୟଣ ନାହାକ, ଅନିଲ୍ କୁମାର ପାଣିଗ୍ରାହୀ, ଆସିକା ଥାନାର ସ୍ପେଷାଲ୍ ସ୍କ୍ୱାର୍ଡର ସଦସ୍ୟଙ୍କ ସମେତ ବହୁ ଉତ୍ସାହୀ ଯୁବପିଢୀ ରବିବାର ପବିତ୍ର ଋଷିକୁଲ୍ୟା ଓ ବଡନଦୀର ସଙ୍ଗମସ୍ଥଳକୁ ପରିଦର୍ଶନରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା ଓ ଅନୁଧ୍ୟାନ କରିଥିବା ଦେଖିବାକୁ ମିଳିଥିଲା ।


