କାକଟପୁର ରେ ୯୧ଜଣଙ୍କୁ ଖାଉଟି କାର୍ଡ ବାଣ୍ଟିଲେ ମନ୍ତ୍ରୀ
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ) :-ଆୟକର ଦେଉଥିବା ସମାଜର ପ୍ରତିଷ୍ଠିତ ୪୫ହଜାର ଲୋକ ଟଙ୍କିକିଆ ଚାଉଳ ନେଉଥିଲେ। ଭଲ ଚାକିରୀ ଓ ଉଚ୍ଚ ଅଙ୍କର ଅର୍ଥ ରୋଜଗାର କରୁଥିବା ୭୫ହଜାର ଲୋକ ମଧ୍ୟ ରାସନ କାର୍ଡରୁ ଫାଇଦା ନେଉଥିଲେ। ୭ଲକ୍ଷ ମୃତ ଲୋକଙ୍କ ନାମରେ ମଧ୍ୟ ତାଙ୍କ ପରିବାର ବର୍ଗ ରାସନ ନେଉଥିଲେ। ତେଣୁ ଏହି ଭଳି ୮ଲକ୍ଷ ୧୬ହଜାର ଅଯୋଗ୍ୟ ହିତାଧିକାରୀ ଙ୍କ କାର୍ଡ କଟା ଯାଇଛି। ଗରିବ ଲୋକ ତଥା ଯୋଗ୍ୟ ହିତାଧିକାରୀ ଙ୍କୁ ସେମାନଙ୍କ ସ୍ଥାନରେ ରାସନ କାର୍ଡ ଦିଆଯାଉଛି। ଏଯାବତ ୭ଲକ୍ଷ ନୂଆ ଯୋଗ୍ୟ ହିତାଧିକାରୀ ଙ୍କୁ ଖାଉଟି କାର୍ଡ ବଣ୍ଟନ କରାଯାଇଛି ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ପୁରୀ ଜିଲ୍ଲା କାକଟପୁର ବ୍ଲକ ପରିସରରେ ନୂତନ ହିତାଧିକାରୀ ଙ୍କୁ ରାସନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ଏହା କହିଛନ୍ତି। ଶ୍ରୀ ପାତ୍ର କହିଲେ, ଏହି ଖାଉଟି କାର୍ଡରେ ସ୍ୱଛତା ଆଣିବାକୁ ବିଭାଗ ପକ୍ଷରୁ ପ୍ରୟାସ ଆରମ୍ଭ କରାଯାଇଥିଲା। ବହୁ ଯୋଗ୍ୟ ଗରିବ ହିତାଧିକାରୀ କାର୍ଡରୁ ବଞ୍ଚିତ ଥିଲେ। ତେଣୁ ଇକେୱାଇସି ମାଧ୍ୟ୍ୟମରେ କାର୍ଡ ଦ୍ୱାରା ଉପକୃତ ହେଉଥିବା ହିତାଧିକାରୀ ଙ୍କ ସ୍ଥିତି ଯାଞ୍ଚ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ବହୁ ପରିବାର ମୃତ ବ୍ୟକ୍ତିଙ୍କ ନାମରେ ମଧ୍ୟ କାର୍ଡରେ ଚାଉଳ ନେଉଥିବା ସାମ୍ନାକୁ ଆସିଲା। ଇତି ମଧ୍ୟରେ ୯୬ପ୍ରତିଶତ ଲୋକେ ଇକେୱାଇସି କରିସାରିଲେଣି। ମାତ୍ର ଏବେ ଆହୁରି ୧୪ଲକ୍ଷ ଲୋକ ଇ -କେୱାଇସି କରିନାହାନ୍ତି। ସେମାନେ ଏହି କେୱାଇସି କରେଇ ନେବାକୁ ସେ ପରାମର୍ଶ ଦେଇଛନ୍ତି। ଶ୍ରୀ ପାତ୍ର କହିଥିଲେ, କୌଣସି ଧନୀକ ଯେପରି ଗରିବଙ୍କ ହକକୁ ଛଡାଇ ନ ନିଅନ୍ତୁ ସେଥିପାଇଁ ଏହି ବ୍ୟବସ୍ଥାରେ ସ୍ୱଛତା ଆଣିବାକୁ ଇ -କେୱାଇସି ବ୍ୟବସ୍ଥା କରାଯାଇଥିଲା। କେହି ଗରିବ ଲୋକେ ଯଦି ନିୟମ ଅନୁସାରେ ଏହି କାର୍ଡ ପାଇବା ପାଇଁ ଯୋଗ୍ୟ ଅଛନ୍ତି ସେମାନେ ଆବେଦନ କରନ୍ତୁ। ଏବେ ବି ଆମ ନିକଟରେ ପର୍ଯ୍ୟାପ୍ତ ରାସନ କାର୍ଡ ଦେବାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ କୌଣସି ଲୋକ ଯଦି ଭାବୁଛନ୍ତି ସେମାନେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ସୁଦ୍ଧା ଇ -କେୱାଇସି ପରେ ଏଥିରୁ ବଞ୍ଚିତ ହୋଇଛନ୍ତି, ସେମାନେ ପୁନଃ ଆବେଦନ କରନ୍ତୁ। ପୋର୍ଟାଲ ଖୋଲା ରହିଛି ବୋଲି କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପାତ୍ର ପୁରୀ ଜିଲ୍ଲା କାକଟପୁର ବ୍ଲକ ପରିସରରେ ୯୧ଜଣ ନୂଆ ହିତାଧିକାରୀ ଙ୍କୁ ରାସନ କାର୍ଡ ବଣ୍ଟନ କରିଥିଲେ। କାକଟପୁର ବ୍ଲକ ର ୧୬ଗୋଟି ପଂଚାୟତ ରୁ ନୂଆ କାର୍ଡ ପାଇଁ ୧୮୪୬ଜଣ ଆବେଦନ କରିଥିବା ବେଳେ ୧୩୦୪ଜଣ ହିତାଧିକାରୀ ଙ୍କୁ କାର୍ଡ ବଣ୍ଟନ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ଯୁକ୍ତ ସଂଜୀବ କୁମାର ସାହୁ, ବ୍ଲକ ଅଧକ୍ଷ ଶ୍ରୀଧର ନାୟକ, ବିଡ଼ିଓ ନାରାୟଣ ଦୀକ୍ଷିତି, ଜଗତସିଂହପୁର ସାଂସଦ ଙ୍କ କାକଟପୁର ବ୍ଲକ ପ୍ରତିନିଧି କୈଳାଶ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କାକଟପୁର ଗ୍ରସ୍ତ ରେ ଆସି ମନ୍ତ୍ରୀ ଶ୍ରୀ ପାତ୍ର ମା “ମଙ୍ଗଳା ଙ୍କୁ ଦର୍ଶନ ମଧ୍ୟ କରିଥିଲେ।


